India Vs Srilanka Series: କାହିଁକି ଭାରତୀୟ ଦଳରୁ ବାଦ୍ ପଡିଲେ ଋଷଭ ପନ୍ତ ?

Published By : Prameya-News7 Bureau | December 28, 2022 IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଜାନୁଆରୀ ୩ରୁ ଆରମ୍ଭ ହେଉଥିବା ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି। ଏଥିରେ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କୁ ସାମିଲ୍ କରାଯାଇ ନାହିଁ। ତାଙ୍କୁ ଟି-୨୦ ଏବଂ ଦିନିକିଆ ଦଳରୁ ବାଦ୍ ଦିଆଯାଇଛି। ପନ୍ତ ନିକଟରେ ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ୯୩ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହା ପରେ ବି ତାଙ୍କୁ ଶ୍ରୀଲଙ୍କା ବିପକ୍ଷରେ ସ୍ଥାନ ନମିଳିବା ପ୍ରଶଂସକଙ୍କୁ ନିରାଶ କରିଛି। ଦିନିକିଆ ଏବଂ ଟି-୨୦ରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିବା କୁହାଯାଉଛି।

ଶ୍ରୀଲଙ୍କା ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଇଶାନ କିଷନ ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ଦିନିକିଆ ପାଇଁ ରାହୁଲ ଏବଂ ଇଶାନଙ୍କୁ ଓ୍ଵିକେଟ୍ କିପର ଭାବେ ଦଳରେ ଚୟନ କରାଯାଇଛି। ପନ୍ତଙ୍କ ଦଳରୁ ବାଦ୍ ପଡିବା ନେଇ ଭିନ୍ନ ଭିନ୍ନ ପ୍ରକାରର ଅନୁମାନ କରାଯାଉଛି। ତେବେ ପିଟିଆଇ ଅନୁଯାୟୀ,ପନ୍ତ ଆହତ ଅଛନ୍ତି। ସେ ଆଣ୍ଠୁଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ଯୋଗ ଦେବାକୁ କୁହାଯାଇଛି। ତେବେ ବିସିସିଆଇ ପକ୍ଷରୁ ଅଦ୍ୟାବଧି କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ପନ୍ତ ନିଜର ଅନ୍ତର୍ଜାତୀୟ କ୍ୟାରିୟର ୨୦୧୭ରେ କରିଥିଲେ। ସେ ଏ ପର୍ଯ୍ୟନ୍ତ ୩୩ ଟେଷ୍ଟ, ୩୦ ଦିନିକିଆ ଏବଂ ୬୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି କ୍ରମଶଃ ୨୨୭୧ ରନ, ୮୬୫ ରନ ଏବଂ ୯୮୭ ରନ କରିଛନ୍ତି। ପନ୍ତ ଟେଷ୍ଟ କ୍ରିକେଟ୍‌ରେ ଯେମିତି ଦମଦାର ପ୍ରଦର୍ଶନ କରିଛନ୍ତି, ସେହିଭଳି ପ୍ରଦର୍ଶନ ସୀମିତ ଓଭର କ୍ରିକେଟ୍‌ରେ କରିବାରେ ବିଫଳ ହୋଇଛନ୍ତି। ଟେଷ୍ଟରେ ତାଙ୍କର ବ୍ୟାଟିଂ ହାର ୪୩.୬୭ ରହିଥିବା ବେଳେ ଦିନିକିଆରେ ୩୪.୬୦ ଏବଂ ଟି-୨୦ରେ ମାତ୍ର ୨୨.୪୩ ରହିଛି। ପନ୍ତ ଟେଷ୍ଟରେ ୫ ଶତକ ଏବଂ  ୧୧ ଅର୍ଦ୍ଧଶତକ  ହାସଲ କରିଛନ୍ତି। ହେଲେ ଦିନିକିଆରେ କେବଳ ଗୋଟିଏ ଶତକ ଏବଂ ୫ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ପନ୍ତଙ୍କ ନାମରେ କେବଳ ତିନୋଟି ଅର୍ଦ୍ଧଶତକ ରହିଛି। ସୀମିତ ଓଭର କ୍ରିକେଟ୍‌ରେ ପ୍ରଦର୍ଶନରେ ନିରନ୍ତରତା ଅଭାବରୁ ପନ୍ତଙ୍କୁ ଦଳରୁ ବାଦ୍ ଦିଆଯାଇଥିବା କ୍ରିକେଟ୍ ବିଶେଷଜ୍ଞ ମତପୋଷଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.