‘ଭାରତ ନା ଇଣ୍ଡିଆ’; ପୂର୍ବରୁ ଦାୟର ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ
6/09/2023 at 1:44 PM

ନୂଆଦିଲ୍ଲୀ: ଭାରତ ନା ଇଣ୍ଡିଆ । ‘ମନ ଯାହା କହୁଛି, ତାହା କୁହ’ । ପୂର୍ବରୁ ଏମିତି କିଛି କହିଛନ୍ତି ସୁପ୍ରିମକୋର୍ଟ । ଦେଶର ନାଁ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରି ଏଭଳି କିଛି କହିଛନ୍ତି । ୨୦୧୪ରେ ଇଣ୍ଡିଆ ନାଁ ବଦଳାଇ ଭାରତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ କହିଥିଲେ । ସୁପ୍ରିମକୋର୍ଟଙ୍କ ତତ୍କାଳୀନ ପ୍ରଧାନ ବିଚାରପତି ଏଚ୍.ଏଲ୍ ଦତ୍ତୁ ଏବଂ ଜଷ୍ଟିସ୍ ଏ.କେ ସିକ୍ରି ଆବେଦନକାରୀ ନିରଂଜନ ଭଟୱାଲଙ୍କୁ ଏହି ପ୍ରସଙ୍ଗରେ ପ୍ରଥମେ ସରକାରଙ୍କ ସମ୍ପୃକ୍ତ ବିଭାଗ ନିକଟକୁ ଯିବାକୁ କହିଥିଲେ।
ଏହି ମାମଲାରେ, ୨୦୧୫ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ, ଯେ ଇଣ୍ଡିଆ ବଦଳରେ ଦେଶକୁ ଭାରତ ବୋଲି କହିବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୋର୍ଟଙ୍କୁ କହିଥିଲେ, ଦେଶର ନାମ ପ୍ରସଙ୍ଗରେ ଲୋକସଭାରେ ବିସ୍ତୃତ ଭାବେ ବିତର୍କ ହୋଇଥିଲା ଏବଂ ଧାରା-୧ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଏଥିରେ କୁହାଯାଇଥିଲା, ସମ୍ବିଧାନର ମୂଳ ଡ୍ରାଫ୍ଟରେ ‘ଭାରତ’ ନାମ ଅନ୍ତର୍ଭୂକ୍ତ କରାଯାଇ ନାହିଁ । ସମ୍ବିଧାନ ସଭାରେ ଚର୍ଚ୍ଚା ମଧ୍ୟରେ ଭାରତ, ଭାରତଭୂମୀ, ଭାରତବର୍ଷ, INDIA that is Bharat ଏବଂ Bharat that is India ଉପରେ ଆଲୋଚନା ହୋଇଥିଲା।
ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ବିକାଶ ସିଂ କହିଛନ୍ତି, ଭାରତ ଶବ୍ଦ ବ୍ୟବହାର କରିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାର କୌଣସି ଆବଶ୍ୟକତା ନାହିଁ। ଅନ୍ୟପଟେ ଲୋକସଭାର ପୂର୍ବତନ ସେକ୍ରେଟେରୀ ଜେନେରାଲ୍ ପିଡିଟି ଆଚାର୍ଯ୍ୟ କହିଛନ୍ତି, ଯଦି ଇଣ୍ଡିଆ ବଦଳରେ ଭାରତ ସବୁଆଡ଼େ କରାଯାଏ ତେବେ ସମ୍ବିଧାନରେ ସଂଶୋଧନ ଆବଶ୍ୟକ ହେବ।