ଟି-୨୦ ବିଶ୍ୱକପ୍ ୨୦୨୪ : ଭାରତ ଖେଳିବ ପ୍ରଥମ ମ୍ୟାଚ୍, ନାସାଉ ଗ୍ରାଉଣ୍ଡରେ ଆୟର୍ଲାଣ୍ଡ ଭେଟିବ

Published By : Prameya-News7 Bureau | June 05, 2024 IST

ମୁମ୍ବାଇ ୦୫।୦୯ : ୧୭ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଅଗଣିତ ଭାରତୀୟଙ୍କୁ ବିଶ୍ୱକପ୍‌ ଟ୍ରଫି ଭେଟିଦେବା ଲକ୍ଷ୍ୟରେ ‘ଟିମ୍‌ ଇଣ୍ଡିଆ । ବୁଧବାର ଦିନ ନିଜର ୨୦୨୪ ଟି-୨୦ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ସମ୍ମୁଖରେ ରହିଛି ଆୟର୍ଲାଣ୍ଡ । ଏପର୍ଯ୍ୟନ୍ତ ଭାରତକୁ ହରାଇ ନଥିଲେ ହେଁ ଆୟର୍ଲାଣ୍ଡ ନିକଟରେ ବିପର୍ଯ୍ୟୟ ଘଟାଇବା ପାଇଁ ଯଥେଷ୍ଟ କ୍ଷମତା ରହିଛି । ନ୍ୟୁ ୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡ଼ିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ ମ୍ୟାଚ୍‌ ।

ଗ୍ରୁପ୍‌-ଏ’ର ଏହି ମ୍ୟାଚ୍‌କୁ ନେଇ ଦର୍ଶକ ମହଲରେ ଭରପୁର ଉତ୍କଣ୍ଠା ପ୍ରକାଶ ପାଇଛି । ଆମେରିକାରେ ବହୁ ଭାରତୀୟ ଅବସ୍ଥାନ କରୁଥିବାରୁ ବୁଧବାର ନୀଳ ଜର୍ସିରେ ଷ୍ଟାଡ଼ିୟମ୍‌ ପୂର୍ଣ୍ଣ ହେବା ନିଶ୍ଚିତ।  ଦକ୍ଷତା, ଅଭିଜ୍ଞତା ଓ ନିକଟ ଅତୀତର ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିବା ସ୍ୱାଭାବିକ । ମାତ୍ର ଆୟର୍ଲାଣ୍ଡକୁ ହାଲ୍‌କା ଭାବେ ନେବାକୁ ଦଳ ଚାହୁଁ ନଥିବା କୋଚ୍‌ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଦେଇଛନ୍ତି । ପେସ ବୋଲର ଜୋଶୁଆ ଲିଟିଲ,ହ୍ୟାରୀ ଟେକ୍ଟର, ଅଧିନାୟକ ପଲ୍‌ ଷ୍ଟର୍ଲିଂ, ଆଣ୍ଡି ବାଲବରିନଙ୍କ ଭଳି ପ୍ରତିଭାବାନ ଖେଳାଳି ଭାରତ ପାଇଁ ଚିନ୍ତା ସୃଷ୍ଟି କରିପାରନ୍ତି । ଯୁବ ଓ ଅଭିଜ୍ଞଙ୍କୁ ନେଇ ଭାରତ ଏକ ସନ୍ତୁଳିତ ଦଳ ଗଠନ କରିଛି । ମାତ୍ର ଏକାଦଶ ଚୟନ କରିବା କାଠିକର ପାଠ ହୋଇଛି।

ଆଇପିଏଲ୍‌ର ପ୍ରଦର୍ଶନକୁ ଦେଖି ବିରାଟ କୋହଲିଙ୍କୁ ଓପନ୍‌ କରାଇବାକୁ ଅନେକ ପୂର୍ବତନ ଖେଳାଳି ପରାମର୍ଶ ଦେଉଛନ୍ତି । ଏହା ସମ୍ଭବ ହେଲେ ଭାରତ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଏକତ୍ର ଖେଳାଇ ପାରିବ । ମାତ୍ର ଟିମ ମ୍ୟାନେଜମେଣ୍ଟ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିବାକୁ ଚାହୁଁନାହିଁ । ରିଷଭ ପନ୍ତ ଓ ସଞ୍ଜୁ ସାମସନଙ୍କୁ ନେଇ ଡ୍ରେସିଂ ରୁମ୍‌ରେ ଜୋରଦାର ଆଲୋଚନା ହେବା ନିଶ୍ଚିତ । ପନ୍ତ ଗତ ଅଭ୍ୟାସ(ବାଂଲାଦେଶ ବିପକ୍ଷ) ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତେଣୁ ତାଙ୍କୁ ପ୍ରାଥମିକତା ମିଳିପାରେ । ବୋଲିଂ ବିଭାଗ ନିଶ୍ଚିତ ହୋଇଯାଇଛି । ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ପେସ୍‌ ବିଭାଗ ସମ୍ଭାଳିବେ । ଏହା ସମ୍ଭବ ହେଲେ ଭାରତ ୩ଜଣ ସ୍ପିନର (ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ କୁଲଦୀପ ଯାଦବ)ଙ୍କୁ ଖେଳାଇପାରିବ । ନାସାଉ କାଉଣ୍ଟି ଗ୍ରାଉଣ୍ଡର ପିଚ୍‌ ଓ ଆଉଟ୍‌ ଫିଲ୍ଡକୁ ନେଇ କୋଚ ଦ୍ରାବିଡ ପୂର୍ବରୁ ଅସନ୍ତୋଷ ପ୍ରକଟ କରିଛନ୍ତି । ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ବ୍ୟାଟିଂ କଷ୍ଟକର ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମାତ୍ର ୭୭ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା । ତେଣୁ ଭାରତୀୟ ବ୍ୟାଟରମାନଙ୍କୁ ସତର୍କତାର ସହ ବ୍ୟାଟିଂ କରିବାକୁ ହେବ।

 ସମ୍ଭାବ୍ୟ ଦଳ ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ । 

ଆୟର୍ଲାଣ୍ଡ: ଆଣ୍ଡି ବାଲବରିନ, ପର୍ଲ ଷ୍ଟର୍ଲିଂ(ଅଧିନାୟକ), ଲୋର୍କାନ ଟକ୍କର, ହ୍ୟାରୀ ଟେକ୍ଟର, କର୍ଟିସ କାମ୍ଫର, ଜର୍ଜ ଡକରେଲ, ଗ୍ୟାରେଥ ଡେଲାନି, ମାର୍କ ଆଡେୟର, ବ୍ୟାରୀ ମ୍ୟାକକାର୍ଥୀ, ଜୋଶ ଲିଟିଲ, ବେନ ହ୍ୱାଇଟ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.