ଆସନ୍ତା କାଲିଠାରୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଏକଦିବସୀୟ ସିରିଜ : ଭାରତ ରଚିବ ବିଶ୍ବ ଇତିହାସ

Published By : Prameya-News7 Bureau | October 20, 2018 IST

ଆସନ୍ତାକାଲି ଅକ୍ଟୋବର ୨୧ତାରିଖ (ରବିବାର)ଦିନ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଏକ ଦିବସୀୟ ସିରିଜ ଆରମ୍ଭ ହେବ। ଆସାମର ଗୈାହାଟିଠାରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏହା ପରେ ୨୪ତାରିଖରେ ବିଶାଖାପାଟଣାଠାରେ ଦ୍ବିତୀୟ ଏକଦିବସୀୟ ଅନୁଷ୍ଠିତ ହେବ। ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏହି ଏକଦିବସୀୟ ସିରିଜ ବେଳେ କ୍ରିକେଟ କ୍ଷେତ୍ରରେ ଭାରତ ଏକ ବଡ଼ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଏହି ଇତିହାସ ଭାରତୀୟ କ୍ରିକେଟ ଇତିହାସରେ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇପାରେ। କ୍ରିକେଟ କ୍ଷେତ୍ରରେ ଭାରତ ଯେ ଅନତିକ୍ରମଣୀୟ ଏହା ପୁଣି ଥରେ ସାବ୍ୟସ୍ତ ହେବ। ସୂଚନାଯୋଗ୍ୟ ଯେ,ରେକର୍ଡ ଅନୁସାରେ ବିଶ୍ବର ସବୁଠୁ ଅଧିକ ଏକ ଦିବସୀୟ ମ୍ୟାଚ୍ ଖେଳିବାର ଗୈାରବ ଭାରତ ନାଁରେ ରହିଛି। ଅଦ୍ୟାବଧି ଭାରତ ସର୍ବାଧିକ ୯୪୮ଟି ଏକଦିବସୀୟ ମ୍ୟାଚ୍ ଖେଳିସାରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟିକିଆ ସିରିଜ ଖେଳିବା ପରେ ଭାରତ ୯୫୦ ଏକଦିବସୀୟ ମ୍ୟାଚ୍ ଖେଳିବା କ୍ଷେତ୍ରରେ ବିଶ୍ବର ପ୍ରଥମ ଦେଶ ହେବ। ଏବେ ମଧ୍ୟ ୯୪୮ମ୍ୟାଚ୍ ଖେଳି ଭାରତ ସବୁଠୁ ଆଗରେ ରହିଛି। ଏ କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆ ଅଦ୍ୟାବଧି ୯୧୬ଟି ଏକଦିବସୀୟ ମ୍ୟାଚ୍ ଖେଳିଛି। ଏ ଦୁଇ ଦେଶକୁ ଛାଡ଼ିଦେଲେ ବିଶ୍ବର ଅନ୍ୟ କୈାଣସି ଦେଶ ଏକଦିବସୀୟ ମ୍ୟାଚ୍ ଖେଳିବା କ୍ଷେତ୍ରରେ ୯୦୦ମ୍ୟାଜିକ୍ ନମ୍ବର ଅତିକ୍ରମ କରିନାହାନ୍ତି। ସର୍ବାଧିକ ଏକଦିବସୀୟ ମ୍ୟାଚ୍ ଖେଳିବା କ୍ଷେତ୍ରରେ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ପାକିସ୍ତାନ ଅଦ୍ୟାବଧି ୮୯୯ଟି ମ୍ୟାଚ୍ ଖେଳିଛି। ଆଉ ଗୋଟିଏ ମ୍ୟାଚ୍ ଖେଳିବାପରେ ପାକିସ୍ତାନ ୯୦୦କ୍ଲବରେ ସାମିଲ ହେବ। ଜିତିବାରେ ଦ୍ବିତୀୟ: ଟିମ୍ ଇଣ୍ଡିଆ ଯଦିଓ ସବୁଠୁ ଅଧିକ ଏକଦିବସୀୟ ମ୍ୟାଚ୍ ଖେଳିଛି,କିନ୍ତୁ ବିଜୟ ହାର ତୁଳନାରେ ଏକନମ୍ବର ହୋଇପାରିନାହିଁ। ଯଦି ବିଜୟ ହାରକୁ ବିଚାରକୁ ନିଆଯାଏ ତାହେଲେ ଅଷ୍ଟ୍ରେଲିଆ ୧ନମ୍ବରରେ ରହିଛି। ଅଷ୍ଟ୍ରଲିଆ ଖେଳିଥିବା ସମୁଦାୟ ୯୧୬ମ୍ୟାଚ୍ ମଧ୍ୟରୁ ୫୫୬ଟିରେ ବିଜୟୀ ହୋଇଛି। ଅଷ୍ଟ୍ରଲିଆର ବିଜୟ ହାର ୬୩.୫୪ରହିଛି। ଅପରପକ୍ଷରେ ବିଜୟ ହାର କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ। ଭାରତ ଖେଳିଥିବା ୯୪୮ଟି ମ୍ୟାଚ୍ ମଧ୍ୟରୁ ୪୮୯ଟିରେ ଦଳକୁ ବିଜୟ ମିଳିଛି। ଭାରତର ବିଜୟ ହାର ୫୪.