ଏସିଆ କପ୍ : ଆଜି ପୁଣି ଭାରତ-ପାକିସ୍ତାନ ଲଢେଇ

Published By : Prameya-News7 Bureau | September 23, 2018 IST

ଦୁବାଇ ୨୩|୯: ଏସିଆ କପ୍ ର ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଅପରାହ୍ନ ୫ଟାରେ ମ୍ୟାଚ୍ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ, ଏସିଆ କପ୍ ର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଦୁଇଟି ଯାକ ମ୍ୟାଚ୍ ଜିତିଥିବାବେଳେ ସୁପର-୪ ପର୍ଯ୍ୟାୟରେ ଅଦ୍ୟାବଧି ଖେଳାଯାଇଥିବା ଗୋଟିଏ ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ୬ରାଷ୍ଟ୍ରୀୟ ବିଶିଷ୍ଟ ଏସିଆ କପ୍ ରେ ଭାରତର ଉଭୟ ବୋଲିଂ ଏବଂ ବ୍ୟାଟିଂ ମଜଭୁତ ସ୍ଥିତିରେ ରହିଛି । ବିରାଟ କୋହଲିଙ୍କ ଅନୁପସ୍ଥିତି ସତ୍ତ୍ବେ ଦଳ ଭଲ ପ୍ରଦର୍ଶନ କରିଆସୁଛି । ଏସିଆ କପ୍ ର ପ୍ରଥମ ମ୍ୟାଚ୍ ରେ ହଂକଂ ସହିତ ଭାରତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଖେଳିଥିଲା । ହଂକଂ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିଲେ ମଧ୍ୟ ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଦଳ ସଂଘର୍ଷ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ପାକିସ୍ତାନ ସହିତ ୨ୟ ମ୍ୟାଚ୍ ରେ ଭାରତୀୟ ଖେଳାଳୀମାନେ ଲୟକୁ ଫେରିଥିଲେ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୮ଓ୍ବିକେଟ୍ ରେ ପରାସ୍ତ କରିଥିଲା । ସେହିଭଳି ସୁପର-୪ର ପ୍ରଥମ ମ୍ୟାଚ୍ ରେ ବାଂଲାଦେଶକୁ ଭାରତ ୭ଓ୍ବିକେଟ୍ ରେ ମାତ୍ ଦେଇଥିଲା । ଭାରତର ଓପନିଂ ଯୋଡି ଶିଖର ଧାଓ୍ବନ୍ ଏବଂ ରୋହିତ ଶର୍ମା ବେଶ୍ ଭଲ ଫର୍ମରେ ରହିଥିବାବେଳେ ମଧ୍ୟକ୍ରମ ମଧ୍ୟ ମଜଭୁତ ସ୍ଥିତିରେ ରହିଛି । ବାଂଲାଦେଶ ସହିତ ମ୍ୟାଚ୍ ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଥିଲା । ଫଳରେ ବାଂଲାଦେଶର ସ୍କୋରକୁ ଭାରତ ୧୭୩ ରନ୍ ରେ ସୀମିତ ରଖିପାରିଥିଲା । ଏସିଆ କପ୍ ର ପ୍ରଥମ ମ୍ୟାଚ୍ ଖେଳିଥିବା ରବୀନ୍ଦ୍ର ଜାଡେଜା ମାତ୍ର ୩୪ରନ୍ ଦେଇ ୪ଟି ଓ୍ବିକେଟ୍ ହାସଲ କରିଥିବାବେଳେ ଭୁବନେଶ୍ବର କୁମାର ଓ ଯଶପ୍ରୀତ ବୁମରା ୩ଟି ଲେଖାଏଁ ଓ୍ବିକେଟ୍ ହାସଲ କରିଥିଲେ । କୁଲଦୀପ୍ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରିଥିଲେ । ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ଗୁରୁବାର ଦିନ ଆଫଗାନସ୍ତାନ ଠାରୁ ରୋମାଞ୍ଚକର ବିଜୟ ହାସଲ କରିଛି । ଫଳରେ ପାକିସ୍ତାନର ମନୋବଳ ବୃଦ୍ଧି ପାଇଛି । ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ସାମ୍ଭାବ୍ୟ ଭାରତୀୟ ଦଳ ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ବାନ, ଅମ୍ବାତି ରାୟିଡୁ, ଦୀନେଶ କାର୍ତ୍ତିକ, ମହେନ୍ଦ୍ର ସିଂ ଧୋନୀ, କେଦାର ଯାଦବ, ଦୀପକ ଚହର, ମନୀଷ ପାଣ୍ଡେ, ଭୁବନେଶ୍ବର କୁମାର, କୁଲଦୀପ୍ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ଯଶପ୍ରୀତ୍ ବୁମରା । ସମ୍ଭାବ୍ୟ ପାକିସ୍ତାନ ଦଳ ସରଫରାଜ ଅହମ୍ମଦ (ଅଧିନାୟକ), ଇମାମ ଉଲ୍ ହକ୍, ବାବର ଆଜମ୍, ସୋୟେବ ମଲ୍ଲିକ, ଆସିଫ୍ ଅଲ୍ଲୀ, ସଦାବ ଖାନ୍, ଫହିମ ଅସରଫ, ମହମ୍ମଦ ଆମିର, ହାସନ ଅଲ୍ଲୀ, ଉସମାନ ଖାନ୍, ସାହିନ୍ ଆଫ୍ରିଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.