ୟୁରୋପକୁ ପାରାସିଟାମଲ ଲାଗି ୧ହଜାର ଟନ କଞ୍ଚାମାଲ ପଠାଇବ ଭାରତ
6/05/2020 at 5:49 PM

ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା ଲାଗି ଭାରତ ରପ୍ତାନୀ ନିୟମ କୋହଳି କରି ୟୁରୋପକୁ ପାରାସିଟାମଲ ପ୍ରସ୍ତୁତି ଲାଗି ୧ହଜାର ଟନ୍ ଆକ୍ଟିଭ ଫର୍ମାସ୍ୟୁଟିକାଲ ଇନଗ୍ରିଡେଣ୍ଟସ୍ (ଏପିଆଇ) ପଠାଇବ। ଭାରତରେ ସାଧାରଣ ବ୍ୟଥାର ଉପଚାର ଲାଗି ଏହି ଔଷଧର ବ୍ୟବହାର ହୋଇଥାଏ। ତେବେ କରୋନା ଭାଇରସ ସଂକ୍ରଣ ଯୋଗୁ ସାରା ବିଶ୍ୱରେ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଥିଲା। ଏଣୁ ଭାରତ ସରକାର ଗତ ମାର୍ଚ୍ଚ ମାସରେ ପାରାସିଟାମଲ ସମେତ ବିଭିନ୍ନ ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଥିଲେ।

ୟୁରୋପ ପାରାସିଟାମଲ ପ୍ରସ୍ତୁତି ଲାଗି ପ୍ରତି ମାସରେ ୮ଶହ ଟନ ଏପିଆଇ ଅର୍ଡର କରିଥିବା ଫାର୍ମାସ୍ୟୁଟିକାଲ ଏକ୍ସପୋର୍ଟ ପ୍ରମୋସନ କାଉନସିଲ ଅଫ ଇଣ୍ଡିଆ (ଫାର୍ମଏକ୍ସିଲ) ଅଧ୍ୟକ୍ଷ ଦିନେଶ ଦୁଆ କହିଛନ୍ତି। ଏଥିଲାଗି ଗତ ୧୦ ଦିନ ହେଲା ୟୁରୋପିୟ ୟୁନିୟନ ପକ୍ଷରୁ ଆମ ଉପରେ ଅତ୍ୟାଧିକ ଚାପ ପଡୁଥିଲା। ତେବେ ନିୟମ କୋହଳ କରି ରପ୍ତାନୀ ଅନୁମତି ମିଳିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଦୁଆ କହିଛନ୍ତି। ଔଷଧ ନିର୍ମାତାମାନଙ୍କୁ ଦେଶରେ ପାରାସିଟାମଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁନ୍ୟ ୪ ମାସ ଲାଗି ଷ୍ଟକ୍ କରିବା ପରେ ରପ୍ତାନୀ କରିପାରିବେ ବୋଲି ଭାରତୀୟ ପ୍ରାଧିକର୍ତ୍ତା କହିଛନ୍ତି।

ସାରା ବିଶ୍ୱରେ ଭାରତ ଏକମାତ୍ର ସୁଲଭ ମୂଲ୍ୟ ଔଷଧ ଯୋଗାଣକାରୀ ରାଷ୍ଟ୍ର ହୋଇଥିବା ବେଳେ ୩୧ଟି ଦେଶଙ୍କୁ ୧.୯ ମିଲିୟନ ପାରାସିଟାମଲ ଟାବଲେଟ୍ ଓ ଅନ୍ୟ ଔଷଧ ଯୋଗାଣ କରିଛି। ଏଥିରେ ୟୁରୋପ ଏପିଆଇର ପ୍ରମୁଖ କ୍ରେତା ହୋଇଥିବା ବେଳେ ବାର୍ଷିକ ୧୨ ହଜାର ଟନ ଇନଗ୍ରିଡେଣ୍ଟ ଆମଦାନୀ କରିଥାଏ। ଏହି ସାଧାରଣ ବ୍ୟଥା ନିବାରକ ଏସିଟାମିନୋଫେନ ନାମରେ ମଧ୍ୟ ବିକ୍ରୟ ହୋଇଥାଏ। ତେବେ ବିଶ୍ୱରେ ନୋଭେଲ କରୋନା ଭାଇରସ ବ୍ୟାପିବାପରଠାରୁ ଅଢେଇ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେଲାଣି। ଏଥିରେ କେବଳ ୟୁରୋପର ମୃତ୍ୟୁ ହାର ୫୭ ପ୍ରତିଶତ ବୋଲି ଜଣାପଡିଛି।