ରାଜକୋଟ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୨୭୨ ରନ ଏବଂ ଗୋଟିଏ ଇନିଂସରେ ହରାଇଲା ଭାରତ

Published By : Prameya-News7 Bureau | October 06, 2018 IST

ରାଜକୋଟ ୬/୧୦ : ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ଏବଂ ୨୭୨ ରନରେ ଭାରତ ବିଜୟୀ ହୋଇଛି | ରାଜକୋଟଠାରେ ଚାଲିଥିବା ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ପ୍ରଥମେ ବ୍ୟାଟିଂ କରି ୫୪୯ ରନରେ ବିଶାଳ ସ୍କୋର ଠିଆ କରିଥିଲା | ପ୍ରଥମ ଇନିଂସରେ ୧୮୧ ରନରେ ୱେଷ୍ଟଇଣ୍ଡିଜର ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ | ଫଲୋଅନ କାରଣରୁ ୱେଷ୍ଟଇଣ୍ଡିଜ ପୁଣି ବ୍ୟାଟିଂ କରିଥିଲା | ଆଜି ତୃତୀୟ ଦିନରେ ମାତ୍ର ୧୯୬ ରନ କରି ୱେଷ୍ଟଇଣ୍ଡିଜର ସମସ୍ତ ଖେଳାଳୀ ଆଉଟ ହୋଇଥିଲେ | ଫଳରେ ଭାରତକୁ ଏକ ବଡ ବିଜୟ ମିଳିଛି | ପ୍ରଥମ ଇନିଂସରେ ଭାରତୀୟ ଦଳର ୩ଜଣ ଖେଳାଳୀ ଶତକ କରିଥିଲେ | ଅଧିନାୟକ ବିରାଟ କୋହଲି ୧୩୯ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ତାଙ୍କ କ୍ୟାରିୟରର ପ୍ରଥମ ଶତକ କରିଥିଲେ | ସେହିଭଳି ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିଥିବା ପୃଥ୍ୱୀ ସା ମଧ୍ୟ ଶତକ କରି ରେକର୍ଡ କରିଥିଲେ | ପୂଜାରା ମଧ୍ୟ ଧୂଆଁଧାର ୮୬ ରନ କରିଥିଲେ | [gallery ids="47794"] ଅପରପକ୍ଷରେ ଭାରତୀୟ ବୋଲରମାନେ କମାଲ ଦେଖାଇଥିଲେ | ପ୍ରଥମ ଇନିଂସରେ କେଦାର ଯାଦବ ୫ଟି ଉଇକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩ଟି ଉଇକେଟ ହାସଲ କରିଥିଲେ | ଆର.ଅଶ୍ୱିନୀ ମଧ୍ୟ ଦୁଇଟି ଉଇକେଟ ହାସଲ କରିଥିଲେ | ଦ୍ୱିତୀୟ ଇନିଂସରେ ମହମ୍ମଦ ସାମୀଙ୍କୁ ୨ଟି ଉଇକେଟ ମିଳିଥିଲା | ଆର ଅଶ୍ୱିନୀ ଏହି ମ୍ୟାଚରେ ସର୍ବାଧିକ ୪ଟି ଉଇକେଟ ହାସଲ କରିଥିଲେ | ୟୁବେନ୍ଦ୍ର ଯାଦବ, ରବୀନ୍ଦ୍ର ଜାଡେଜା ଏବଂ କେଦାର ଯାଦବଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.