ଯୁଦ୍ଧ କଟକଣାର ଫାଇଦା ଉଠାଇଛି ଭାରତ; ରୁଷ୍ ତେଲରୁ ୧୦୫୦ କୋଟି ଡଲାର ସଞ୍ଚୟ

Published By : Prameya-News7 Bureau | July 12, 2024 IST

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧରେ ମସ୍କୋ ଉପରେ ପାଶ୍ଚାତ୍ୟ କଟକଣାର ଫାଇଦା ଭାରତ ଉଠାଇଛି ।  ଯୁଦ୍ଧ ବେଳେ ରୁଷଠାରୁ ଶସ୍ତାରେ ତେଲ କିଣି ଭାରତ ବୃହତ୍‌ ମାତ୍ରାରେ ବୈଦେଶିକ ମୁଦ୍ରା ସଞ୍ଚୟ କରିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରୁଷରୁ ତେଲ କ୍ରୟ ବଢ଼ାଇ ୨୦୨୨ ଏପ୍ରିଲରୁ ୨୦୨୪ ମେ’ ମଧ୍ୟରେ ଭାରତୀୟ ବିଶୋଧନକାରୀମାନେ ପ୍ରାୟ ୧୦୫୦ କୋଟି ଡଲାର ବିଦେଶୀ ମୁଦ୍ରା ସଞ୍ଚୟ କରିଛନ୍ତି ।  

ଭାରତ ଏବଂ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର  ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ହେଉଛି ତେଲ । ୟୁକ୍ରେନ ଯୁଦ୍ଧ  ବେଳେ ଆମେରିକା ଏବଂ ୟୁରୋପ ସହିତ ବଡ଼ ବଡ଼ ରାଷ୍ଟ୍ରଗୁଡ଼ିକ ରୁଷ୍ ବିରୋଧରେ କଟକଣା ଲଗାଇଥିଲେ । ଏହାଠାରୁ ତେଲ କିଣିବା ପାଇଁ ପଛଘୂଞ୍ଚା ଦେଇଥିଲେ । କିନ୍ତୁ ଏହି କଟକଣାକୁ ଖାତିର ନ କରି   ରୁଷ ସହ ବାଣିଜ୍ୟିକ ସମ୍ପର୍କକୁ ଜାରି ରଖିଥିଲା ଭାରତ  ଏବଂ ଏହାର ଫାଇଦା ଉଠାଇ ପ୍ରଚୁର ପରମାଣରେ ଅଶୋଧିତ ତୈଳ ଶସ୍ତାରେ କିଣି ଦେଶବାସୀଙ୍କ ଇନ୍ଧନ ଆବଶ୍ୟକତାକୁ ବଡ଼ ଆକାରରେ ପୂରଣ  କରିଥିଲା ।   

ଗତ ସପ୍ତାହରେ ରୁଷ ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇବା ସହ ଏହି ସମ୍ପର୍କ ଅନ୍ତର୍ଜାତୀୟ ବଜାରରେ ସ୍ଥିରତା ଆଣିଥିବା ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ତୈଳ ଆମଦାନି ପରିମାଣ ୧,୩୯,୮୬ କୋଟି ଡଲାର ରହିଛି । ୨୦୨୩-୨୪ରେ ଭାରତ ଆମଦାନି କରିଥିବା ମୋଟ୍ କ୍ରୁଡ୍ ଅଏଲରେ ରୁଷ୍‌ର ଭାଗ ୩୫.୭% ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୨୧.୫% ଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.