ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଜନବହୁଳ ରାଷ୍ଟ୍ର ଭାରତରେ ଯଥେଷ୍ଟ ପରିମାଣରେ ନିଯୁକ୍ତି ସୃଷ୍ଟି ହୋଇପାରି ନାହିଁ। ଏବେ ବି ନିଯୁକ୍ତି ପାଇଁ ସଂଘର୍ଷ କରୁଛନ୍ତି ଯୁବବର୍ଗ। ଯଦି ଭାରତର ଅର୍ଥନୀତି ୭ ପ୍ରତିଶତ ହାରରେ ବୃଦ୍ଧି ହୁଏ ତେବେ ବି ଆଗାମୀ ଦଶନ୍ଧୀରେ ମଧ୍ୟରେ ଭାରତ ଏହାର ବଢ଼ୁଥିବା କର୍ମଚାରୀ ସମ୍ବଳ(ୱାର୍କଫୋର୍ସ) ପାଇଁ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରିପାରିବ ନାହିଁ। ସିଟିଗ୍ରୁପ୍ ଇଙ୍କ୍ ସର୍ଭେରେ ଏଭଳି ତଥ୍ୟ ଦିଆଯାଇଛି ବୋଲି ବ୍ଲୁମବର୍ଗର ଖବର ପ୍ରକାଶ ପାଇଛି। ଏଥିରୁ ଏହା ସୂଚିତ ହେଉଛି ଯେ ଭାରତକୁ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆହୁରି ଠୋସ ପଦକ୍ଷେପ ନେବାକୁ ପଡ଼ିବ।
ସିଟି ରିପୋର୍ଟ ଅନୁସାରେ, ଲେବର ମାର୍କେଟ୍ରେ ନୂଆ କର୍ମଜୀବୀ ଆଣିବାକୁ ହେଲେ ଭାରତକୁ ଆସନ୍ତା ଦଶନ୍ଧୀ ମଧ୍ୟରେ ପ୍ରତି ବର୍ଷ ୧୨ ମିଲିଅନ ନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ। କିନ୍ତୁ ୭ ପ୍ରତିଶତ ଅଭିବୃଦ୍ଧି ହାରକୁ ଆଧାର କରି ଭାରତ ବର୍ଷକୁ କେବଳ ୮-୯ ମିଲିଅନ ନିଯୁକ୍ତି ସୃଷ୍ଟି କରିପାରିବ ବୋଲି ସିଟିଗ୍ରୁପର ଅର୍ଥନୀତିଜ୍ଞ ସମୀରନ ଚକ୍ରବର୍ତ୍ତୀ ଏବଂ ବକର ଜାଇଦି ରିପୋର୍ଟରେ ଲେଖିଛନ୍ତି। ସେହିଭଳି କେଉଁଭଳି ଚାକିରି ସୃଷ୍ଟି ହେଉଛି ଅର୍ଥାତ ଚାକିରିର ମାନକୁ ନେଇ ମଧ୍ୟ ଚ୍ୟାଲେଞ୍ଜ ରହିବ।
ସରକାରୀ ଡାଟାର ବିଶ୍ଳେଷଣ କଲେ ଜଣାପଡ଼େ ଯେ ଭାରତର କର୍ମ ବଳର ୪୬ ପ୍ରତିଶତ କୃଷି କ୍ଷେତ୍ରରେ କାମ କରୁଛନ୍ତି। ହେଲେ ଦେଶର ଜିଡିପିରେ କୃଷି କ୍ଷେତ୍ରରେ ଯୋଗଦାନ ମାତ୍ର ୨୦ ପ୍ରତିଶତରୁ ବିମ କମ୍ ରହିଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ନମୁନା ସର୍ଭେ ସଂଗଠନର ରିପୋର୍ଟ ଅନୁଯାୟୀ, ୧୫ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ବେକାରୀ ହାର ୨୦୨୩ ରେ ୩.୧ ପ୍ରତିଶତକୁ ହ୍ରାସ ପାଇଥିଲା, ଯାହା ଗତ ତିନିବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ।
କ୍ୟାଲେଣ୍ଡର ବର୍ଷ ୨୦୨୩ ପାଇଁ ପିରିୟଡିକ୍ ଲେବର ଫୋର୍ସ ସର୍ଭେ (PLFS) ଅନୁଯାୟୀ ୨୦୨୩ ମସିହାରେ ବେକାରୀ ହାର ୩.୧ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୨୨ରେ ଏହା ୩.୬ ପ୍ରତିଶତ ଏବଂ ୨୦୨୧ରେ ୪.୨ ପ୍ରତିଶତ ହ୍ରାସ ହୋଇଥିଲା। ଏକ ବେସରକାରୀ ଅନୁସନ୍ଧାନକାରୀ ସଂସ୍ଥା ମନିଟରିଂ ଇଣ୍ଡିଆନ୍ ଇକୋନୋମି(CMIE)ର ଉଦ୍ଧୃତ ରିପୋର୍ଟ ଅନୁଯାୟୀ ମେ ମାସରେ ବେକାରୀ ହାର ୯.୨ ପ୍ରତିଶତ, ଯାହା ଗତ ୮ ମାସରେ ସର୍ବାଧିକ। ୨୦-୨୪ ବର୍ଷ ବୟସର ବେକାରୀ ହାର ୪୦ ପ୍ରତିଶତ ବୋଲି CMIE କହିଛି।