ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌, ଭ୍ରମଣକାରୀ ଦଳକୁ ଚେକ୍‌ ଦେବାକୁ ରୋହିତ ବାହିନୀ ପ୍ରସ୍ତୁତ

Published By : Prameya-News7 Bureau | September 28, 2022 IST

ଥିରୁଅନନ୍ତପୁରମ ୨୮।୦୯ : ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ(୨-୧ରେ) ବିଜୟ ପରେ ରୋହିତ ବାହିନୀର ନଜର ଏବେ ଦକ୍ଷିଣ ଆଫ୍ରିକା ଉପରେ । ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଆଉ ଏକ ସିରିଜ ଜିତି ଭାରତ ଦୃଢ ମନୋବଳ ସହ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହା ପୂର୍ବରୁ କିଛି ଛୋଟ ମୋଟ ତ୍ରୁଟିକୁ ଏହି ସିରିଜ ଜରିଆରେ ସୁଧାରିବାକୁ ଭାରତ ପ୍ରୟାସ କରିବ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ଆଇପିଏଲ୍‌ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ସିରିଜ ବିଜୟ ପାଇଁ ପ୍ରୟାସ କରିବେ ।

ତେବେ ବିଶ୍ୱକପ୍‌ ପୂର୍ବରୁ ଡେଥ୍‌ ଓଭର ବୋଲିଂକୁ ଶାଣିତ କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟ ସତ୍ତେ୍ୱ ଡେଥ୍‌ ଓଭର ବୋଲିଂ ପ୍ରଭାବଶାଳୀ ହୋଇ ନଥିବା ରୋହିତ ସ୍ୱୀକାର କରିଛନ୍ତି । ତେଣୁ ବିଶ୍ୱକପ୍‌ ପୂର୍ବରୁ ଏହି ତ୍ରୁଟି ସୁଧାରିବାକୁ ସେ ପ୍ରାଥମିକତା ଦେବେ । ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ରାମ ନେଇଥିବା ଯୁବ ପେସ୍‌ ବୋଲର ଅର୍ଶଦୀପ ସିଂହ ଦଳକୁ ଫେରବା ଫଳରେ ଡେଥ୍‌ ଓଭର ବୋଲିଂ ଶକ୍ତି ବୃଦ୍ଧି ପାଇଛି ।

ତଥାପି ସମ୍ପୂର୍ଣ୍ଣ ଦଳକୁ ଦେଖିଲେ ବୋଲିଂ ବିଭାଗ କଠିନ ପରୀକ୍ଷାର ସମ୍ମୁଖୀନ ହେବ । କାରଣ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ମିଳିଛି । ତାଙ୍କ ବିକଳ୍ପ ଦଳରେ ନାହାନ୍ତି । ସ୍ପିନ ବୋଲିଂ ଅଲରାଉଣ୍ଡର ସାହବାଜ ଅହମ୍ମଦଙ୍କୁ ଡାକରା ମିଳିଥିଲେ ମଧ୍ୟ ଅକ୍ଷର ପଟେଲ ଥିବାରୁ ତାଙ୍କୁ ଏକାଦଶରେ ସ୍ଥାନ ମିଳିବ ନାହିଁ । ତେଣୁ ଭାରତ ୫ଜଣ ବୋଲର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଅତିରିକ୍ତ ବ୍ୟାଟର ଭାବେ ରିଷଭ ପନ୍ତଙ୍କୁ ଏକାଦଶରେ ସ୍ଥାନ ମିଳିପାରେ । ବ୍ୟାଟିଂ ବିଭାଗକୁ ଲମ୍ବା କରିବା ପାଇଁ ଦୀପକ ଚହରଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ତେଣୁ ହର୍ଷଲ ପଟେଲଙ୍କୁ ଏକାଦଶରୁ ବାଦ ଦିଆଯାଇପାରେ ।

ସେହିପରି ବୁଧବାର ସମସ୍ତଙ୍କ ନଜର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିବ । ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପ୍ରଦର୍ଶନକୁ କ୍ରିକେଟ୍‌ ପ୍ରେମୀ ଏପର୍ଯ୍ୟନ୍ତ ଭୁଲି ନଥିବେ । ଅସୁସ୍ଥ ସତ୍ତେ୍ୱ ସେ ତୃତୀୟ ଟି-ଟ୍ୱେଣ୍ଟିରେ ଧୂଆଁଧାର ବ୍ୟାଟିଂ କରି ଦଳକୁ ଜିତାଇଥିଲେ । ଚଳିତ ବର୍ଷ ସେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ସର୍ବାଧିକ ୬୮୨ ରନ୍‌ ସଂଗ୍ରହ କରିସାରିଛନ୍ତି । ବୁଧବାର ସେ ଆଉ ଏକ ରେକର୍ଡ ଭଙ୍ଗ କରିପାରିବେ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍‌ କରିଥିବା ଶିଖର ଧାୱନଙ୍କ(୬୮୭ରନ୍‌) ରେକର୍ଡକୁ ଅତିକ୍ରମ କରିବା ପାଇଁ ସୂର୍ଯ୍ୟକୁମାର ଆଉ ୬ ରନ୍‌ ଆବଶ୍ୟକ କରୁଛନ୍ତି ।