୨୯ପ୍ରତିଶତ ରହିଛି। ଅପରପକ୍ଷରେ ପାକିସ୍ତାନ ଖେଳିଥିବା ୮୯୯ଟି ମ୍ୟାଚ୍ ମଧ୍ୟରୁ ଦଳ ୪୭୯ଟିରେ ବିଜୟୀ ହୋଇଛି। ପାକିସ୍ତାନର ବିଜୟ ହାର ୫୪.୪୮ରହିଛି। ଏହି ତିନୋଟି ଦଳକୁ ବାଦ ଦେଲେ ବିଶ୍ବର ଅନ୍ୟ କୈାଣସି କ୍ରିକେଟ ଟିମ୍ ୪୦୦ରୁ ଅଧିକ ମ୍ୟାଚରେ ବିଜୟୀ ହୋଇନାହାନ୍ତି। ହାରିବାରେ ପ୍ରଥମ: ଅପରପକ୍ଷରେ ସର୍ବାଧିକ ମ୍ୟାଚ୍ ହାରିବା କ୍ଷେତ୍ରରେ ଭାରତ ଏକ ନମ୍ବରରେ ରହିଛି। ଖେଳିଥିବା ସମୁଦାୟ ୯୪୮ଟି ମ୍ୟାଚ୍ ମଧ୍ୟରୁ ଭାରତ ୪୧୧ଟି ମ୍ୟାଚ୍ ହାରିଛି। ଭାରତ ପଛକୁ ସର୍ବାଧିକ ମ୍ୟାଚ୍ ହାରିବା କ୍ଷେତ୍ରରେ ଦ୍ବିତୀୟ ନମ୍ବରରେ ଶ୍ରୀଲଙ୍କା ରହିଛି। ଶ୍ରୀଲଙ୍କା ଅଦ୍ୟାବଧି ୮୨୬ମ୍ୟାଚ୍ ମଧ୍ୟରୁ ୪୦୬ମ୍ୟାଚରେ ହାରିଛି। ଏହି ଦୁଇ ଦଳକୁ ବାଦ ଦେଲେ ବିଶ୍ବର ଅନ୍ୟ କୈାଣସି ଟିମ୍ ୪୦୦ରୁ ଅଧିକ ମ୍ୟାଚରେ ହାରିନାହାନ୍ତି । ହାରିବା କ୍ଷେତ୍ରରେ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ପାକିସ୍ତାନ ଖେଳିଥିବା ୮୯୯ମ୍ୟାଚ୍ ମଧ୍ୟରୁ ୩୯୭ମ୍ୟାଚରେ ଦଳ ପରାସ୍ତ ହୋଇଛି। ଅପରପକ୍ଷରେ ଏବେ ଭାରତ ସହ ଏକଦିବସୀୟ ସିରିଜ ଖେଳିବାକୁ ଯାଉଥିବା ଓ୍ବେଷ୍ଟଇଣ୍ଡିଜ ଦଳ ଅଦ୍ୟାବଧି ଖେଳିଥିବା ୭୮୦ମ୍ୟାଚ୍ ମଧ୍ୟରୁ ୩୫୮ମ୍ୟାଚରେ ହାରିଥିବାବେଳେ ବିଜୟୀ ହୋଇଛି ୩୭୮ମ୍ୟାଚରେ। ଭାରତ-ଓ୍ବେଷ୍ଟଇଣ୍ଡିଜ ରେକର୍ଡ: ଆସନ୍ତା କାଲିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ୧୯ତମ ଥର ପାଇଁ ଏକଦିବସୀୟ ସିରିଜରେ ମୁହାଁମୁହିଁ ହେବେ। ଅଦ୍ୟାବଧି ଦୁଇଦଳ ୧୮ଟି ସିରିଜ ପରସ୍ପର ବିରୋଧରେ ଖେଳିଛନ୍ତି। ଏଥିମଧ୍ୟରୁ ଭାରତ ୧୦ଟି ସିରିଜରେ ବିଜୟୀ ହୋଇଛି। ଦୁଇଦଳ ମଧ୍ୟରେ ଖେଳାଯାଇଥିବା ସମୁଦାୟ ମ୍ୟାଚର ଫଳାଫଳକୁ ଯଦି ବିଚାରକୁ ନିଆଯାଏ ତାହେଲେ ଦୁଇ ଦେଶ ମଧ୍ୟରେ ଅଦ୍ୟାବଧି ୧୨୧ଟି ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ଭାରତ ୬୧ଟିରେ ବିଜୟୀ ହୋଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୫୬ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଅମିଂମାସିତ ରହିଥିଲା। ମ୍ୟାଚ୍ ଅମିଂମାସିତ କ୍ଷେତ୍ରରେ ଓ୍ବେଷ୍ଟଇଣ୍ଡିଜ ଆଗରେ : ଓ୍ବେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ଖେଳିଥିବା ୯ଟି ଲେଖାଏଁ ମ୍ୟାଚ୍ ଅମିଂମାସିତ କରି ଏହି କ୍ଷେତ୍ରରେ ସବୁଠୁ ଆଗରେ ରହିଥିବାବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ୮ଟି ମ୍ୟାଚ୍ ଅମିଂମାସିତ ରଖିଛି। ସୂଚନାଯୋଗ୍ୟ ଯେ, ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟ ୮ଟି ଲେଖାଏଁ ମ୍ୟାଚ୍ ଅମିଂମାସିତ ରଖିଛନ୍ତି। ଜିମ୍ବାଓ୍ବେ ୭ଟି ମ୍ୟାଚ୍ ଅମିଂମାସିତ ରଖିଛି। ବିଶ୍ବରେ କ୍ରିକେଟ ଖେଳୁଥିବା ସମୁଦାୟ ୨୭ଟି ଟିମ୍ ମଧ୍ୟରୁ ୧୪ଟି ଟିମ୍ ଗୋଟିଏ ମଧ୍ୟ ମ୍ୟାଚ୍ ଅମିଂମାସିତ ରଖିନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.