ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଭାରତର ପ୍ରସ୍ତୁତି, ୫୫ ସହରରେ ହେବ ୨୦୦ ବୈଠକ

Published By : Prameya-News7 Bureau | October 17, 2022 IST

ନୂଆଦିଲ୍ଲୀ: ୨୦୨୩ ମସିହାରେ ହେବାକୁ ଥିବା ଜି-୨୦ ବାର୍ଷିକ ଶିଖର ସମ୍ମିଳନୀର ଆୟୋଜନ କରିବ ଭାରତ । ଏଥିପାଇଁ ବିଦେଶ ମନ୍ତ୍ରାଳୟ ଏବଂ ପର୍ଯ୍ୟଟନ ମନ୍ତ୍ରାଳୟ ସମସ୍ତ ପ୍ରସ୍ତୁତିରେ ଲାଗିଛନ୍ତି । ଦେଶର ମେଟ୍ରୋ ସହର ସହ ଛୋଟ ଛୋଟ ସହରରେ ଜି-୨୦ ବୈଠକର ଆୟୋଜନ କରାଯିବ । ସାରା ଦେଶରେ ୫୫ ଐତିହାସିକ ସ୍ଥାନରେ ଏହି ବୈଠକର ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ହାମ୍ପି ଏବଂ ଖଜୁରାହୋ ମଧ୍ୟ ସାମିଲ ଅଛି ।

ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂଚନା ଅନୁସାରେ ଏହି ବୈଠକ ପାଇଁ ଐତିହାସିକ ସ୍ଥଳୀ ଗୁଡିକର ଚୟନ କରାଯାଉଛି । ଏହି କୀର୍ତ୍ତିରାଜି ଗୁଡିକ ପ୍ରତି ବିଶ୍ୱର ଧ୍ୟାନ ଆକର୍ଷଣ କରିବାକୁ ଏହି ଯୋଜନା କରାଯାଇଛି ।

ସୂଚନା ଅନୁସାରେ, ଜି-୨୦ର ଅଧ୍ୟକ୍ଷତା କରିବା ସମୟରେ ଭାରତ ବର୍ଷ ତମାମ ପ୍ରାୟ ୨୦୦ ବୈଠକ ଆୟୋଜନ କରିବ । ବାର୍ଷିକ ଶିଖର ସମ୍ମିଳନୀର ଉଦଯାପନ ଆସନ୍ତା ବର୍ଷ ସେପ୍ଟେମ୍ୱର ୯ ଏବଂ ୧୦ରେ ହେବ।

ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ବିଭିନ୍ନ ରାଜ୍ୟର ୫୫ ସ୍ଥାନରେ ଏହି ବୈଠକ ଆୟୋଜନ କରିବାକୁ ଯୋଜନା ରହିଛି । ମହାନଗର, ରାଜ୍ୟର ରାଜଧାନୀ, ପର୍ଯ୍ୟଟନ ସ୍ଥଳୀ ସହ ଅନ୍ୟ ସ୍ଥାନରେ ଆୟୋଜନ କରାଯିବ । ଏହାସହ ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଟିୟର-୨ ଏବଂ ଟିୟର-୩ ସହରକୁ ମଧ୍ୟ ସାମିଲ କରାଯିବ । କଚ୍ଛର ରଣ, ଶିଲିଗୁଡି, ହାମ୍ପି ଏବଂ ଖଜୁରାହୋ ପରି ସ୍ଥାନରେ ଆୟୋଜନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.