ଯାଧବ ମାମଲାରେ ପାକିସ୍ତାନର ଟାଳଟୂଳ ନୀତି, ଭାରତକୁ ପୁଣି ଥରେ ଯିବାକୁ ପଡିବ ICJ: ହରିଶ ସାଲଭେ

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୦୩।୦୫: ଗୁପ୍ତଚର ଓ ଆତଙ୍କବାଦ ଆରୋପରେ ଭାରତର ଅବସରପ୍ରାପ୍ତ ସେନା ଅଧିକାରୀ କୁଲଭୂଷଣ ଯାଧବ ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଅଛନ୍ତି। ଭାରତ ଆଶା କରିଥିଲା ଯେ, ବ୍ୟାକ୍ ଚ୍ୟାନେଲ ମାଧ୍ୟମରେ କୁଲଭୂଷଣ ଯାଧବଙ୍କୁ ପାକିସ୍ତାନ କବଳରୁ ମୁକ୍ତ କରିବାରେ ସକ୍ଷମ ହେବ। କିନ୍ତୁ ପାକିସ୍ତାନ ଏହି କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି।

ସାଲଭେ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ(ICJ)ରେ ଯାଧବ ମାମଲାରେ ଭାରତ ପାଇଁ ମୁଖ୍ୟ ଓକିଲ ଥିଲେ। ସେ ଦୃଢତାର ସହ ଆଇସିଜେରେ କୁଲଭୂଷଣ ଯାଧବଙ୍କ ମାମଲାରେ ପାକିସ୍ତାନର ମୁଖା ଖୋଲିଥିଲେ। ତାଙ୍କର ତର୍କକୁ ସ୍ଵୀକାର କରି ଆଇସିଜେ କୁଲଭୂଷଣଙ୍କୁ ପାକିସ୍ତାନର ସୈନ୍ୟ ଅଦାଲତ ଦେଇଥିବା ଫାଶୀ ଦଣ୍ଡକୁ ସ୍ଥଗିତ ରଖିଥିଲେ।

ରାଷ୍ଟ୍ରୀୟ ସ୍ଵଂୟ ସହାୟକ ସଂଘ(ଆରଏସଏସ) ସମ୍ବନ୍ଧିତ ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ଦ୍ଵାରା ଶନିବାର ଆୟୋଜିତ ଏକ ଅନ୍‌ଲାଇନ୍ କାର୍ଯ୍ୟକ୍ରମ ସମୟରେ ଲଣ୍ଡନରୁ ସାଲଭେ କହିଛନ୍ତି ଭାରତୀୟ ପକ୍ଷ ଏହା ପ୍ରଶ୍ନ କରିଛି ଯେ,  ପାକିସ୍ତାନ କେମିତି ଆଇସିଜେ ନିଷ୍ପତ୍ତିକୁ ପୂରା କରିବା ଏବଂ ସମୀକ୍ଷା କରିବ। ପାକିସ୍ତାନକୁ କୁଲଭୂଷଣ ଯାଧବ ମାମଲାରେ ପୁନର୍ବିଚାର କରିବାକୁ କୁହାଯାଇଛି, ମାତ୍ର କିଛି ଉତ୍ତର ମିଳିନାହିଁ।

ଆମେ ଆଶା କରୁଥିଲୁ ଯେ, ବ୍ୟାକ୍ ଚ୍ୟାନେଲ ମାଧ୍ୟମରେ ଆମେ ପାକିସ୍ତାନକୁ ଯାଧବଙ୍କୁ ମୁକ୍ତ କରିବାକୁ ରାଜି କରାଇ ପାରିବୁ। ମାନବିକତା ଆଧାରରେ ଆମେ କୁଲଭୂଷଣଙ୍କୁ ମୁକ୍ତ କରିବାକୁ ଚାହୁଁଛୁ। କାରଣ ପାକିସ୍ତାନରେ ସେନା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ସେଠାକାର ସାଂପ୍ରତିକ ସ୍ଥିତି ମଧ୍ୟ ଠିକ୍ ନାହିଁ।

ଆମେ ଏହି ମାମଲାରେ ପାକିସ୍ତାନକୁ ଚାରି-ପାଞ୍ଚ ଚିଠି ଲେଖିଛୁ। କିନ୍ତୁ କୌଣସି ସକରାତ୍ମକ ଉତ୍ତର ମିଳିନାହିଁ। ତେଣୁ ଆମକୁ ନିର୍ଣ୍ଣୟ ନେବାକୁ ପଡିବ ଯେ, କଣ ଆମକୁ ପୁଣି ଥରେ ଆଇସିଜେର ଦ୍ଵାରସ୍ଥ ହେବା ଉଚିତ୍। କାରଣ ପାକିସ୍ତାନ ଆଇସିଜେର ନିର୍ଦ୍ଦେଶକୁ ପାଳନ କରୁନାହିଁ ଏବଂ ପ୍ରକ୍ରିୟାକୁ ଆଗକୁ ବଢାଉନାହିଁ।

ସାଲଭେ କହିଛନ୍ତି ଆଇସିଜେର ନିର୍ଦ୍ଦେଶ ପରେ ପାକିସ୍ତାନ ଯାଧବଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଥିଲା ମାତ୍ର ତାହା ପୁଣି ବହୁତ ବିଳମ୍ବରେ। ପାକିସ୍ତାନ ପୂରା ଦୁନିଆକୁ ଜଣାଇଛି ଯେ, ସେମାନେ ଏହି କେସ୍‌  ଜିତି ଯାଇଛନ୍ତି। ଏବେ କହୁଛନ୍ତି ପାକିସ୍ତାନ କୋର୍ଟରେ ଆବେଦନ କରିବାକୁ ପଡିବ, ନଚେତ୍ ପାକିସ୍ତାନ ନିଜ ହିସାବରେ କେସ୍‌ ସମ୍ଭାଳିବ।

ଆମେ କହି ଆସିଛୁ ଯେ, ଆପଣ ଆଇସିଜେ ନିଷ୍ପତ୍ତିକୁ ଆଗକୁ ବଢାନ୍ତୁ ଏବଂ ଏହା ପରେ ଆମେ ସ୍ଥିତି ଅନୁଯାୟୀ ପଦକ୍ଷେପ ନେବୁ। କିନ୍ତୁ ପାକିସ୍ତାନ ଏହା କରିବାକୁ ମନା କରି ଦେଇଛି। ପାକିସ୍ତାନ ସହିତ ଭାରତର ତିକ୍ତାତା ଜାରି ରହିଛି ଏବଂ ଅନ୍ୟପଟେ କେସ୍‌କୁ ପାକିସ୍ତାନ ପକାଇ ରଖିଛି। ତେଣୁ ଭାରତକୁ ପୁଣି ଥରେ ଆଇସିଜେ ଯିବାକୁ ପଡିପାରେ ଏବଂ ଯାଧବଙ୍କୁ ନ୍ୟାୟ ଦେବାକୁ ପ୍ରୟାସ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.