ଡାଭୋସରେ ସାରା ଦୁନିଆ ଦେଖିଲା ଭାରତୀୟ ଅର୍ଥନୀତିର ଦମ ! ଫିକା ପଡିଲେ ଅନ୍ୟ ଦେଶ

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ୱାର୍ଲଡ ଇକୋନମିକ ଫୋରମ ୨୦୨୩ର ବାର୍ଷିକ ବୈଠକ ଶୁକ୍ରବାର ଜାନୁଆରୀ ୨୦ରେ ଶେଷ ହୋଇଛି । ପାଞ୍ଚ ଦିନ ଚାଲିଥିବା ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ, ଯୁଦ୍ଧ ଏବଂ ଆର୍ଥିକ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି । ଚଳିତ ଥର ଡବ୍ଲୁଇଏଫରେ ଭାରତ ନିଜର ଦମ ଦେଖାଇଛି ।

୨୦୨୩ ମସିହାରେ ଆର୍ଥିକ ମାନ୍ଦାବସ୍ଥାର ଅଶଂକା ରହିଛି । କୌଣସି ବଡ଼ ଅର୍ଥନୀତିର ତୁଳନାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ନେଇ ଆଶା ରହିଛି । ଏକ ରିପୋର୍ଟ ଅନୁସାରେ, ବିଶ୍ୱ ବ୍ୟାଙ୍କ ଆମେରିକା ପାଇଁ ମାତ୍ର ୦.୫ ପ୍ରତିଶତ ଏବଂ ଚୀନ ପାଇଁ ୪.୩ ପ୍ରତିଶତ ତୁଳନାରେ ଭାରତର ୬.୬ ପ୍ରତିଶତ ହାରରେ ବୃଦ୍ଧି ନେଇ ଅନୁମାନ କରିଛି । ଯଦି ଭାରତ ନିଜର ଆର୍ଥିକ ବୃଦ୍ଧିର ଗତିକୁ ବଜାୟ ରଖେ ତେବେ ୨୦୨୬ରେ ଜର୍ମାନୀକୁ ପଛରେ ପକାଇ ଦୁନିଆର ଚତୁର୍ଥ ବଡ଼ ଅର୍ଥନୀତି ହୋଇଯିବ । ୨୦୩୨ ମସିହାରେ ଜାପାନକୁ ପଛରେ ପକାଇ ତୃତୀୟ ସ୍ଥାନ କରିବ । ଏବଂ ୨୦୩୫ ସୁଦ୍ଧା ୧୦ ଟ୍ରିଲିୟନ ଡଲାରର ଜିଡିପି ସହ ତୃତୀୟ ବୃହତ ଅର୍ଥନୀତି ହୋଇପାରିବ । ଭାରତର ଅର୍ଥନୀତି ବର୍ତ୍ତମାନ ସମୟରେ ୩.୫ ଟ୍ରିଲିୟନ ସହ ବିଶ୍ୱର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥା ରହିଛି । ଡବ୍ଲୁଇଏଫର ପ୍ରତିଷ୍ଠାତା କ୍ଲାଉସ୍ ସ୍କ୍ୱାବ୍ କହିଛନ୍ତି ଯେ ଭାରତ ବିଶ୍ୱ ଅର୍ଥନୀତିରେ ଏକ ପ୍ରମୁଖ ସ୍ତମ୍ଭ ଭାବେ ଉପରକୁ ଉଠୁଛି ।

ଡବ୍ଲୁଇଏଫର ପାଞ୍ଚ ଦିନିଆ ବୈଠକରେ ପ୍ରାୟ ୧୦୦ ଭାରତୀୟ ନେତା ଅଂଶଗ୍ରହଣ କରିଥିଲେ । ଏଥିରେ ଚାରି କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ଡବ୍ଲୁଇଏଫର ଅଧ୍ୟକ୍ଷ ବୋର୍ଗେ ବ୍ରେଣ୍ଡ ନିଜ ଉଦଯାପନୀ ଟିପ୍ପଣୀରେ କହିଥିଲେ ଯେ ଜଳବାୟୁ ମୋର୍ଚ୍ଚାରେ ଗୋଟିଏ ପାଦ ଏବଂ ନ୍ୟାୟସଙ୍ଗତ ବୃଦ୍ଧି ଲକ୍ଷ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ସହ ଏକ ଉଲ୍ଲେଖେନୀୟ ସପ୍ତାହ ଥିଲା ।  

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ମୁଖ୍ୟ କ୍ରିଷ୍ଟଲିନା ଜର୍ଜିବା ଶୁକ୍ରବାର ବିଶ୍ୱ ସମୁଦାୟକୁ ବ୍ୟବହାରିକ ଏବଂ ସହଯୋଗପୂର୍ଣ୍ଣ ଆଭିମୁଖ୍ୟ ପାଇଁ ଅନୁରୋଧ କରିଥିଲେ । ଏହାସହ କହିଥିଲେ ଯେ ପରସ୍ପର ମଧ୍ୟରେ ବିଭେଦ ଯୋଗୁଁ ବିଶ୍ୱ ଜିଡିପିରେ ସାତ ପ୍ରତିଶତ ହ୍ରାସ ଘଟିପାରେ । ଆଇଏମଏଫ ମୁଖ୍ୟ କହିଥିଲେ ଯେ, 'ଗତ ବର୍ଷ ଆମେ ବୃଦ୍ଧିର ଅନୁମାନକୁ ତିନି ଥର ସଂଶୋଧନ କରିଥିଲୁ ଏବଂ ଏଥିରେ ଆଉ ହ୍ରାସ କରାଯାଉ ନାହିଁ ଯାହା ବର୍ତ୍ତମାନ ପାଇଁ ଭଲ ଖବର । ତେବେ ବର୍ତ୍ତମାନ ସମୟରେ ଶ୍ରମ ବଜାରର ସ୍ଥିତି ଉପରେ ଗୁରୁତ୍ୱର ସହ ଧ୍ୟାନ ଦିଆଯିବା ଦରକାର ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.