କରୋନାକୁ ଲାଗୁନି ବ୍ରେକ୍, ବଢୁଛି ଚିନ୍ତା : ଭାରତ ହେବ ବିଶ୍ବର ସବୁଠୁ ବଡ ହଟ୍‌ସ୍ପଟ୍, ନୂଆ ସଂକ୍ରମଣରେ ଆମେରିକା ଓ ବ୍ରାଜିଲକୁ ଟପିଲା

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮।୮: ବିଶ୍ୱବ୍ୟାପୀ କରୋନା ଏହାର କାୟା ବିସ୍ତାର କରିଚାଲିଛି । ଆମେରିକା, ବ୍ରାଜିଲ ପରେ ଭାରତରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଅନୁଯାୟୀ ଆମେରିକା ଓ ବ୍ରାଜିଲଠାରୁ ନିମ୍ନରେ ଥିବା ଭାରତ ଖୁବଶୀଘ୍ର କରୋନା ଗ୍ରାଫ୍‌ର ଶୀର୍ଷରେ ପହଞ୍ଚିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଗତ ସପ୍ତାହରୁ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । କରୋନା ମହାମାରୀ ଆରମ୍ଭ ହେବା ଦିନରୁ ପ୍ରଥମ ଥର ପାଇଁ ଭାରତରେ ସାପ୍ତାହିକ ନୂଆ ମାମଲା ଆମେରିକା ଓ ବ୍ରାଜିଲଠାରୁ ଅଧିକ ରହିଛି । ଲଗାତର ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଦୁଇ ଦେଶ ତୁଳନାରେ ଭାରତରେ ଦୈନିକ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ଆମେରିକା ଏବଂ ବ୍ରାଜିଲରେ ଲଗାତର କରୋନା ମାମଲା ହ୍ରାସ ଘଟୁଥିବା ବେଳେ ଭାରତରେ ଏହି ସଂଖ୍ୟା ବଢ଼ି ଚାଲୁଛି । ଯଦି ଏହି ଧାରା ଜାରି ରୁହେ ତେବେ ଖୁବ୍‌ଶୀଘ୍ର ଭାରତ ବିଶ୍ୱର ସବୁଠାରୁ ବଡ କରୋନା ହଟ୍‌ସ୍ପଟ୍‌ ଭାବେ ଉଭା ହେବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

କୌଣସି ଦେଶରେ କରୋନା ପ୍ରଭାବକୁ ଜାଣିବା ପାଇଁ ସାପ୍ତାହିକ କରୋନା ରିପୋର୍ଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସପ୍ତାହାନ୍ତରେ ଅଧିକାଂଶ ଦେଶରେ ନୂଆ କରୋନା ମାମଲା କମ୍‌ ଦେଖାଯାଉଛି । ସପ୍ତାହାନ୍ତରେ ଟେଷ୍ଟିଂ ଲ୍ୟାବଗୁଡିକ ବନ୍ଦ ରହିବା ଏହାର ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏଣୁ ସାପ୍ତାହିକ ରିପୋର୍ଟ ଆଧାରରେ ଦେଶର କରୋନାର ପ୍ରଭାବକୁ ସମୀକ୍ଷା କରାଯାଉଛି । ସାପ୍ତାହିକ ରିପୋର୍ଟର ସମୀକ୍ଷା କଲେ ଭାରତରେ ଦୈନିକ ୬୦,୦୦୦ରୁ ଊଦ୍ଧ୍ୱର୍ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି । ଯାହା ଆମେରିକା ଓ ବ୍ରାଜିଲଠାରୁ ଯଥେଷ୍ଟ ଅଧିକ । ଅଗଷ୍ଟ ଆରମ୍ଭରୁ ବ୍ରାଜିଲରେ ନୂଆ କରୋନା ମାମଲା ୪୫,୦୦୦ ପାଖାପାଖି ରହୁଛି । ଏହି ସଂଖ୍ୟାରେ ମାତ୍ରାଧିକ ବୃଦ୍ଧି କିମ୍ବା ହ୍ରାସ ଘଟୁନି ।

ଗତ ଜୁଲାଇ ୨୨ରେ ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ ୬୭,୦୦୦ ନୂଆ ମାମଲା ଚିହ୍ନଟ ହୋଇଥିଲା । ଏହା ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ସର୍ବାଧିକ । ଆମେରିକାରେ ସୃଷ୍ଟି ହୋଇଥିବା ଦ୍ୱିତୀୟ କରୋନା ଲହରି ଶୀର୍ଷରେ ପହଞ୍ଚି ଲଗାତର ହ୍ରାସ ଘଟୁଛି । ଆମେରିକା ଓ ବ୍ରାଜିଲ ଧୀରେ ଧୀରେ କରୋନାରେ ଆୟତ୍ତ ଆଣୁଥିବା ବେଳେ ଇତିମଧ୍ୟରେ ଭାରତର କରୋନା ଗ୍ରାଫ୍‌ ଲଗାତର ଉପର ମୁହାଁ ହୋଇଚାଲୁଛି । ଭାରତରେ ଦୈନିକ ହାରାହାରି ୬୦,୦୦୦ରୁ ଅଧିକ ନୂଆ ମାମଲା ଚିହ୍ନଟ ହେଉଛି । କିଛିଦିନ ମଧ୍ୟରେ ଦୈନିକ ନୂତନ ମାମଲା କ୍ଷେତ୍ରରେ ଭାରତ ଆମେରିକାର ରେକର୍ଡ ଭାଙ୍ଗିପାରେ ବୋଲି ଆଶଙ୍କା କରାଯାଉଛି ।

ସେହିଭଳି ମାମଲା ଦ୍ୱିଗୁଣିତ ହେବା କ୍ଷେତ୍ରରେ ମଧ୍ୟ ଭାରତର ସ୍ଥିତି ଆମେରିକା ଓ ବ୍ରାଜିଲଠାରୁ ଖରାପ ରହିଛି । ମାମଲା ଦ୍ୱିଗୁଣିତ ହେବାକୁ ଆମେରିକାରେ ୬୫ ଦିନ, ବ୍ରାଜିଲରେ ୪୭ ଦିନ ଲାଗୁଥିବା ବେଳେ ଭାରତରେ ମାତ୍ର ୨୪ ଦିନରେ ମାମଲା ଦ୍ୱିଗୁଣିତ ହେଉଛି । ଆମେରିକା ଓ ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାର ଦିନ ବଢ଼ିଚାଲୁଥିବା ବେଳେ ଭାରତରେ ଏହା କ୍ରମାଗତ ଭାବେ ହ୍ରାସ ଘଟୁଛି ।

ଭାରତରେ କରୋନା ଜନୀତ ମୃତ୍ୟୁର ମାତ୍ରା ଅନ୍ୟ ଦେଶ ତୁଳନାରେ ଅପେକ୍ଷାକୃତ ଭଲ ରହିଛି । ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧,୭୩,୧୩୯ ଜଣଙ୍କର ଏବଂ ବ୍ରାଜିଲରେ ୧,୦୭,୮୭୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । କିନ୍ତୁ ଭାରତରେ ବର୍ତ୍ତମାନ ସୁଦ୍ଧା ମାତ୍ର ୫୧,୦୭୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଭାରତର ସୁସ୍ଥ ହାର ମଧ୍ୟ ଅନ୍ୟ ଦେଶ ତୁଳନାରେ ଅପେକ୍ଷାକୃତ ଭଲ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.