ଦେଶରେ ଦୈନିକ କରୋନା ସଂକ୍ରମଣ ୧୨୯ ଦିନରେ ସର୍ବାଧିକ, ଚିହ୍ନଟ ହେଲେ ୧,୦୭୧ ସଂକ୍ରମିତ
19/03/2023 at 6:29 PM

ନୂଆଦିଲ୍ଲୀ: ଭାରତରେ କରୋନାର ଦୈନିକ ନୂଆ ମାମଲା ପୁଣି ଥରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଏକ ହଜାରରୁ ଅଧିକ ନୂଆ ମାମଲାର ଚିହ୍ନଟ ହୋଇଛି । ୧୨୯ ଦିନ ପରେ ଦେଶରେ ଏକ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଏହାସହ ସକ୍ରିୟ ମାମଲା ସଂଖ୍ୟା ୫,୯୧୫ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ।
ଗତ ୨୪ ଘଣ୍ଟାରେ ଦେଶରେ ୧,୦୭୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ତିନି ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, ରାଜସ୍ଥାନ ଏବଂ କେରଳରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟିରେ ପହଞ୍ଚିଛି ।
ଦେଶରେ ବର୍ତ୍ତମାନ ମୋଟ ମାମଲା ମଧ୍ୟରୁ ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି । ଅନ୍ୟପଟେ ଦେଶରେ ସୁସ୍ଥ ହାର ୯୮.୮ ପ୍ରତିଶତ ରେକର୍ଡ କରାଯାଇଛି । ମନ୍ତ୍ରାଳୟର ୱେବସାଇଟରେ ଉପଲବ୍ଧ ଡାଟା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୨୨୦.୬୫ କୋଟି ଡୋଜ୍ ଲୋକଙ୍କୁ ଦିଆସରିଛି ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ, ୧୨୬ ଦିନରେ ଦେଶରେ ସର୍ବାଧିକ ମାମଲା ଚିହ୍ନଟ ହୋଇଥିଲା । ଡାଟା ଅନୁସାରେ ୨୪ ଘଣ୍ଟାରେ ଦେଶରେ ୮୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।