ମାଲଗାଡ଼ି ୱାଗନର ଅଭାବରୁ ଚୀନ୍କୁ ରପ୍ତାନୀ ହେଇପାରୁ ନାହିଁ ନିମ୍ନମାନର ଲୁହା ପଥର!
27/09/2023 at 9:32 PM

ନୂଆଦିଲ୍ଲୀ: ଲଜିଷ୍ଟିକ୍ ସମସ୍ୟା ଯୋଗୁ ଚୀନକୁ ନିମ୍ନମାନର ଲୁହାପଥର ରପ୍ତାନୀ କରିପାରୁ ନାହିଁ ଭାରତର ଜାତୀୟ ଖଣିଜ ବିକାଶ ନିଗମ(ଏନ୍ଏମ୍ଡିସି)। ଏ ସମ୍ପର୍କରେ ଜ୍ଞାନ ରଖୁଥିବା ଜଣେ ବ୍ୟକ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି। ତେବେ ରୟଟର୍ସର ଏହି ରିପୋର୍ଟ ଉପରେ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ବ୍ୟକ୍ତି ଜଣଙ୍କ ସୂଚନା ଦେଇ କହିଛନ୍ତି ଯେ ଲୁହାପଥର ନେବାଆଣିବା କରିବାକୁ ଦେଶରେ ବହୁ ପରିମାଣରେ ୱାଗନ୍ର ଅଭାବ ରହିଛି। ତେଣୁ ଲୁହାପଥରକୁ ଦେଶ ଭିତରେ ପରିବହନ କରାଯାଇପାରୁ ନାହିଁ। ତେଣୁ ରପ୍ତାନୀରେ ସମସ୍ୟା ସୃଷ୍ଟି ହେଉଛି। ସୂଚନା ଅନୁସାରେ ଭାରତର ଲୁହାପଥର ରପ୍ତାନୀର ୮୦ ପ୍ରତିଶତ କେବଳ ଚୀନ ଆମଦାନୀ କରିଥାଏ। ତେଣୁ ଏ କ୍ଷେତ୍ରରେ ଚୀନ ହେଉଛି ଭାରତର ଏକ ବଡ଼ ଗ୍ରାହକ।
ଭାରତୀୟ ନିମ୍ନମାନର ଲୁହା ପଥର ଉତ୍ପାଦନ ବିଶେଷ କରି ବିଦେଶୀ ବଜାର ଉପରେ ନିର୍ଭର କରିଥାଏ। କାରଣ ଘରୋଇ ଷ୍ଟୀଲ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଉଚ୍ଚମାନର ଲୁହାପଥର ବ୍ୟବହାର କରନ୍ତି। ତେଣୁ ନିମ୍ନମାନର ଲୁହାପଥରକୁ ବିଦେଶ ବଜାରରେ ବିକ୍ରି କରାଯାଏ।
ତେବେ ଅନ୍ୟ ଏକ ଖବର ହେଲା ମଧ୍ୟ ପ୍ରଦେଶର ହୀରା ଉତ୍ପାଦନ ପାଇଁ ଜଙ୍ଗଲ ବିଭାଗ ଠାରୁ ଏନ୍ଏମ୍ଡିସି କ୍ଲିୟରାନ୍ସ ଆଣିବାକୁ ଲାଗିପଡ଼ିଛି। କମ୍ପାନୀର ୱେବ୍ସାଇଟ୍ରେ ଥିବା ସୂଚନା ଅନୁସାରେ, ପ୍ରତି ୧୦୦ ଟନ୍ କିମ୍ବରଲାଇଟ୍ ପ୍ରକ୍ରିୟାରୁ ୧୦ କ୍ୟାରେଟ୍ ହୀରା ଉତ୍ପାଦନ ହୋଇଥାଏ। ଅନ୍ୟପଟେ ଅଷ୍ଟ୍ରେଲିଆର ହାନକକ ପ୍ରୋସପେକ୍ଟିଂ ପିଟିୱାଇ ସହ ମିଶି ଲିଥିୟମ ଉତ୍ପାଦନ କରିବାକୁ ବି ଲକ୍ଷ୍ୟ ରଖିଛି କମ୍ପାନୀ।
ପଢ଼ନ୍ତୁ-କାନାଡ଼ାରୁ ମସୁର ଆମଦାନୀ କମିଲା; ଦର ବଢ଼ିବା ଆଶଙ୍କାରେ ଖାଉଟି ଓ ବ୍ୟବସାୟୀ, ଏବେ ଏହି ଦେଶରୁ ଡାଲି କିଣିବେ ଭାରତୀୟ ?