ନୂଆଦିଲ୍ଲୀ: କାନାଡା ଏବଂ ଭାରତ ମଧ୍ୟରେ ବିବାଦ ଆହୁରି ଘନିଭୂତ ହୋଇଛି । ଭାରତ ସରକାର ସୋମବାର ଏକ ବଡ଼ ନିଷ୍ପତ୍ତି ନେଇ କାନାଡାରେ ଅବସ୍ଥାପିତ ନିଜ ରାଷ୍ଟ୍ରଦୂତ ଏବଂ ଟାର୍ଗେଟ୍ କରାଯାଉଥିବା ଅନ୍ୟ କୂଟନୀତିଜ୍ଞ ଏବଂ ଅଧିକାରୀଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ନେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଏହା ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ନୂଆ ଦିଲ୍ଲୀରେ କାନାଡା ହାଇକମିଶନରଙ୍କୁ ତଲବ କରିଥିଲା । ଏହାସହ କାନାଡା ଦ୍ୱାରା ଭାରତୀୟ ହାଇକମିଶନର ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ କୌଣସି ମାମଲାରେ ତଦନ୍ତ ପାଇଁ ତଲବ କରାଯିବାକୁ କଡ଼ା ଭର୍ତ୍ସନା କରିିଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି ।
କାନାଡା ରବିବାର କହିଥିଲା ଯେ ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିଶନ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ସନ୍ଦେହ ରହିଛି ଏବଂ ଏମାନଙ୍କୁ ପର୍ସନ ଅଫ୍ ଇନଟ୍ରେଷ୍ଟ ବୋଲି କହିଥିଲା । ଅର୍ଥାତ୍ କାନାଡା ସରକାର ଭାରତୀୟ ହାଇକମିଶନ ଏବଂ କୂଟନୀତିଜ୍ଞଙ୍କ ଏହି ମାମଲାରେ ସନ୍ଦିଗ୍ଧ ମାନୁଛି । ସୋମବାର ଅପରାହ୍ଣରେ ଭାରତର ବିଦେଶ ମନ୍ତ୍ରଣାଳୟ ସୋମବାର କହିଥିଲା ଯେ କାନାଡାର ବ୍ୟବହାର ଏହି ମାମଲାରେ ଅତ୍ୟନ୍ତ ଆପତ୍ତିଜନକ ଏବଂ ଦୁଇ ଦେଶର ସମ୍ପର୍କ ପାଇଁ ଠିକ୍ ନୁହେଁ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ ଟ୍ରୁଡୋ ସରକାର ବିନା କୌଣସି ପ୍ରମାଣରେ ଲଗାତାର ଭିତ୍ତିହୀନ ଅଭିଯୋଗ ଆଣୁଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ରାଜନୈତିକ ଏଜେଣ୍ଡା ଚଲାଇବା ପାଇଁ ଏହିପରି ଭିତ୍ତିହୀନ ଅଭିଯୋଗ ଆଣି ଭାରତର ଛବି ଖରାପ କରିବା ପାଇଁ ଉଦ୍ୟମ କରାଯାଉଛି । ଭାରତ ସରକାର କହିଥିଲେ ଯେ ଟ୍ରୁଡୋ ସରକାରଙ୍କ ଏହି ଏଜେଣ୍ଡା ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରେରିତ ଅଟେ ।
ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଥିଲା ଯେ ୨୦୨୩ ସେପ୍ଟେମ୍ୱରରେ ଟ୍ରୁଡୋଙ୍କ ଦ୍ୱାରା ଭିତ୍ତିହୀନ ଅଭିଯୋଗ କରାଯିବା ପରଠୁ କାନାଡା ସରକାର ଗୋଟିଏ ପ୍ରମାଣ ଦେଇ ନାହିଁ । ଅନ୍ୟପଟେ ଭାରତ ସରକାର ଅନେକ ଥର ଏହି ମାମଲାରେ ପ୍ରମାଣ ମାଗି ସାରିଛି । ବିଦେଶ ମନ୍ତ୍ରଣାଳୟ କହିଛି ଯେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ବିରୋଧୀ ଏଜେଣ୍ଡା ପୂର୍ବରୁ ଉଜାଗର ହୋଇସାରିଛି । ବିଦେଶ ମନ୍ତ୍ରଣାଳୟ ୨୦୧୮ରେ ଟ୍ରୁଡୋଙ୍କ ଭାରତ ଗସ୍ତକୁ ଭୋଟ୍ ବ୍ୟାଙ୍କ ରାଜନୀତିର ଏକ ଅଂଶ ବୋଲି କହିଥିଲା । ଏମଇଏ କହିଛି ଯେ ୨୦୨୦ରେ ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ଟ୍ରୁଡୋ ଦଖଲ ସ୍ପଷ୍ଟ କରିଥିଲା ଯେ ସେ ରାଜନୀତିକ ହିତ ହାସଲ ପାଇଁ କ'ଣ କ'ଣ କରିପାରିବେ । ଭାରତ ସରକାର ଆଜିର ବୟାନରେ କହିଥିଲେ ଯେ ଟ୍ରୁଡୋ କ୍ୟାବିନେଟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସିଧାସଳଖ ଭାରତ ବିରୋଧୀ କଟ୍ଟରପନ୍ଥୀ ଏବଂ ବିଚ୍ଛିନ୍ନତାବାଦୀରୁ ପ୍ରେରିତ ।