କେବଳ ଚୀନକୁ ନେଇ ଚିନ୍ତାରେ ସୀମିତ ନ ରହୁ ଭାରତ-ଆମେରିକା ସମ୍ପର୍କ, ହ୍ୱାଇଟ୍ ହାଉସ ଅଧିକାରୀଙ୍କ ବଡ ବୟାନ
9/12/2022 at 4:43 PM

ନୂଆଦିଲ୍ଲୀ: ଆମେରିକାର ଜଣେ ଶୀର୍ଷ ଅଧିକାରୀ ଭାରତ-ୟୁଏସ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି । ହ୍ୱାଇଟ୍ ହାଉସର ଏସିଆ ସଂଯୋଜକ କର୍ଟ କ୍ୟାମ୍ପବେଲଙ୍କ କହିବା ଅନୁସାରେ ଭାରତ-ଆମେରିକା ମଧ୍ୟରେ ରାଜନୈତିକ ସମ୍ପର୍କ କେବଳ ଚୀନକୁ ନେଇ ଦୁଇ ପରସ୍ପରର ଚିନ୍ତା ଉପରେ ଆଧାରିତ ନ ହେବା ଦରକାର, ବରଂ ଦୁଇ ଦେଶ ମଧ୍ୟରେ ସମନ୍ୱୟର ଗଭୀରତାକୁ ବୁଝିବା ଦରକାର । କର୍ଟ କ୍ୟାମ୍ପବେଲ କହିଛନ୍ତି, ଭାରତ ଏବଂ ଆମେରିକା ଗତ ଦୁଇ ଦଶନ୍ଧିରେ ଅନେକ ବାଧାକୁ ଅତିକ୍ରମ କରିଛନ୍ତି । ଏହାସହ ଉନ୍ନତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା କ୍ଷେତ୍ରରେ ଅନେକ କାମ କରିଛନ୍ତି ।
ୱାଶିଂଟନ ସ୍ଥିତ ଏସ୍ପେନ ଇନଷ୍ଟିଚ୍ୟୁଟରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଯଦି ଆପଣ ଗତ ୨୦ ବର୍ଷ ଉପରେ ନଜର ପକାଇବେ, ତେବେ ଦେଖିବେ ଆମେ ଅନେକ ବାଧାକୁ ପାର କରିଛୁ ଏବଂ ଦୁଇ ଦେଶର ସମ୍ପର୍କ ଅଧିକ ନିକଟତର ହୋଇଛି । ଏହା ଦୁଇ ସମାଜ ମଧ୍ୟରେ ସମନ୍ୱୟର ଗଭୀର ବୁଝାମଣାର ପରିଣାମ ଅଟେ ।
ହ୍ୱାଇଟ୍ ହାଉସରେ ଏସିଆ ସଂଯୋଜକ ଦୁଇ ଲୋକତନ୍ତ୍ର ମଧ୍ୟରେ ଅଧିକ ସହଯୋଗର ଆହ୍ୱାନ କରି କହିଛନ୍ତି ଯେ ଦୁଇ ପକ୍ଷରେ କିଛି ମହତ୍ୱାକାଂକ୍ଷା ରହିବା ଦରକାର । ସେ କହିଛନ୍ତି ଯେ, ଆମ ସେହି ସବୁ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଦରକାର ଯାହା ମିଳିମିଶି କରିପାରିବା । ଏଥିରେ ମହାକାଶ, ଶିକ୍ଷା, ଜଳବାୟୁ ଏବଂ ପ୍ରଯୁକ୍ତି କ୍ଷେତ୍ର ଦିଗରେ ଆଗକୁ ବଢିବା ଦରକାର ।