ଏସିଆ କପ୍ ୨୦୨୩: ଅପରାହ୍ନରେ ଭାରତ-ପାକିସ୍ତାନ ଟକ୍କର, ବର୍ଷା ଆଶଙ୍କା
10/09/2023 at 9:03 AM

କଲମ୍ବୋ,୧୦/୦୯: ରବିବାର ଏସିଆ କପ୍ ହେବ ସୁପର ଫାଇଟ୍ । ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ଏକ ମହାମୁକାବିଲା । ଶ୍ରୀଲଙ୍କାର ପ୍ରେମଦାସ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଖେଳାଳି ଯିବ ମ୍ୟାଚ୍ । ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚ୍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଦ୍ୱିତୀୟ ମୁକାବିଲାକୁ ନେଇ ଉଭୟ ଦେଶର କ୍ରିକେଟ୍ ପ୍ରଶଂସକ ବେଶ ଉତ୍ସାହ ହୋଇଛନ୍ତି । ଏହି ମ୍ୟାଚ୍ରେ ବି ବର୍ଷା ବାଧକ ସାଜିବାର ସମ୍ଭାବନା ରହିଛି । ଏଥିପାଇଁ ଅତିରିକ୍ତ ଦିବସର ବ୍ୟବସ୍ଥା ରହିଛି ।
ସୁପର-୪ରେ ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ହରାଇଛି । ରବିବାର ବିଜୟୀ ହେଲେ ଦଳ ଫାଇନାଲରେ ପ୍ରବେଶ କରିବ । ଭାରତ କିନ୍ତୁ ପ୍ରଥମ ମ୍ୟାଚ୍ ଖେଳିବ । ପାକିସ୍ତାନର ବୋଲିଂ ବାହିନୀକୁ ସାମ୍ନା କରିବା ନେଇ ଦଳ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। ଲୋକେଶ ରାହୁଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ ରହିଛି । ସେମିତି ଯଶପ୍ରୀତ ବୁମରା ପୁଣି ଦଳରେ ଯୋଗ ଦେଇ ସାରିଛନ୍ତି । ରବିବାର ଭାରତୀୟ ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ବାହିନୀ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।
ସହିନ ଶାହ ଆଫ୍ରିଦ୍, ନସିମ ଶାହା ଓ ହାରିଶ୍ ରୌଫ ପାକିସ୍ତାନ ବୋଲିଂ ବାହିନୀର ୩ ଘାତକ ପେସର । ଗତ ୨ ତାରିଖରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟାସ ଆୟାରଙ୍କୁ ସହଳ ଆଉଟ୍ କରି ସ୍ଥିତି ଦୋହଲାଇ ଦେଇଥିଲେ । କିନ୍ତୁ ମଧ୍ୟଭାଗରେ ଇଶାନ କିଷନ ଓ ହାର୍ଦ୍ଦିନ ପାଣ୍ଡ୍ୟା ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ।
ପୁଣି ସୁପର-୪ରେ ଭାରତୀୟ ବ୍ୟାଟର ପାକ୍ର ଘାତକ ପେସରଙ୍କୁ ସାମ୍ନା କରିବେ । ଯାହା ଏବେ ରୋହିତବାହିନୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ପାକ୍ ବୋଲରଙ୍କ ଚମତ୍କାର ସୁଇଂ ସାଙ୍ଗକୁ ଆକର୍ଷଣୀୟ ଲାଇନ ଲେଙ୍ଗଥ୍ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିଲା । କିନ୍ତୁ ଯୁବ ଓପନର ଶୁଭମନ ଗିଲ ରବିବାର ମ୍ୟାଚ୍ ପାଇଁ ବେଶ ଭଲ ଭାବେ ପ୍ରସ୍ତୁତ ହୋଇଛନ୍ତି । ଦୀର୍ଘ ସମୟ ସେ ନେଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ।
ଅଧିନାୟକ ବାବର ଆଜାମ ନିଜ ବୋଲିଂବାହିନୀକୁ ନେଇ ବେଶ ଉତ୍ସାହିତ ରହିଛନ୍ତି । ବ୍ୟାଟିଂରେ ମଧ୍ୟ ନିଜେ ବାବର ଭଲ ଫର୍ମରେ ଅଛନ୍ତି । ସେମିତି ମହମ୍ମଦ ରିଜୱାନ, ଇଫତିକାର ଅହମ୍ମଦ ଓ ଇମାମ-ଉଲ-ହକ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ।