ରାଜ୍ୟରେ ଆସନ୍ତା ଦୁଇଦିନ ଶୀତରୁ ନିସ୍ତାର ନାହିଁ - ସାରା ଭାରତରେ ଭୀଷଣ ଶୀତ ଲହରୀ

Published By : Prameya-News7 Bureau | December 29, 2019 IST

ନୂଆଦିଲ୍ଲୀ ୨୯।୧୨- ଉତ୍ତରଭାରତରେ ପ୍ରବଳ ଥଣ୍ଡାର ପ୍ରକୋପ । ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି ଶୀତ । ଦିଲ୍ଲୀରେ ଶୀତ ୧୨୦ ବର୍ଷର ରେକର୍ଡ ଭାଙ୍ଗିଲାଣି। ଦିଲ୍ଲୀ ବାସିନ୍ଦା ୧୦ ଦିନ ହେଲାଣି ପ୍ରବଳ ଶୀତରେ ଥରୁଛନ୍ତି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଉତ୍ତର, ପୂର୍ବ ଏବଂ ମଧ୍ୟ ଭାରତରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଶୀତଲହରୀର ପ୍ରକୋପ ଦେଖିବାକୁ ମିଳିବ । ଦୁଇ ଦିନ ଧରି ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ଉତ୍ତର ରାଜସ୍ଥାନକୁ ପ୍ରବଳରୁ ପ୍ରବଳତର ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି । ଏପରିକି ୩୧ ତାରିଖରୁ ୨ ତାରିଖ ମଧ୍ୟରେ ଦିଲ୍ଲୀରେ ବର୍ଷା ସମ୍ଭାବନା ରହିଛି।

ରାଜସ୍ଥାନ ମାଉଣ୍ଟ ଆବୁରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ଘନ କୁହୁଡ଼ି ସମସ୍ୟା ଯୋଗୁଁ ଦିଲ୍ଲୀରେ ଆଜି ୪ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ପଂଜାବ, ହରିୟାଣ, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତର ରାଜସ୍ଥାନରେ ପ୍ରବଳ କୁହୁଡ଼ି ହୋଇଛି। ଉତ୍ତରପ୍ରଦେଶରେ ମଧ୍ୟ ଶୀତ ଲହରି ପୂର୍ବ ରେକର୍ଡ ଭାଙ୍ଗିଛି।

{"id":203982,"width":565,"height":401,"sizeSlug":"large"}

ଲକ୍ଷ୍ନୌ, ବାଗପତ, ମିରଟ ଏବଂ ହାପୁରରେ ସମସ୍ତ ସ୍କୁଲ୍ କଲେଜ୍ ବନ୍ଦ ରହିଛି। ଅସହ୍ୟ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମଧ୍ୟପ୍ରଦେଶରେ ବର୍ଷା, କୁହୁଡ଼ି ଓ କାଲୁଆ ପବନ ଯୋଗୁଁ ସ୍ଥିତି ଅସହ୍ୟ ହୋଇପଡ଼ିଛି । ବିହାରରେ ଅତ୍ୟଧିକ ଥଣ୍ଡା ଯୋଗୁଁ ଯୀବନଯାତ୍ରା ପ୍ରଭାବିତ ହୋଇଛି । ସେପଟେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଉଚ୍ଚ ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ହେଉଛି । ସେହିପରି ଜାମ୍ମୁ କାଶ୍ମୀର ଓ ଲଦାଖରେ ମାଇନସ ୧୦ ରୁ ୧୫ ଡିଗ୍ରୀ ସେଲ୍ସିୟସ୍କୁ ଖସିଆସିଛି

ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ଦୁଇଦିନ ଶୀତରୁ ନିସ୍ତାର ନାହିଁ । ଭୀଷଣ ଶୀତ ଲହରୀରେ ଥରିବ ସାରା ଓଡ଼ିଶା। ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ଶୀତ ମାଡ଼ି ବସିବ । ଭୀଷଣ ଶୀତକୁ ଲକ୍ଷ୍ୟ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ଏସଆରସି ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି, ଶୀତ ଲହରୀ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ବ୍ଲକ, ତହସିଲ ଓ ପଞ୍ଚାୟତସ୍ତରରେ ଲୋକଙ୍କୁ ସଚେତନ କରାଇବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ଆବଶ୍ୟକ ସ୍ଥଳେ ଗରିବ ଓ ଘରହୀନ ଲୋକଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ କିମ୍ବା ସରକାରୀ ସ୍କୁଲ କିମ୍ବା ସରକାରୀ କୋଠାବାଡ଼ିରେ ରାତ୍ରି ରହଣୀ ବ୍ୟବସ୍ଥା କରାଯାଉ ।

{"id":203963,"sizeSlug":"large"}

ଶୁକ୍ରବାର ରାତିରେ ଉତ୍ତର ଦିଗରୁ କାଲୁଆ ପବନ ଏମିତି ବହିଲା, ହେମାଳ କରିଦେଲା । କେନ୍ଦୁଝରରେ ଆଜି ତୁଷାରପାତ ହୋଇଛି ବାଂଶପାଳ ବ୍ଲକରେ ପାରଦ ୩.୨ ଡିଗ୍ରୀକୁ ଖସି ଆସିଛି । କେନ୍ଦୁଝରରେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଥିଲା । ଶୁକ୍ରବାର ରାତିରେ ୫.୬ ଡିଗ୍ରୀକୁ ଖସି ଆସିଲା । ରାତିକରେ ଖସିଲା ୮.୪ ଡିଗ୍ରୀ । ୨୦୦୯ରୁ ଆଜି ପର୍ଯ୍ୟନ୍ତ ଡିସେମ୍ବରରେ କେନ୍ଦୁଝର ତାପମାତ୍ରା କେବେ ଏତେ ତଳକୁ ଖସିନଥିଲା । ଯଦିଓ ୨୦୧୪ ଡିସେମ୍ବର ୨୪ ତାରିଖରେ କେନ୍ଦୁଝରର ସର୍ବନିମ୍ନ ତାପମାତ୍ରା ୫.୯ ଡିଗ୍ରୀ ଥିଲା, ଆଜି ପାରଦ ଏହି ରେକର୍ଡକୁ ଭାଙ୍ଗିଛି । କେନ୍ଦୁଝରର କାଞ୍ଜିପାଣି, ବଖାଇ ଉପଖଣ୍ଡର କୋଇଡ଼ା ଓ ଟେନ୍‌ସାରେ ପ୍ରବଳ ଥଣ୍ଡା ସହ ଆଜି ସକାଳେ ତୁଷାତପାତ ହୋଇଛି । ଲୋକେ ଘରୁ ବାହାରି ପାରୁନାହାନ୍ତି ଥଣ୍ଡା ପାଇଁ ।


ସୋନପୁରରେ ଅଚାନକ ପାରଦ ଖସିଗଲା ୪ ଡିଗ୍ରୀ ସେଲସିୟସକୁ । ଏଠି ଦିନକ ତଳେ ପାରଦ ଥିଲା ୧୯.୨ ଡିଗ୍ରୀ ସେଲସିୟସ୍‌ । ଗୋଟିଏ ରାତି ଭିତରେ ପାରଦ ୧୧.୨ ଡିଗ୍ରୀ ଖସିଲା । ଏଥିରୁ ଅନୁମାନ କରାଯାଇପାରେ ଜନଜୀବନ କିଭଳି ଶୀତରେ କାଲୁଆ ପଡ଼ିଯାଇଥିବ ।

{"id":203983,"width":591,"height":282,"sizeSlug":"large"}


ଖାଲି ସୋନପୁର ନୁହେଁ, ଝାରସୁଗୁଡ଼ା ତାପମାତ୍ରା ବି ପୂର୍ବ ରାତି ତୁଳନାରେ ୧୧.୨ ଡିଗ୍ରୀ ଖସିଛି । ଗୁରୁବାର ରାତିରେ ଥିଲା ୧୭ ଡିଗ୍ରୀ । ଶୁକ୍ରବାର ରାତିରେ ଖସି ଆସିଲା ୫.୮ ଡିଗ୍ରୀକୁ । ଝାରସୁଗୁଡ଼ାରେ ପାରଦ ସ୍ୱାଭାବିକଠାରୁ ୬ ଡିଗ୍ରୀ କମ୍‌ ରହିଛି । ଝାରସୁଗୁଡ଼ା ପାଇଁ ଏହା ଡିସେମ୍ବର ମାସରେ ସବୁଠୁ କମ୍‌ ତାପମାତ୍ରା । ୧୯୫୫ ମସିହା ଡିସେମ୍ବର ୨୯ ତାରିଖରେ ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରୀ ଥିଲା । ଯାହାକି ଝାରସୁଗୁଡ଼ା ପାଇଁ ଡିସେମ୍ବରରେ ସର୍ବକାଳୀନ ଥଣ୍ଡା ରେକର୍ଡ ଥିଲା । ଆଜି ଏହି ରେକର୍ଡ ଭାଙ୍ଗିଛି ।

ରାଜ୍ୟର ମୋଟ ୧୨ଟି ସ୍ଥାନରେ ଶୁକ୍ରବାର ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଯାଇଛି । ଗୁରୁବାର ରାତି ତୁଳନାରେ ଶୁକ୍ରବାର ରାତିରେ ପାରଦ ୫ରୁ ୧୧ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିଛି । ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ କମିଯାଇଛି । ଆଜି ପାଗ ସାମାନ୍ୟ ଫିଟି ଖରା ଆସିଥିଲା । ମାତ୍ର କାଲୁଆ ପବନ ବାହାରେ ଛିଡ଼ା କରି ଦେଉନି । ଶୀତ କମ୍ପନରେ ଜନଜୀବନ ପୂରା ବେହାଲ୍‌ । ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ପୂର୍ବ ରାତି ତୁଳନାରେ ଅନୁଗୁଳ ତାପମାତ୍ରା ୫ ଡିଗ୍ରୀ ଖସି ୮ ଡିଗ୍ରୀରେ ପହଞ୍ଚିଛି । ବାରିପଦା ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ କମି ୮.୫ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁର ତାପମାତ୍ରା ୭.୪ ରେକର୍ଡ ହୋଇଛି । ଯାହାକି ଗୁରୁବାର ରାତିଠାରୁ ପାଖାପାଖି ୧୦ ଡିଗ୍ରୀ କମ୍‌ । ଟିଟିଲାଗଡ଼ ତାପମାତ୍ରା ୭ ଡିଗ୍ରୀ ଓ ଦାରିଙ୍ଗିବାଡ଼ି ମଧ୍ୟ ୭ ଡିଗ୍ରୀକୁ ଖସି ଆସିଛି। ପୂର୍ବ ରାତି ତୁଳନାରେ ଟିଟିଲାଗଡ଼ରେ ପାରଦ ୮.୫ ଡିଗ୍ରୀ କମିଛି । ଆଉ ଦାରିଙ୍ଗିବାଡ଼ିରେ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରା ୬.୫ ଡିଗ୍ରୀ କମିଛି ।

ଅନ୍ୟ ସହର ଭିତରେ ହୀରାକୁଦର ସର୍ବନିମ୍ନ ତାପମାତ୍ରା ୯.୮, ବାଲେଶ୍ୱର ୭.୬, କଟକ ୯.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ତୁଳନାରେ ୪ ଡିଗ୍ରୀ କମ୍‌ । ବାଲେଶ୍ୱରରେ ରାତିକରେ ପାରଦ ୬ ଡିଗ୍ରୀ କମିଛି । ପୂର୍ବ ରାତି ତୁଳନାରେ କଟକରେ ୫ ଓ ଚାନ୍ଦବାଲିରେ ୪ ଡିଗ୍ରୀ କମିଛି । ଭୁବନେଶ୍ୱର ତାପମାତ୍ରା ମଧ୍ୟ ୪.୮ ଡିଗ୍ରୀ କମି ୧୨ ଡିଗ୍ରୀରେ ପହଞ୍ଚିଛି । ଯାହାକି ସ୍ୱାଭାବିକଠାରୁ ୩ ଡିଗ୍ରୀ କମ୍‌ ।

ଭବାନୀପାଟଣାରେ ପାରଦ ଗୁରୁବାର ରାତି ତୁଳନାରେ ୯ ଡିଗ୍ରୀ କମି ୧୦ ଡିଗ୍ରୀକୁ ଖସି ଆସିଛି । ସେହିପରି ବଲାଙ୍ଗିରରେ ୮ ଡିଗ୍ରୀ ଓ ଫୁଲବାଣୀରେ ୮.୫ ଡିଗ୍ରୀ କମିଛି ଗୋଟିଏ ରାତି ଭିତରେ । ବଲାଙ୍ଗିରର ସର୍ବନିମ୍ନ ତାପମାତ୍ରା ୧୦.୨ ଓ ଫୁଲବାଣୀ ୧୦.୫ ଡିଗ୍ରୀ ରେକର୍ଡ ହୋଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ କହିଛନ୍ତି, ଶୀତ ପ୍ରକୋପ ଆହୁରି ଦୁଇଦିନ ଥରାଇବ । ଭୀଷଣ ଶୀତ ଲହରୀ ୩୧ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ । ରବିବାର ସକାଳେ ବି ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳ ସମେତ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀରର ଅଳ୍ପ କେତେକ ଜାଗାରେ ଭୀଷଣ ଶୀତ ଲହରୀ ଜାରି ରହିବ । ତେବେ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଭୀଷଣ ଶୀତ ଲହରୀ ଅନୁଭୂତ ହେବ । ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ୱରର କେତେକ ଜାଗାରେ ଶୀତ ଲହରୀ ଅନୁଭୂତ ହେବ । କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀରରେ ଘନ କୁହୁଡ଼ି ଘେରିବ । ରବିବାର ରାତି ଓ ସୋମବାର ସକାଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବାଲେଶ୍ୱର, କଟକ, ସୋନପୁର, ବୌଦ୍ଧ ଓ ବଲାଙ୍ଗିରରେ ଶୀତ ଲହରୀ ଅନୁଭୂତ ହେବ । ସୋମବାର ରାତି ଓ ମଙ୍ଗଳବାର ସକାଳେ ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୋନପୁର, ବଲାଙ୍ଗୀରରେ ଶୀତ ଲହରୀ ଅନୁଭୂତ ହେବ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟିର ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ରବିବାର ମଧ୍ୟ ଏଭଳି ଶୀତ ଲାଗି ରହିବ । ସୋମବାର ରାତି ପାରଦ ସାମାନ୍ୟ ବଢ଼ିପାରେ । ତଥାପି ଶୀତରୁ ନିସ୍ତାର ମିଳିବନି । ୩୧ ଓ ୧ ତାରିଖବେଳକୁ ପାଗ ବଦଳିବ । ୧ରୁ ବର୍ଷା ସମ୍ଭାବନା ଅଛି। ୧ ତାରିଖ ରାତିରୁ ବର୍ଷା ହୋଇପାରେ । ୨ରେ ବର୍ଷା ବଢ଼ିବ । ୩ରେ ପାଗ ମେଘାଚ୍ଛନ୍ନ ସହ କାଁ ଭାଁ ବର୍ଷା ହେବ । ୫ରୁ ପୁଣି ଶୀତ ବଢ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.