ଭାରତ-ଆଫଗାନିସ୍ତାନ ସୁପର-୮ ମ୍ୟାଚ୍, ଟିମ୍ ଇଣ୍ଡିଆ ପାଇଁ ଆଫଗାନ୍ ସ୍ପିନ୍ ଚ୍ୟାଲେଞ୍ଜ

Published By : Prameya-News7 Bureau | June 20, 2024 IST

ମୁମ୍ବାଇ: ଗୁରୁବାରଠୁ ଟିମ୍ ଇଣ୍ଡିଆର ସୁପର-୮ ସଂଘର୍ଷ । ସୁପର-୮ ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନକୁ ଭେଟିବ ଭାରତ । ଆଜି ସଂଧ୍ୟାରେ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ।  ଗତ ୧୨ ତାରିଖରେ ଭାରତ ଲିଗ୍‌ ପର୍ଯ୍ୟାୟରେ  ୟୁଏସଏକୁ ଭେଟିଥିଲା । ଏହାପରେ ରୋହିତ ବାହିନୀକୁ ବିଶ୍ରାମ ପାଇଁ ଗୋଟିଏ ସପ୍ତାହ ସମୟ ମିଳିଥିଲା। ମାତ୍ର ଆଫଗାନିସ୍ତାନକୁ  ବିଶ୍ରାମ ପାଇଁ ସମୟ ମିଳିନାହିଁ । ୧୮ ତାରିଖରେ  ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଖେଳିବା ପରେ  ସୁପର-୮ ରାଉଣ୍ଡ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି । ତେଣୁ ଆଜିର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ   କରିବା କଷ୍ଟକର । ପୂର୍ବ ରେକର୍ଡକୁ ଦେଖିଲେ ଭାରତ ବେଶ୍‌  ଶକ୍ତିଶାଳୀ । ମାତ୍ର ଆଫଗାନିସ୍ତାନକୁ ହାଲ୍‌କା ଭାବେ ନେବା ବୋକାମି ।

ପ୍ରାଥମିକ  ଲିଗ୍‌ ପର୍ଯ୍ୟାୟରେ ଆଫଗାନିସ୍ତାନ ଚମତ୍କାର ପ୍ରଦର୍ଶନ  କରିଥିଲା । କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ଜିତି ଆଫଗାନିସ୍ତାନ ସୁପର-୮ରେ ପ୍ରବେଶ କରିଛି । ଅବଶ୍ୟ ଶେଷ ଲିଗ୍‌  ମ୍ୟାଚ୍‌ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।  ସଂଧ୍ୟାରେ ଭାରତର ଷ୍ଟାର୍‌ ବ୍ୟାଟର ଓ  ଆଫଗାନିସ୍ତାନର କୂଶଳୀ ସ୍ପିନରଙ୍କ ମଧ୍ୟରେ ଅସଲ  ଲଢ଼େଇ ହେବ । ବିରାଟ କୋହଲିଙ୍କ ଫର୍ମକୁ ନେଇ  ଭାରତୀୟ ଦଳ ସାମାନ୍ୟ ଚିନ୍ତାରେ ରହିଥିଲେ ହେଁ ଅନ୍ୟ ଖେଳାଳିମାନଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଥିବାରୁ   ଭାରତର ପଲା ଭାରି ରହିବ । ବ୍ୟାଟିଂ ବିଭାଗରେ ବିଶେଷ  ପରିବର୍ତ୍ତନ ସମ୍ଭାବନା ନାହିଁ । ଲିଗ୍‌ ପର୍ଯ୍ୟାୟ ଭଳି ରୋହିତ  ଓ କୋହଲି ପାଳି ଆରମ୍ଭ କରିବା ନିଶ୍ଚିତ । ବୋଲିଂ ବିଭାଗରେ ପରିବର୍ତ୍ତନ ହୋଇପାରେ । ଶିବମ ଦୁବେ  କିମ୍ବା ଜଣେ ପେସ୍‌ ବୋଲରଙ୍କୁ ବିଶ୍ରାମ ଦେଇ କୁଲଦୀପ  ଯାଦବଙ୍କୁ ଏକାଦଶରେ ସାମିଲ କରାଯାଇପାରେ ।  ସେପଟେ  ଆଫଗାନିସ୍ତାନ ଏକାଦଶ ଅପରିବର୍ତ୍ତିତ ରହିବ । 

ପୂର୍ବ ରେକର୍ଡକୁ ଦେଖିଲେ  ଭାରତର ବିଜୟ ସମ୍ଭାବନା ଅଧିକ । ଟି-୨୦ରେ ଟିମ୍ ଇଣ୍ଡିଆ ୮ଥର ଆଫଗାନିସ୍ତାନକୁ ଭେଟିଛି, ଏଥିରୁ ୭ଥର ଭାରତ ବିଜୟୀ ହୋଇଛି ।  ଗତ ଜାନୁଆରୀରେ ଉଭୟ ଦଳ  ୩ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ  ଖେଳାଯାଇଥିଲା । ଭାରତ ୩-୦ରେ  ସିରିଜ ଜିତିଥିଲା, କିନ୍ତୁ ଆଫଗାନିସ୍ତାନ  କଡ଼ା ଟକ୍କର ଦେଇଥିଲା । ତେଣୁ ଆସନ୍ତା କାଲି ମଧ୍ୟ  ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିପାରେ ।  କେନ୍‌ସିଙ୍ଗଟନ ଓଭାଲ ଗ୍ରାଉଣ୍ଡର ପିଚ୍‌ରେ  ସମସ୍ତଙ୍କୁ ପାଇଁ କିଛି ନା କିଛି ଫାଇଦା ଯୋଗାଇବ ।  ଏଠାରେ ସ୍ପିନରମାନେ ସଫଳ ହେବେ । ପେସ୍‌  ବୋଲରମାନେ ମଧ୍ୟ ପିଚ୍‌ର ଫାଇଦା ଉଠାଇବେ ।  ଏଠାରେ ପେସ୍‌ ବୋଲରମାନେ ୬୭ ପ୍ରତିଶତ  ୱିକେଟ୍‌ ନେବାର ରେକର୍ଡ ରହିଛି । ପ୍ରଥମେ ବ୍ୟାଟିଂ  କରିଥିବା ଦଳ ଏଠାରେ ୭୦ପ୍ରତିଶତ ମ୍ୟାଚ୍‌  ଜିତିଛନ୍ତି । ତେଣୁ ଆସନ୍ତା କାଲି ଟସ୍ ବିଜୟୀ ଦଳ  ପ୍ରଥମେ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.