ନୂଆଦିଲ୍ଲୀ ୨୩।୪: ବିଶ୍ୱରେ ମସଲାର ସବୁଠୁ ବଡ଼ ଉତ୍ପାଦକ, ଉପଭୋକ୍ତା ତଥା ରପ୍ତାନୀକାରୀ ଭାରତ ସିଙ୍ଗାପୁର ଓ ହଂକଂର ଖାଦ୍ୟ ସୁରକ୍ଷା ନିୟାମକଙ୍କୁ ଦୁଇ ଭାରତୀୟ କମ୍ପାନୀଙ୍କ ମସଲା ଉତ୍ପାଦ ସମ୍ପର୍କିତ ବିବାଦ ଉପରେ ବିବରଣୀ ମାଗିଛନ୍ତି। ସରକାର ଦୁଇ ଦେଶରେ ଥିବା ଦୂତାବାସଙ୍କୁ ଏହି ମାମଲାରେ ରିପୋର୍ଟ ଦେବାକୁ କହିଛନ୍ତି। ସିଙ୍ଗାପୁର ଓ ହଂକଂ ନିକଟରେ କ୍ୱାଲିଟି ସମ୍ପର୍କିତ ଚିନ୍ତା କାରଣରୁ ଏମଡିଏଚ୍ ଓ ଏଭରେଷ୍ଟ କମ୍ପାନୀଙ୍କ କେତେକ ମସାଲା ଉତ୍ପାଦ ଉପରେ କଟକଣା ଜାରି କରିଛନ୍ତି।
ବାଣିଜ୍ୟ ମନ୍ତ୍ରାଳୟ ସେହି ଦୁଇ ଦେଶରେ ଥିବା ଭାରତୀୟ ଦୂତାବାସଙ୍କୁ ଏହି ମାମଲାରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି। ସେହିପରି ମନ୍ତ୍ରାଳୟ କଟକଣା ଲାଗିଥିବା ଏମଡିଏଚ୍ ଓ ଏଭେରେଷ୍ଟକୁ ମଧ୍ୟ ବିବରଣୀ ତଲବ କରିଛନ୍ତି। ସେମାନଙ୍କ ଉତ୍ପାଦରେ କଥିତ ରୂପେ ମାନ୍ୟ ସୀମାରୁ ଅଧିକ କୀଟନାଶକ ‘ଏଥିଲିନ ଅକ୍ସାଇଡ’ ଥିବାରୁ ପ୍ରତିବନ୍ଧକ ଲଗାଯାଇଛି। ବାଣିଜ୍ୟ ମନ୍ତ୍ରାଳୟଙ୍କ ଜନୈକ ଅଧିକାରୀ କହିଛନ୍ତି ଯେ କମ୍ପାନୀମାନଙ୍କୁ ବିବରଣୀ ମଗାଯାଇଛି।
ଭାରତୀୟ ମସଲା ଉତ୍ପାଦକୁ ଅଗ୍ରାହ୍ୟ କରାଯିବାରେ ମୂଳ କାରଣର ନିଦାନ ହେବ ଓ ସମ୍ପର୍କିତ ରପ୍ତାନୀକାରୀଙ୍କ ସହ ମିଶି ସମାଧାନ କରାଯିବ। ଅଧିକାରୀ କହିଛନ୍ତି ଯେ ସିଙ୍ଗାପୁର ଓ ହଂକଂ ସ୍ଥିତ ଦୂତାବାସଙ୍କୁ ଏ ସମ୍ପର୍କରେ ବୈଷୟିକ ବିବରଣୀ, ବିଶ୍ଲେଷଣାତ୍ମକ ରିପୋର୍ଟ ଓ ରପ୍ତାନୀକାରୀଙ୍କ ସମ୍ପର୍କରେ ବିବରଣୀ ମାଗିଛନ୍ତି। ଏହା ଛଡା ସିଙ୍ଗାପୁର ଖାଦ୍ୟ ସୁରକ୍ଷା ସଂସ୍ଥା ଓ ହଂକଂ ଖାଦ୍ୟ ଓ ପରିବେଶ ସ୍ୱଚ୍ଛତା ବିଭାଗକୁ ମଧ୍ୟ ବିବରଣୀ ମଗା ଯାଇଛି।
ରପ୍ତାନୀ ହୋଇଥିବା ମସଲା ଉତ୍ପାଦରେ ଏଥଲିନ ଅକ୍ସାଇଡର ବାଧ୍ୟତାମୂଳକ ପରୀକ୍ଷା ପ୍ରସଙ୍ଗରେ ଚର୍ଚ୍ଚା ନିମନ୍ତେ ଏକ ଉଦ୍ୟୋଗ ପରାମର୍ଶର କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଇତି ମଧ୍ୟରେ ଭାରତର ମସଲା ବୋର୍ଡ ଏମଡିଏଚ୍ ଓ ଏଭେରେଷ୍ଟର ଚାରି ମସଲା ମିଶ୍ରଣ ଉତ୍ପାଦର ବିକ୍ରି ଉପରେ ଲଗାଯାଇଥିବା କଟକଣା ଉପରେ ବିଚାର କରୁଛନ୍ତି। ହଂକଂ ଖାଦ୍ୟ ସୁରକ୍ଷା ସଂସ୍ଥା ଉପଭୋକ୍ତାଙ୍କୁ ଏହି ଉତ୍ପାଦଗୁଡିକୁ ନ କିଣିବାକୁ ଓ ବ୍ୟବସାୟୀଙ୍କୁ ବିକ୍ରି ନ କରିବାକୁ କୁହାଯାଇଛି। ଅନ୍ୟପଟେ ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଉତ୍ପାଦ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।