୩ୟ ଟେଷ୍ଟ Day 1 : ପ୍ରଥମ ଇନିଂସରେ ଭାରତ ୨୨୩ରେ ଅଲଆଉଟ ପରେ ଦକ୍ଷିଣ ଆଫ୍ରିକା ୧୭/୧

Published By : Prameya-News7 Bureau | January 11, 2022 IST

କେପ୍‌ଟାଉନ ୧୧/୦୧ : ଦକ୍ଷିଣ ଆଫ୍ରିକାର କେପ୍‌ଟାଉନରେ ଭାରତ ବିପକ୍ଷରେ ଘରୋଇ ଟିମ୍‌ ତୃତୀୟ ତଥା ଅନ୍ତିମ ଟେଷ୍ଟ ଖେଳୁଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧ ଓ୍ବିକେଟ ହରାଇ ୧୭ ରନ ସଂଗ୍ରହ କରିଛି । ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ୨୨୩ ରନରେ ଅଲଆଉଟ ହୋଇଯିବା ପରେ ବ୍ୟାଟିଂ ଆରମ୍ଭ କରିଥିଲା ଘରୋଇ ଦଳ । ତେବେ ପ୍ରଥମ ଦିନରେ ଦଳକୁ ଗୋଟିଏ ଝଟ୍‌କା ଲାଗିଛି । ଅଧିନାୟକ ଡିନ୍‌ ଏଲଗାର ମାତ୍ର ୩ ରନ କରି ବୁମରାହଙ୍କ ଶିକାର ହୋଇଛନ୍ତି । ଆଇଡେନ୍‌ ମାର୍କରମ୍‌ ୮ରନ ଏବଂ ନାଇଟ୍‌ ଓ୍ବାଚ୍‌ ମ୍ୟାନ୍‌ କେଶବ ମହାରାଜ ୬ରନକରି ଅପରାଜିତ ଅଛନ୍ତି ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତୀୟ ଦଳ ୭୭.୩ ଓଭରରେ ୨୨୩ ରନକରି ଅଲଆଉଟ ହୋଇଯାଇଥିଲା । ବିରାଟ କୋହଲିଙ୍କ ଧୌର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା ଟିମ୍‌ ଇଣ୍ଡିଆ ।

ଓପନର୍‌ ଲୋକେସ୍‌ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ନିରାଶ କରିବା ପରେ ଚେତେଶ୍ବର ପୁଜାରା ଏବଂ ଅଧିନାୟକ ବିରାଟ କୋହଲି ପାଳି ସମ୍ଭାଳିଥିଲେ । କେଏଲ୍‌ ରାହୁଲ ମାତ୍ର ୧୨ ରନ କରି ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୧୫ରନ କରି ଆଉଟ ହୋଇଛନ୍ତି । ସେହିଭଳି ପୁଜାରା ୪୩ ରନର କରି ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ଆଉଟ ହୋଇଛନ୍ତି । ବିରାଟ କୋହଲି ଦଳକୁ ଶେଷ ଯାଏଁ ଆଗକୁ ନେଇଥିଲେ ସୁଦ୍ଧା ୭୯ରନ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୯ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୨୭ରନ, ରବିଚନ୍ଦ୍ରନ ଅଶ୍ବିନ ୨ରନ, ଶାର୍ଦ୍ଦୁଲ ଠାକୁର ୧୨ରନ, ମହମ୍ମଦ ସାମୀ ୭ରନ, ଯଶପ୍ରୀତ ବୁମରାହ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଉମେଶ ଯାଦବ ୪ରନକରି ଅପରାଜିତ ଅଛନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ଚମତ୍କାର ବୋଲିଂ କରି ଟିମ୍‌ ଇଣ୍ଡିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ରାବାଡା ବ୍ୟକ୍ତିଗତ ଭାବେ ୭୩ ରନଦେଇ ୪ଟି ଓ୍ବିକେଟ ନେଇଥିବା ବେଳେ, ମାର୍କୋ ଜନସେନ୍‌ ୫୫ରନଦେଇ ୩ ଓ୍ବିକେଟ, ଡୁଆନ୍ନେ ଓଲିଭର ୪୨ରନଦେଇ ୧ ଓ୍ବିକେଟ, ଲୁଙ୍ଗି ଏନ୍‌ଗିଡି ୩୩ରନ ଦେଇ ୧ ଓ୍ବିକେଟ ଏବଂ କେଶବ ମହାରାଜ ୧୪ରନ ଦେଇ ଗୋଟିଏ ଓ୍ବିକେଟ ନେବାକୁ ସକ୍ଷମ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.