୮୪ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବ ଭାରତ, ମିଳିଲା ମଞ୍ଜୁରୀ
23/12/2022 at 2:40 PM

ନୂଆଦିଲ୍ଲୀ ୨୩।୧୨: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଫେନ୍ସ ଆକ୍ୟୁଜିସନ କାଉନସିଲ (ଡିଏସି) ବୈଠକରେ ଏପର୍ଯ୍ୟନ୍ତ ସବୁଠୁ ବଡ଼ ପ୍ରତିରକ୍ଷା କ୍ରୟକୁ ଏକକାଳୀନ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏକକାଳୀନ ୮୪ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କିଣା ହେବାକୁ ଥିବା ବେଳେ ଆତ୍ମ ନିର୍ଭର ଭାରତ ଲକ୍ଷ ହାସଲ ନିମନ୍ତେ ୮୨ ହଜାର କୋଟି ଟଙ୍କାର କ୍ରୟ ଦେଶରୁ କରାଯିବ ବୋଲି ଜଣାପଡିଛି।
ଏ ନେଇ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଏକ ବୟାନ ଜାରି କରାଯାଇଥିବା ବେଳେ ଆଗାମୀ ଯୁଦ୍ଧ ସମ୍ପର୍କିତ ଆହ୍ୱାନର ମୁକାବିଲା ନିମନ୍ତେ ୨୪ ପ୍ରସ୍ତାବକୁ ମଞ୍ଜୁର କରାଯାଇଥିବା କୁହାଯାଇଛି। ଏଥିରୁ ୬ଟି ପ୍ରସ୍ତାବ ସ୍ଥଳ ସେନା ପକ୍ଷରୁ ଦିଆଯାଇଥିବା ବେଳେ ବାୟୁସେନାର ୬ଟି ଓ ନୌସେନାର ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି। ଏହା ଛଡା ଭାରତୀୟ ତଟରକ୍ଷକ ବଳଙ୍କ ୨ଟି ପ୍ରସ୍ତାବ ମଧ୍ୟ ରହିଛି। ଏହି ମୋଟ ପ୍ରତିରକ୍ଷା କ୍ରୟର ମୂଲ୍ୟ ୮୪,୩୨୮ କୋଟି ଟଙ୍କା। ଏଥିରୁ ୮୨ ହଜାର ୧୨୭ କୋଟି ଟଙ୍କାର କ୍ରୟ ଦେଶରେ ନିର୍ମିତ ହେବ। ଅର୍ଥାତ ମୋଟ କ୍ରୟର ୯୭.୪ ପ୍ରତିଶତ ସାମଗ୍ରୀ ଦେଶରେ ପ୍ରସ୍ତୁତ ହେବ।

ଏହା ଦ୍ୱାରା ଦେଶର ସେନା ମଜଭୁତ ହେବା ସହ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗକୁ ମଧ୍ୟ ମଜଭୁତ କରିବ। ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା କ୍ରୟ ଆବଶ୍ୟକତାକୁ ସ୍ୱୀକୃତି ମିଳିଛି ସେଥିରେ ଭବିଷ୍ୟତରେ ଭାରତୀୟ ସେନାର ଇନଫେଣ୍ଟ୍ରି କମ୍ବାଟ ଭେଇକିଲ, ଲାଇଟ୍ ଟ୍ୟାଙ୍କସ୍ ଓ ମାଉଣ୍ଟେଡ ଗନ ସିଷ୍ଟମ ଭଳି ପ୍ଲାଟଫର୍ମ ଓ ଉପକରଣ ରହିଛି। ଏଥିରେ ଭାରତୀୟ ସେନାକୁ ସଞ୍ଚାଳନାତ୍ମକ ପ୍ରସ୍ତୁତିରେ ବଡ ସହାୟତା ମିଳିବ। ଏହା ଛଡା ଅନୁମୋଦିତ ପ୍ରସ୍ତାବରେ ସୈନିକଙ୍କ ଲାଗି ବର୍ଦ୍ଧିତ ସୁରକ୍ଷାରେ ବାଲିଷ୍ଟିକ୍ ହେଲମେଟ୍ କ୍ରୟ ମଧ୍ୟ ରହିଛି।
ବୟାନ ଅନୁସାରେ ନୌସେନା ଲାଗି ପୋତ ରୋଧି କ୍ଷେପଣାସ୍ତ୍ର, ବହୁ ଉଦ୍ଦେଶୀୟ ଜଳ ଯାନ ଓ ହାଇଏଣ୍ଡୁରାନ୍ସ ଅଟୋନୋମସ ଭେଇକିଲ କ୍ରୟକୁ ଅନୁମୋଦନ କରାଯାଇଛି। ବାୟୁସେନା ଲାଗି କ୍ଷେପଣାସ୍ତ୍ର ପ୍ରଣାଳୀର ନୂଆ ରେଞ୍ଜ, ଦୀର୍ଘ ଦୂରତାର ଗାଇଡେଡ ବୋମା, ପାରମ୍ପରିକ ବୋମା ଲାଗି ରେଞ୍ଜ ଅଗମେଣ୍ଟେସନ କିଟ୍ ଆଦି ସାମିଲ ରହିଛି। ଏଥିରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଲକ୍ଷ୍ନୌରେ ଏକ ଅତ୍ୟାଧୁନିକ ମଲ୍ଟି ସ୍ପେସିଆଲିଟି କମାଣ୍ଡ ହସ୍ପିଟାଲକୁ ମଧ୍ୟ ମଞ୍ଜୁର କରିଛନ୍ତି।