ନୂଆଦିଲ୍ଲୀ ୧୦/୦୬: ଭୁବନେଶ୍ୱରରେ ପହଁଚିଛି ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ । ବିମାନ ବନ୍ଦରରେ ପହଁଚିବା ପରେ ସ୍ୱତନ୍ତ୍ର ବସରେ ଖେଳାଳିଙ୍କୁ ହୋଟେଲ ମେ ଫେୟାର ନିଆଯାଇଥିଲା । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଉଭୟ ଟିମ୍ ଶନିବାରଠୁ ବାରବାଟୀରେ ଅଭ୍ୟାସ ଆରମ୍ଭ କରିବେ । ତେବେ ସମସ୍ତଙ୍କ ନଜର ରହିଛି ରବିବାର ଦ୍ୱିତୀୟ ଟି୨୦ ମ୍ୟାଚ୍ ଉପରେ । କାରଣ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମୁକାବିଲାରେ ମାତ୍ ଖାଇଛି ଭାରତ । ବାରବାଟୀରେ ଭାରତ ଦିଲ୍ଲୀ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।
ଗୁରୁବାରଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଟି୨୦ ସିରିଜ୍ ଆରମ୍ଭ ହୋଇଛି । ପ୍ରଥମ ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ବ୍ୟାଟସମ୍ୟାନ ଜବରଦସ୍ତ ବ୍ୟାଟିଂ କରିଥିଲେ । ଫଳରେ ଦଳ ୨୧୧ ରନର ବିଶାଳ ସ୍କୋର କରିଥିଲା । ହେଲେ ବୋଲରଙ୍କ ଦିଶାହୀନ ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକା ୭ ଓ୍ୱିକେଟରେ ମ୍ୟାଚ୍ ଜିତିନେଇଥିଲା । ବଡ ସ୍କୋର ସତ୍ତ୍ୱେ ଦଳ ପରାସ୍ତ ହୋଇଥିଲା ।
ତେବେ ଭାରତ ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ । କାରଣ ବାରବାଟୀ ହେଉଛି ଭାରତୀୟ ଦଳର ଲକି ଗ୍ରାଉଣ୍ଡ । ଏଠାରେ ଟିମ୍ ଇଣ୍ଡିଆ ଅଧିକାଂଶ ମ୍ୟାଚରେ ବିଜୟୀ ହୋଇଛି । ଶେଷ ମୁକାବିଲାରେ ମଧ୍ୟ ଭାରତ ଓ୍ୱେଷ୍ଟ୍ ଇଣ୍ଡିଜକୁ ପରାସ୍ତ କରିଥିଲା । ଦଳ ଏହି ବିଜୟ ଧାରା ଆଗକୁ ଅବ୍ୟାହତି ରଖିବା ଲକ୍ଷ୍ୟ ରହିବ ।
ସମ୍ଭାବ୍ୟ ଦଳ
ଋତୁରାଜ ଗାଏକଓ୍ଵାଡ, ଇଶାନ କିଷନ, ଶ୍ରେୟସ ଆୟର, ଋଷଭ ପନ୍ତ(ଅଧିନାୟକ ଏବଂ ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ୍, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ ଏବଂ ୟୁଜବେନ୍ଦ୍ର ଚହଲ