ପ୍ରଥମ ମ୍ୟାଚ୍‌ ପୂର୍ବରୁ ୟୁୁଝବେନ୍ଦ୍ର ଚହଲଙ୍କ ଚତୁର କୌଶଳର ସମାଧାନ ବାଟ ଖୋଜିବାରେ ଭ୍ରମଣକାରୀ ଦଳ ବ୍ୟସ୍ତ ହେବା ସ୍ୱାଭାବିକ । ଚହଲଙ୍କ ବିପକ୍ଷରେ ଦଳର ଷ୍ଟାର୍‌ ବ୍ୟାଟର କ୍ୱିଣ୍ଟନ ଡି କକ୍‌ ୯ଟି ମ୍ୟାଚ୍‌ରୁ ୫୪ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି ଡି କକ୍‌ଙ୍କୁ ଚହଲ ୬ଥର ଆଉଟ୍‌ କରିସାରିଛନ୍ତି । ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିଭାଗର ମେରୁଦଣ୍ଡ ଡେଭିଡ୍‌ ମିଲରଙ୍କୁ ମଧ୍ୟ ଚହଲ ୩ଥର ଆଉଟ୍‌ କରିଛନ୍ତି ।

ସେହିପରି କାଗିସୋ ରାବାଡା ଭାରତୀୟ ବ୍ୟାଟରଙ୍କ ପାଇଁ ପ୍ରସ୍ତୁତ ରହିଛନ୍ତି । ରାବାଡା ଇତି ମଧ୍ୟରେ ବିରାଟ କୋହଲି ଓ ଦିନେଶ କାର୍ତ୍ତିକଙ୍କୁ ୪ଥର ଲେଖାଏଁ ଆଉଟ୍‌ କରିସାରିଛନ୍ତି । କୋହଲି ତାଙ୍କ ବିପକ୍ଷରେ ୩୫ବଲ୍‌ ଖେଳି ୩୯ ରନ୍‌ ଓ କାର୍ତ୍ତିକ ୩୦ଟି ବଲ୍‌ ଖେଳି ୨୧ ରନ କରିଛନ୍ତି । ସୂର୍ଯ୍ୟକୁମାରଙ୍କୁ ସେ ୩ଥର, ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କୁ ୨ଥର ଲେଖାଏଁ ଆଉଟ୍‌ କରିସାରିଛନ୍ତି ।

ଭାରତୀୟ ବୋଲରଙ୍କ ପାଇଁ ଆଡେନ ମାରକ୍ରମ ଚିନ୍ତାର କାରଣ ହୋଇପାରନ୍ତି । ସେ ସମ୍ପ୍ରତି ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ୨୦୨୧ରୁ ଏପର୍ଯ୍ୟନ୍ତ ମାରକ୍ରମ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୮ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ସେ ୧୯ଟି ଟି-ଟ୍ୱେଣ୍ଟିରୁ ୪୭ ହାରରେ ମୋଟ୍‌ ୭୦୪ ରନ୍‌ ସଂଗ୍ରହ କରିସାରିଛନ୍ତି । ଅନ୍ୟ ଦକ୍ଷିଣ ଆଫ୍ରିକା ବ୍ୟାଟର ରିଜା ହେଣ୍ଡରିକ୍ସ ମଧ୍ୟ ଏହି ସମୟ ମଧ୍ୟରେ ୭୩୬ ରନ୍‌ ସଂଗ୍ରହ କରିସାରିଛନ୍ତି ।

ଟସ୍‌ ଜିତିଲେ ଫିଲ୍ଡିଂ: ରାତ୍ରିରେ ମ୍ୟାଚ୍‌ ହେଉଥିବାରୁ ଟସ୍‌ ବିଜୟୀ ଦଳ ଫିଲ୍‌ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ପିଚ୍‌ ବ୍ୟାଟରଙ୍କୁ ସୁହାଇବ । ବୁଧବାର ବର୍ଷା ସମ୍ଭାବନା ରହିଛି ।

ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଅକ୍ଷର ପଟେଲ, ଦିନେଶ କାର୍ତ୍ତିକ, ଦୀପକ ଚହର, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ ।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍‌, ତେମ୍ବା ବଭୁମା(ଅଧିନାୟକ), ରିଲି ରସୋ, ଆଡେନ ମାରକ୍ରମ, ଡେଭିଡ୍‌ ମିଲର, ତ୍ରିଷ୍ଟନ ଷ୍ଟବ୍ସ, ଡ୍ୱେନ ପ୍ରିଟୋରିୟସ, ମାର୍କୋ ଜାନସେନ, କାଗିସୋ ରାବାଡା, ଆନରିଚ ନର୍ଜ, ତାବ୍ରେଜ ସାମସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.