ଶେଷ ଦିନିକିଆ: ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ, ମଧ୍ୟକ୍ରମ ଉପରେ ନଜର
23/01/2023 at 4:25 PM

ନୂଆଦିଲ୍ଲୀ: ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଉତ୍ସାହିତ ଭାରତୀୟ ଦଳ ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ଖେଳିବ। ଶେଷ ମ୍ୟାଚ୍ ଜିତି ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟ ନେଇ ଆସନ୍ତକାଲି ମଇଦାନକୁ ଓହ୍ଲାଇବ ରୋହିତଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଶୃଙ୍ଖଳା ନିଜ ନାମରେ କରିବା ପରେ ଭାରତ ଶେଷ ମ୍ୟାଚ୍ରେ ଚୂଡାନ୍ତ ଏକାଦଶରେ କିଛିଟା ପରିବର୍ତ୍ତନ କରିପାରେ।
ଓପନିଂରେ ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦମଦାର ପ୍ରଦର୍ଶନ କରିଛନ୍ତି। ମଧ୍ୟକ୍ରମରେ ବ୍ୟାଟରମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିନାହିଁ। ଏମିତିରେ ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଶେଷ ଦିନିକିଆରେ ପରିସ୍ଥିତି ଅନୁସାରେ ବ୍ୟାଟିଂ କରିବାକୁ ପଠାଯାଇପାରେ।

ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କଠୁ ଭଲ ଇନିଂସର ଆଶା କରାଯାଉଥିଲା। ମାତ୍ର ଟି-୨୦ରେ ଏକ ନମ୍ବର ବ୍ୟାଟର ସୂର୍ଯ୍ୟ ଦିନିକିଆରେ ଏ ପର୍ଯ୍ୟନ୍ତ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି। ଭାରତକୁ ଚଳିତ ସପ୍ତାହରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ। ତେଣୁ ଦଳ ପ୍ରବନ୍ଧକ ଶେଷ ଦିନିକିଆରେ କିଛି ଖେଳାଳିଙ୍କୁ ବିଶ୍ରାମ ଦେଇପାରେ। ରଜତ ମଙ୍ଗଳବାର ମ୍ୟାଚ୍ରେ ପାଟିଦାରଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିପାରେ। ପାଟିଦାର ଘରୋଇସ୍ତରରେ ନିଜ ପ୍ରଦର୍ଶନରେ ସଭିଙ୍କୁ ପ୍ରଭାବିତ କରିଛନ୍ତି।

ବୋଲିଂରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ। ଦ୍ରୁତ ବୋଲର ଉମରାନ ମଲିକ୍ ଏବଂ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସ୍ପିନର ମଧ୍ୟ ନିଜର ଭୂମିକା ତୁଲାଇବାରେ ସଫଳ ହୋଇଛନ୍ତି।
ଏ ଖବର ପଢନ୍ତୁ- ଖେଳାଳି ନୁହନ୍ତି ଦେଶର ନେତା ଚଳାଉଛନ୍ତି ଏହି ୬ ବଡ଼ ଖେଳ, କିଏ ମୁଖ୍ୟମନ୍ତ୍ରୀ ତ ଆଉ କିଏ ସାଂସଦ
ତେବେ ଶେଷ ଦିନିକିଆ ଜିତି ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ କ୍ଲିନସୁଇପ୍ ହେବାରୁ ବର୍ତ୍ତିବାକୁ ଚେଷ୍ଟା କରିବ। ଫଳରେ ଦଳ ଟି-୨୦ ଶୃଙ୍ଖଳା ପୂର୍ବରୁ ନିଜର ମନୋବଢ ବଢାଇବାକୁ ଚାହିଁବ। ଦଳରେ ପୂର୍ବତନ ଅଧିନାୟକ କେନ୍ ଓ୍ଵିଲିୟମନସନଙ୍କ ଅନୁପସ୍ଥିତି ଅନୁଭୂତ ହେଉଛି।ଦଳର ବ୍ୟାଟିଂ କ୍ରମରେ ଏ ପର୍ଯ୍ୟନ୍ତ ମାଇକେଲ୍ ବ୍ରେସଓ୍ଵେଲ ପ୍ରଭାବ ଛାଡିବାରେ ସଫଳ ହୋଇଛନ୍ତି। ତାଙ୍କ ବ୍ୟତୀତ ମିଚେଲ୍ ସାଣ୍ଟନର ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ହୋଲକର ଷ୍ଟାଡିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥାଏ। ଏଠାରେ ବ୍ୟାଟରଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ବୋଲରଙ୍କୁ କଡା ପରିଶ୍ରମ କରିବାକୁ ପଡିବ।
ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁବମାନ ଗିଲ୍, ଇଶାନ କିଷନ(ଓ୍ଵିକେଟ୍ କିପର), ବିରାଟ କୋହଲି, ରଜତ ପାଟିଦାର, ସୂର୍ଯ୍ୟକୁମାର ଯାଦବ, କେଏସ ଭରତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଓ୍ଵାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଉମରାନ ମଲିକ୍।