କରୋନା ସକ୍ରିୟ ସଂଖ୍ୟା ୩୦ ହଜାର ପାର୍; ୟୁପିରେ ବିଦେଶ ଫେରନ୍ତାଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୁଳକ
8/04/2023 at 5:20 PM

ନୂଆଦିଲ୍ଲୀ: ସଂକ୍ରମଣ ବୃଦ୍ଧି ଯୋଗୁ ଦେଶରେ କରୋନା ସକ୍ରିୟ ସଂଖ୍ୟା ୩୦ ହଜାର ପାର ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂଖ୍ୟା ୩୧,୧୯୪ ହୋଇଛି। ଦୈନିକ ସଂକ୍ରମଣ ହାର ୫.୬୩ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭ୍ ହାର ୩.୪୭ ପ୍ରତିଶତ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି।
ମିଳିଥିବା ତଥ୍ୟ ଅନୁସାରେ ଦିନକରେ ୯ ଜଣଙ୍କର ଜୀବନ ନେଇଛି କରୋନା। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୯୫୪ ହୋଇଛି। ସେହିପରି ସୁସ୍ଥ ସଂଖ୍ୟା ୪,୪୧,୮୯,୧୧୧ ହୋଇଛି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଶେୟାର କରିଥିବା ତଥ୍ୟରୁ ଏହି ସୂଚନା ମିଳିଛି।

ଦେଶରେ ଟେଷ୍ଟିଂ ଓ ଟିକାକରଣ ଗତି ଧିମେଇ ଯାଇଛି। ଦିନକରେ ମାତ୍ର ୧୯୬୩ କୋଭିଡ୍ ଡୋଜ୍ ଦିଆଯାଇଥିବା ବେଳେ ଦେଶରେ ମୋଟ ୨୨୦,୬୬ କୋଟି ଭ୍ୟାକ୍ସିନ ଡୋଜ୍ ଦିଆଯାଇଛି।। ୨୦୨୧ ଜାନୁଆରୀ ୧୬ ତାରିଖରେ ଦେଶ ବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଅନ୍ୟପଟେ ସଂକ୍ରମଣ ବୃଦ୍ଧିକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ଉତ୍ତର ପ୍ରଦେଶ ସରକାର। ରାଜ୍ୟରେ ସମସ୍ତ ବିଦେଶ ଫେରାନ୍ତଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୁଳକ କରାଯାଇଛି। ଟେଷ୍ଟ କରାଯାଇ ଏସବୁ ଜେନୋମସିକ୍ୟୁଏନ୍ସ ପାଇଁ ପଠାଯିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଦେଶରେ ବଢ଼ୁଥିବା ସଂକ୍ରମଣ ଯୋଗୁ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ। ହଟସ୍ପଟ୍ଗୁଡ଼ିକୁ ଚିହ୍ନଟ କରିବା ସହ ଟେଷ୍ଟିଂ ବଢାଇ ଓ ଡାକ୍ତରଖାନା ପ୍ରସ୍ତୁତ ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ପୁଣି ରୂପ ବଦଳାଇଛି କରୋନା। ଓମିକ୍ରନର ସବ୍ ଭ୍ୟାରିଏଣ୍ଟ XBB.1.16ରେ ମ୍ୟୁଟେନସ ହୋଇ XBB.1.16.1 ଭ୍ୟାରିଏଣ୍ଟ ସୃଷ୍ଟି ହୋଇଛି। ଏଥିରେ ୧୧୩ ଜଣ ବି ପଜିଟିଭ୍ ହୋଇସାରିଛନ୍ତି। ବିଶେଷ କରି ସେଣ୍ଟ୍ରାଲ ଗୁଜରାଟ ଓ ମହାରାଷ୍ଟ୍ରରେ ଅଧିକାଂଶ ପଜିଟିଭ୍ XBB.1.16.1 ସଂକ୍ରମିତ ଥିବା ଜଣାପଡ଼ିଛି।
ସୂଚନା ଥାଉକି ଓମିକ୍ରନ୍ର ସବ୍ଭ୍ୟାରିଏଣ୍ଟ ଦେଶରେ XBB.1.16 ର ସଂକ୍ରମଣ ଦେଶରେ ସର୍ବାଧିକ ରହିଛି। ମୋଟ ସଂକ୍ରମଣର ୩୮.୨ ପ୍ରତିଶତ ଏହି ଭୂତାଣୁର ସଂକ୍ରମିତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଦେଇଛି। ସୂଚନା ଅନୁସାରେ ଓମିକ୍ରନର ସମସ୍ତ ସବ୍ଭ୍ୟାରିଏଣ୍ଟରେ XBB ସର୍ବାଧିକ ପ୍ରଭାବୀ ରହିଛି। ଗତ ୧୫ ମାସ ଭିତରେ ଦେଶରେ ଓମିକ୍ରନର ୪୦୦ ସବ୍ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୯୦ ପ୍ରତିଶତ XBB ଭ୍ୟାରିଏଣ୍ଟ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି।