ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆ, ‘କର ବା ମର’ ସ୍ଥିତିରେ ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | October 09, 2022 IST

ରାଞ୍ଚି ୦୯।୧୦ : ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବା ଲାଗି ଧାୱନ ବାହିନୀ ପାଇଁ ବିଜୟ ଜରୁରୀ ହୋଇପଡ଼ିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ସିରିଜ ବିଜୟ ପାଇଁ ସମସ୍ତ ପ୍ରସ୍ତୁତି କରିଛି ।

ପ୍ରଥମ ମ୍ୟାଚ୍‌ର ବିଜୟ ପରେ ଦକ୍ଷିଣ ଆଫ୍ରିକାର ମନୋବଳ ଦ୍ୱିଗୁଣା ହୋଇଯାଇଛି । ରାଞ୍ଚିରେ ବିଜୟ ଜାରି ରଖିବାକୁ ଦଳ ଜୋରଦାର ପ୍ରସ୍ତୁତି କରିଛି । ଲକ୍ଷ୍ନୌରେ ବିଜୟ ସହ ଭ୍ରମଣକାରୀ ଦଳ ୧୦ପଏଣ୍ଟ ହାସଲ କରିଥିଲା । ମୋଟ୍‌ ବିଶ୍ୱକପ୍‌ ସୁପରଲିଗ୍‌ ପଏଣ୍ଟ ୫୯ରେ ପହଞ୍ଚିଥିଲେ ହେଁ ଦକ୍ଷିଣ ଆଫ୍ରିକା ଏବେବି ତାଲିକାର ୧୧ତମ ସ୍ଥାନରେ ରହିଛି । ଆଗାମୀ ଦିନିକିଆ ବିଶ୍ୱକପ୍‌କୁ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ପଏଣ୍ଟ ତାଲିକାର ପ୍ରଥମ ୮ଟି ସ୍ଥାନ ମଧ୍ୟରେ ପହଞ୍ଚିବାକୁ ପଡ଼ିବ । ତେଣୁ ପରବର୍ତ୍ତୀ ୨ଟି ଯାକ ମ୍ୟାଚ୍‌ରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବ । ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଆଉ ୨ଟି ଦିନିକିଆ ସିରିଜ(ନେଦରଲାଣ୍ଡ୍‌ସ ଓ ଇଂଲଣ୍ଡ ବିପକ୍ଷରେ) ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଭାରତର ମୁଖ୍ୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିସାରିଛି । ତଥାପି ଦ୍ୱିତୀୟ ଦଳ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେଉଛି । ପ୍ରଥମ ମ୍ୟାଚ୍‌ରେ ଭାରତ ମାତ୍ର ୯ ରନ୍‌ରେ ପରାଜିତ ହୋଇଥିଲା । ଶ୍ରେୟାସ ଆୟର ଓ ସଞ୍ଜୁ ସାମସନ ଚମତ୍କାର ଇନିଂସ ଖେଳିଥିଲେ । ତଥାପି ଦ୍ୱିତୀୟ ଦିନିକିଆ ପୂର୍ବରୁ ବ୍ୟାଟିଂ ବିଭାଗକୁ ସୁଦୃଢ କରିବାକୁ ଭାରତ ଯୋଜନା କରିଛି । ବିଶେଷ କରି ଓପନର ଧାୱନ ଓ ଶୁଭମନ ଗିଲଙ୍କ ବ୍ୟାଟ୍‌ରୁ ଉପଯୋଗୀ ଇନିଂସ ଆବଶ୍ୟକ ରହିଛି ।

ସେହିପରି ଋତୁରାଜ ଗାଏକୱାଡ୍‌ ଓ ଇଶାନ କିଷନ ମଧ୍ୟ ଦକ୍ଷତା ପ୍ରମାଣ କରିବା ପାଇଁ ଆଜିର ମ୍ୟାଚ୍‌ରେ ଆଉ ଏକ ସୁଯୋଗ ପାଇବେ । ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ । ଦକ୍ଷିଣ ଆଫ୍ରିକା ଦଳକୁ ଅଲ୍‌ରାଉଣ୍ଡର ମାର୍କୋ ଜାନସେନ ଫେରିବା ଆଶା କରାଯାଉଛି । ସେହିପରି ଭାରତୀୟ ଦଳରେ ମଧ୍ୟ ଏକ ପରିବର୍ତ୍ତନ ହୋଇପାରେ । ଯୁବ ଲେଗ ସ୍ପିନର ରବି ବିଷ୍ଣୋଇଙ୍କ ସ୍ଥାନରେ ସାହବାଜ ଅହମ୍ମଦଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି ।

ତେବେ ଲକ୍ଷ୍ନୌରେ ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍‌କୁ ୪୦ ଓଭର ବିଶିଷ୍ଟ କରାଯାଇଥିଲା । ରାଞ୍ଚିରେ ମଧ୍ୟ ବର୍ଷା ସାଜିପାରେ ବାଧକ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଞ୍ଚିରେ ୨୦ ପ୍ରତିଶତ ବର୍ଷା ସମ୍ଭାବନା ରହିଛି ।

ଭାରତ: ଶିଖର ଧାୱନ(ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକୱାଡ୍‌, ଇଶାନ କିଷନ, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ସର୍ଦୁଲ ଠାକୁର, ରବି ବିଷ୍ଣୋଇ/ ସାହବାଜ ଅହମ୍ମଦ, ଅଭେଶ ଖାନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍‌, ଜାନେମନ ମଲାନ, ତେମ୍ବା ବଭୁମା(ଅଧିନାୟକ), ଆଡେନ ମାରକ୍ରମ,ହେନରିଚ କ୍ଲାସେନ, ଡେଭିଡ୍‌ ମିଲର, ୱେନେ ପାର୍ନେଲ/ଆଣ୍ଡିଲ ଫେଲୁକ୍ୱାୟୋ, କେଶବ ମହାରାଜ, କାଗିସୋ ରାବାଡା, ତାବ୍ରେଜ ସାମସି/ ମାର୍କୋ ଜାନସେନ/ଆନରିଚ ନର୍ଜ, ଲୁଙ୍ଗି ଏନଗିଡ଼ି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.