ଓଡ଼ିଶାରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ! ୨୦ ରାଜ୍ୟରେ ସ୍ବାଭାବିକ ଠାରୁ ଅଧିକ ହେବ

Published By : Prameya-News7 Bureau | April 16, 2024 IST

ଭୁବନେଶ୍ୱର,୧୬/୪: ଦେଶରେ ଏ  ବର୍ଷ ଭଲ ବର୍ଷା ହେବ । ସ୍ୱାଭାବିକଠାରୁ ଅଧିକ ବର୍ଷା ଆଣିପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ । ହେଲେ ଓଡ଼ିଶାରେ ବର୍ଷା ପରିମାଣ କମ୍‌ ରହିପାରେ । ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ  ମହାପାତ୍ର କହିଛନ୍ତି, ଚଳିତବର୍ଷ ଦେଶରେ ଭଲ  ବର୍ଷା ସମ୍ଭାବନା ଅଛି । ହେଲେ ଓଡ଼ିଶାରେ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିପାରେ ।  

ଜୁନ୍‌ରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସମୟକୁ  ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସମୟ  କୁହାଯାଇଥାଏ । ଏହି ୪ ମାସର ଅବଧିରେ ବର୍ଷାକୁ ନେଇ ଆଇଏମ୍‌ଡି ଜାରି କରିଥିବା ପୂର୍ବାନୁମାନ ଚିତ୍ର କହୁଛି, ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଓଡ଼ିଶା ଉପକୂଳର କିଛି ଅଞ୍ଚଳ, କେନ୍ଦ୍ରୀୟ ଅଞ୍ଚଳର କିଛି ଜିଲ୍ଲା, ଉତ୍ତର-ପଶ୍ଚିମର କିଛି  ଅଞ୍ଚଳରେ ବର୍ଷା କମ୍‌ ରହିପାରେ । ପଶ୍ଚିମ ଓ  କେନ୍ଦ୍ରୀୟ ଓଡ଼ିଶାର ଅଳ୍ପ କିଛି ଜାଗାରେ ଭଲ ବର୍ଷା  ସମ୍ଭାବନା ଅଛି । ବାକି ଅଞ୍ଚଳରେ ବର୍ଷାକ ପରିମାଣ କମିପାରେ,  ବଢ଼ିପାରେ କିମ୍ବା ସ୍ୱାଭାବିକ ରହିପାରେ । ଆଇଏମ୍‌ଡି ଆହୁରି ପୂର୍ବାନୁମାନ କରିଛି,  ଓଡ଼ିଶା ସହ ପୂର୍ବୋତ୍ତର ରାଜ୍ୟ ଯଥା ଆସାମ,  ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ  ସ୍ୱାଭାବିକଠାରୁ କମ୍‌ ମୌସୁମୀ ବର୍ଷା ସମ୍ଭାବନା  ଅଛି । ସେହିପରି ଛତିଶଗଡ଼, ଝାଡ଼ଖଣ୍ଡର କିଛି ଅଞ୍ଚଳ ସହ ଗାଙ୍ଗେୟ ପଶ୍ଚିମବଙ୍ଗରେ ବି ବର୍ଷା କମିପାରେ ।  

ଆଇଏମ୍‌ଡି ଆକଳନ ଅନୁଯାୟୀ, ତାମିଲନାଡୁ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର,  ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ,  ହରିଆଣା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ,  ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକିମ୍‌, ମେଘାଳୟ, ଅରୁଣାଚଳ ପ୍ରଦେଶ ସମେତ ୨୦ଟି ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି । ଏହାଛଡ଼ା ଦିଲ୍ଲୀ, ପୁଡୁଚେରି, ଆଣ୍ଡାମାନ  ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଡିଉରେ ମଧ୍ୟ ଭଲ ବର୍ଷା ହୋଇପାରେ । ହିମାଚଳ, ଜମ୍ମୁ-କାଶ୍ମୀର ଏବଂ  ଲଦାଖରେ ସ୍ୱାଭାବିକ ରହିପାରେ ମୌସୁମୀ । ଚଳିତବର୍ଷ ୮୭୦ ମିଲିମିଟର ବର୍ଷା  ହୋଇପାରେ । ୪ ମାସ ଅବଧିର ମୌସୁମୀ ଋତୁରେ ୮୬୮.୬ ମିଲିମିଟର ବର୍ଷା ହୋଇଥାଏ ।   

ଆଇଏମ୍‌ଡି ମୁତାବକ ଜୁନ୍‌-ଜୁଲାଇରେ ମୌସୁମୀ ପ୍ରଭାବ ଧିମା ରହିପାରେ । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ତଥା ଅଗଷ୍ଟ-ସେପ୍ଟେମ୍ବରରେ ଏହାର ଭରଣା ହେବ ।  ମୌସୁମୀ ବାବଦରେ ପରବର୍ତ୍ତୀ ତଥ୍ୟ ମେ’ ଶେଷ ସପ୍ତାହରେ ଆସିବ ବୋଲି ଆଇଏମ୍‌ଡି କହିଛି ।  ଆଇଏମ୍‌ଡି ଅନୁସାରେ, ଏଲ୍‌-ନିନୋର   ପ୍ରଭାବ ବର୍ତ୍ତମାନ ମଧ୍ୟମ ଧରଣର ରହିଛି ।   ଏହା ଧୀରେ ଧୀରେ ଦୁର୍ବଳ ହେଉଛି । ମୌସୁମୀ   ଆରମ୍ଭ ବେଳକୁ ଏହା ନ୍ୟୁଟ୍ରାଲ ଅବସ୍ଥାକୁ   ଆସିପାରେ । ଅଗଷ୍ଟ-ସେପ୍ଟେମ୍ବର ବେଳକୁ   ଲା-ନିନା ପ୍ରଭାବ ଆରମ୍ଭ ହୋଇପାରେ । ପାଣିପାଗ ପୂର୍ବାନୁମାନ କରୁଥିବା ଘରୋଇ ସଂସ୍ଥା  ସ୍କାଏମେଟ୍‌ ମଧ୍ୟ ଗତ ୯ ତାରିଖରେ ମୌସୁମୀ ବର୍ଷା  ନେଇ ରିପୋର୍ଟ ଜାରି କରିଥିଲା । ଏ ବର୍ଷ ଦେଶରେ  ମୌସୁମୀ ବର୍ଷା ସ୍ୱାଭାବିକ ରହିବା ନେଇ ସ୍କାଏମେଟ  ମଧ୍ୟ ପୂର୍ବାନୁମାନ କରିଥିଲା । ଏଥିରେ ଓଡ଼ିଶାରେ  ବର୍ଷା କମିବା ନେଇ ଆକଳନ କରାଯାଇଥିଲା ।  

  • IMD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.