ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଘୋଷଣା, ବାଦ୍ ପଡିଲେ ବିରାଟ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

Published By : Prameya-News7 Bureau | July 14, 2022 IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଘୋଷଣା ହୋଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ୧୮ ଜଣିଆ ଟିମର ଚୟନ କରିଛି । ଏହି ସିରିଜରେ ରୋହିତ ଶର୍ମା ଟିମର ଅଧିନାୟକ ରହିବେ, ଅନ୍ୟପଟେ ବିରାଟ କୋହଲିଙ୍କୁ ଟିମରେ ସ୍ଥାନ ଦିଆଯାଇ ନାହିଁ।

ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଆର.ଅଶ୍ୱିନଙ୍କ କମବ୍ୟାକ ହୋଇଛି । ଟିମ ଇଣ୍ଡିଆର ଅନୁଭବି ସ୍ପିନରଙ୍କୁ ଟି-୨୦ ବିଶ୍ୱପକରେ ସୁଯୋଗ ମିଳିଥିଲା । କିନ୍ତୁ ଏହାପରେ ସେ କେବଳ ଗୋଟିଏ ସିରିଜ ଖେଳିଥିଲେ, ପରେ ଟିମରେ ଆଉ ସ୍ଥାନ ମିଳି ନଥିଲା । ଏହାସହ ଭଲ ଖବର ଏହା ଯେ, କେଏଲ ରାହୁଲ ଏବଂ କୁଲଦୀପ ଯାଦବ ମଧ୍ୟ ଟିମକୁ ଫେରିଛନ୍ତି । ତେବେ ଫିଟନେସ ଟେଷ୍ଟ ପାସ କରିବା ପରେ ହିଁ ଟିମକୁ ଫେରିପାରିବେ।

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ କୋହଲିଙ୍କୁ ଟିମରେ ସ୍ଥାନ ମିଳିନାହିଁ । ଦିନିକିଆରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା, କିନ୍ତୁ ଟି-୨୦ ସିରିଜକୁ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଟି-୨୦ ଟିମରୁ ବିରାଟଙ୍କୁ ବାଦ ଦିଆଯାଇଛି କହିଲେ ଏଠାରେ କିଛି ଭୁଲ ହେବ ନାହିଁ । ତେବେ,ତାଙ୍କ ଆହତକୁ ନଜରରେ ରଖି ବିଶ୍ରାମ ଦିଆଯାଇଛି ବୋଲି କୁହାଯାଇଛି । ତାଙ୍କ ସହ ଜଶପ୍ରୀତ ବୁମରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ବୁମରାଙ୍କୁ ୱାର୍କଲୋଡ ମ୍ୟାନେଜମେଣ୍ଟ ଆଧାରେ ବିଶ୍ରାମ ଦିଆଯାଇଛି ।

ବିରାଟ ଏବଂ ବୁମରା ସହ ୟୁଜବେନ୍ଦ୍ର ଚାହାଲଙ୍କୁ ବି ବିଶ୍ରାମ ଦିଆଯାଇଛି । ଉମରାନ ମଲ୍ଲିକଙ୍କୁ ଲଗାତାର ତିନୋଟି ସିରିଜ ପାଇଁ ଚୟନ କରାଯାଇଥିଲା, କିନ୍ତୁ ଚତୁର୍ଥ ସିରିଜରେ ଟିମରେ ସ୍ଥାନ ମିଳିପାରି ନାହିଁ । ଏହାଛଡା ରୁତୁରାଜ ଗାଇକୱାଡ ଏବଂ ସଞ୍ଜୁ ସାମସନଙ୍କୁ ମଧ୍ୟ ଟିମକୁ ବାହାର କରାଯାଇଛି ।

ଟି-୨୦ ପାଇଁ ଭାରତୀୟ ଟିମ

ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଦିନେକ କାର୍ତ୍ତିକ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର. ଆଶ୍ୱିନ, ରବି ବିଷ୍ନୋଇ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ଅଭେଶ ଖାନ, ହର୍ଷଲ ପଟେଲ ଏବଂ ଅର୍ଶଦୀପ ସିଂ।

କେଏଲ ରାହୁଲ ଏବଂ କୁଳଦୀପ ଯାଦବଙ୍କ ଟିମରେ ସାମିଲ ହେବା ତାଙ୍କ ଫିଟନେସ ଉପରେ ନିର୍ଭର କରୁଛି ।

ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆସନ୍ତା ଜୁଲାଇ ୨୯ରୁ ଆରମ୍ଭ ହେବ । ଅଗଷ୍ଟ ୭ରେ ସିରିଜର ଶେଷ ମ୍ୟାଚ ଖେଳାଯିବ । ପ୍ରଥମ ତିନୋଟି ମ୍ୟାଚ ୱେଷ୍ଟଇଣ୍ଡିଜ ମାଟରେ ଖେଳାଯିବ ଅନ୍ୟ ଦୁଇଟି ମ୍ୟାଚ ଫ୍ଲୋରିଡାର ଲାଡରହିଲରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.