ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନିକିଆ; ସିରିଜରେ ଆଗୁଆ ରହିବା ଲକ୍ଷ୍ୟରେ ଉଭୟ ଦଳ
29/10/2018 at 10:26 AM

ମୁମ୍ବାଇ ୨୯|୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଆଜି ଚତୁର୍ଥ ଦିନିକିଆ ଖେଳାଯିବ । ମୁମ୍ବାଇ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ସିରିଜ ଏବେ ରୋଚକ ସ୍ଥିତିରେ ରହିଛି। ପ୍ରଥମ ମ୍ୟାଚକୁ ଭାରତ ଜିତିଥିବାବେଳେ ବିଶାଖାପାଟଣା ଦିନିକିଆ ଟାଇ ରହିଥିଲା। ପୁଣେ ମ୍ୟାଚକୁ ୱେଷ୍ଟଇଣ୍ଡିଜ ଜିତି ନେଇଥିଲା। ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ଆଜିର ମ୍ୟାଚକୁ ଜିତି ସିରିଜରେ ଆଗୁଆ ରହିବା ଲକ୍ଷ୍ୟରେ ରହିବେ ଉଭୟ ଦଳ। ତେଣୁ ଆଜି ଆଉ ଏକ କଡାମୁକାବିଲା ଦେଖିବାକୁ ମିଳିବ । ଭାରତ ପାଇଁ ଚିନ୍ତାର କାରଣ ସାଜିଛି ଏହାର ବ୍ୟାଟିଂ କମ୍ବିନେସନ। ଦଳର ମଧ୍ୟମକ୍ରମ ଏବେ ବି ମୁଣ୍ଡବିନ୍ଧାର କାରଣ ସାଜିଛି। ୪ନଂ ସ୍ଥାନେର ଯଦିଓ ରାୟୁଡୁଙ୍କ ପ୍ରଦର୍ଶନ ସ୍ଥିର ରହିଛି ତେବେ ୫ନଂ ୬ନଂ ୭ନଂ ସ୍ଥାନରେ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ଉତ୍ସାହ ଜନକନୁହଁ। କେଦାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ଓ ଧୋନୀଙ୍କ ଖରାପ ଫର୍ମ ଭାରତର ମଧ୍ୟମକ୍ରମର ଦୁର୍ବଳତାକୁ ପଦାକୁ ଆଣିଛି। ଦଳର ବିଜୟ ଏବେ ବି ପ୍ରାରମ୍ଭିକ ତିନି ବ୍ୟାଟସମ୍ୟାନ ଉପରେ ପୂରା ନିର୍ଭରଶୀଳ। ତେବେ ଆଜିର ମ୍ୟାଚର କେଦାର ଯାଦବ ଖେଳିବାର ସମ୍ଭାବନା ରହିଛି। ଯାଦବ ଫ୍ୟାକ୍ଟର ମ୍ୟାଚ ଜିତାଇବାରେ କେତେ ସଫଳ ହେଉଛି ତାରି ଉପରେ ରହିବ କ୍ରିକେଟ୍ ପ୍ରେମୀଙ୍କ ନଜର।
ସମ୍ଭାବ୍ୟ ଭାରତୀୟ ଦଳରେ ରହିଛନ୍ତି ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ଋଷବ ପନ୍ତ/କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା।
ସେହିପରି ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ୍ ଦଳରେ ଜାସନ ହୋଲ୍ଡର (ଅଧିନାୟକ), ଚନ୍ଦ୍ରପଲ ହେମରାଜ, କିରନ ପାଓ୍ବେଲ୍, ସାଇ ହୋପ୍, ସିମରନ୍ ହେଟମେୟର, ମାର୍ଲନ ସାମୁଏଲ୍ସ, ରଭମନ ପାୱେଲ, ଫାବିଆନ୍ ଆଲିନ୍, ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ସିମରନ୍ ହେଟମେୟର, ସାଇ ହୋପ୍, ଆସଲେ ନର୍ସ, ଓବିଦ ମ୍ୟାକଏ, କେମାର ରୋଚ୍।