ଟି-୨୦: ଦମ୍ଭ ଦେଖାଇଲେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା, ଅଷ୍ଟ୍ରେଲିଆକୁ ୧୬୨ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ
4/12/2020 at 3:31 PM

କାନବେରା ୦୪।୧୨: ଦମ୍ଭ ଦେଖାଇଲେ ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜା। କାନବେରାରେ ଖେଳାଯାଉଥିବା ପ୍ରଥମ ଟ୍ଵି-୨୦ ମୁକାବିଲାରେ ଭାରତ ନିର୍ଦ୍ଧାରିତ ଓଭରରେ ୧୬୧ ରନ କରିବାକୁ ସକ୍ଷମ ହୋଇଛି। ଲୋକେଶ ରାହୁଲଙ୍କ ୫୧ ରନର ଅର୍ଦ୍ଧଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ଅପରାଜିତ ୪୧ ରନର ଉପଯୋଗୀ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୧ ରନ କରିଛି। ଘରୋଇ ଦଳ ସମ୍ମୁଖରେ ୧୬୨ ରନର ବିଜୟ ଲକ୍ଷ୍ୟ ରହିିଛି। ଅଷ୍ଟ୍ରେଲିଆ ପକ୍ଷରୁ ମୋଇସେସ୍ ହେନରିକ୍ସ ୩ ଓ୍ଵିକେଟ୍ ନେଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲା। ୧୧ ରନ ସ୍କୋରରେ ଶିଖର ଧାଓ୍ଵନ(୧ ରନ) କରି ଆଉଟ୍ ହୋଇଥିଲେ। ଏହା ପରେ କେଏଲ ରାହୁଲ ଓ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୩୭ ରନ ଯୋଡିଥିଲେ। କୋହଲି(୭ ରନ) ଆାଉଟ୍ ହେବା ଦଳକୁ ବହୁତ ବଡ ଝଟକା ଲାଗିଥିଲା। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା।

ସଞ୍ଜୁ ସାମସନ ୨୩ ରନ କରିଥିଲେ। ମନିଷ ପାଣ୍ଡେ(୨ ରନ) ନିରାଶ କରିଥିଲେ। ଅନ୍ୟପଟେ କ୍ରିଜ୍ରେ ଜମି ରହି ଇନିଂସ ସମ୍ଭାଳିଥିବା ଲୋକେଶ ରାହୁଲ ଆଉଟ୍ ହୋଇଥିଲେ। ସେ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୧୧ତମ ଅର୍ଦ୍ଧଶତକ ହାସଲ କରିଥିଲେ। ୪୦ ବଲରୁ ୫ ଚୌକା ଓ ୧ ଛକା ସହ ୫୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ବଡ ସଟ୍ ଖେଳିବାକୁ ଯାଇ ୧୬ ରନରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୨୩ ବଲରୁ ୫ ଚୌକା ଓ ୧ ଛକା ସହ ୪୧ରନର ଅପରାଜିତ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ। ତାଙ୍କର ଏହି ବ୍ୟାଟିଂ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୧ ରନ କରିବାକୁ ସକ୍ଷମ ହୋଇଛି।
ଅଷ୍ଟ୍ରେଲିଆ ତରଫରୁ ମୋଇସେସ୍ ହେନରିକ୍ସ ୩ଟି ସଫଳତା ପାଇଛନ୍ତି। ମିଚେଲ୍ ଷ୍ଟାର୍କ ୨ଟି ନେଇଥିବା ବେଳେ ଆଡମ ଜାମ୍ପା ଓ ମିଚେଲ୍ ସ୍ଵେପସନ ପ୍ରତ୍ୟେକ ଗୋଟିଏ ଲେଖାଁଏ ଓ୍ଵିକେଟ୍ ନେଇଥିଲେ।