COVID-19: ତଥାପି ଭାରତର ପରିସ୍ଥିତି ଭଲ ଅଛି କହିଲେ ପ୍ରଧାନମନ୍ତୀ
27/06/2020 at 7:50 PM

ନୂଆଦିଲ୍ଲୀ ୨୭।୬: ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ବଢି ଚାଲିଛି। ଦେଶରେ ଏବେ ସୁଦ୍ଧା ମୋଟ ୫ଲକ୍ଷ ୮ ହଜାର ୯୫୩ ଜଣ ଲୋକେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ହଜାର ୫୬୨ ଜଣଙ୍କର ମୃତ୍ୟୁ ହେଲାଣି। ତେବେ ଅନ୍ୟ ଦେଶଙ୍କ ତୁଳନାରେ ଭାରତର ପରିସ୍ଥିତି ଏବେବି ବେଶ ଭଲ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି।
Addressing the 90th birthday celebrations of The Most Rev. Dr. Joseph Mar Thoma Metropolitan. https://t.co/9AUWwJgqZd
— Narendra Modi (@narendramodi) June 27, 2020
ପ୍ରଧାନମନ୍ତ୍ରୀ ଡା.ଯୋଶେଫ ମାର ଥମା ମେଟ୍ରୋପୋଲିଟାନଙ୍କ ୯୦ତମ ଜୟନ୍ତୀ ସମାରୋହକୁ ଭିଡିଓ କନଫରେନସିଂରେ ସମ୍ବୋଧିତ କରିଥିଲେ। ଏଥିରେ ସାରା ବିଶ୍ୱ ଏବେ କରୋନା ଭାଇରସ ମହାମାରୀର ମୁକାବିଲା କରୁଥିବା ଓ କୋଭିଡ-୧୯ ମହାମାରୀ କେବଳ ଲୋକଙ୍କ ଜୀବନ ଲାଗି ବିପଦ ଥିବା ଏକ ରୋଗ ନୁହେଁ ବରଂ ଏହା ଆମକୁ ଦୀର୍ଘ ଅସୁସ୍ଥ ଜୀବନ ଶୈଳୀ ଲାଗି ବାଧ୍ୟ କରିଦେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।
ତେବେ ଭାରତ କୋଭିଡ-୧୯ ଯୋଦ୍ଧାଙ୍କ ଜରିଆରେ ଦୃଢତାର ସହ ଏହାର ମୁକାବିଲା କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଭୂତାଣୁର ପ୍ରଭାବ ଭାରତରେ ଗୁରୁତର ହେବ ବୋଲି ଅନେକ ଭବିଷ୍ୟବାଣୀ କରିଥିବା ବେଳେ ଅନ୍ୟ ଦେଶଙ୍କ ସଂକ୍ରମଣ ଓ ମୃତ୍ୟୁହାର ତୁଳନାରେ ଭାରତ ବେଶ୍ ଭଲ ପରିସ୍ଥିତିରେ ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତରେ ସଂକ୍ରମଣ ବଢୁଛି ହେଲେ ସେହି ଅନୁପାତରେ ସୁସ୍ଥତା ମଧ୍ୟ ବୃଦ୍ଧି ହେଉଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଦେଶର କରୋନା ବିରୋଧରେ ଲଢେଇକୁ ପ୍ରଧାନମନ୍ତ୍ରୀ ଜନ ଆଧାରିତ ଲଢେଇ ବୋଲି କହିଥିବା ବେଳେ ଏଥିରୁ ଏ ପର୍ଯ୍ୟନ୍ତ ଉତ୍ତମ ପରିଣାମ ମିଳୁଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି। ହେଲେବି ପ୍ରସଙ୍ଗରେ ଆମେ ଏବେବି କୋହଳ ନୁହେଁ ବୋଲି ସତର୍କ କରାଇଛନ୍ତି। ଏବେ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ମାସ୍କର ବ୍ୟବହାର ଜରୁରି, ଅତି ଆବଶ୍ୟକ ନ ପଡିଲେ ଭିଡଭାଡ ଅଞ୍ଚଳକୁ ନ ଯିବା ଓ ଯେ କୌଣସି ସ୍ଥାନରେ ଆମକୁ ପ୍ରତିବ୍ୟକ୍ତି ୨ ଗଜ ଦୂରରେ ରହିବା ଏବେବି ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।