ସୀମା ବିବାଦ ଭିତରେ, ଚୀନକୁ ଔଷଧ ପଠାଇପାରେ ଭାରତ
23/12/2022 at 3:57 PM

ନୂଆଦିଲ୍ଲୀ: ଚୀନରେ କରୋନାର ତାଣ୍ଡବ ଭିତରେ ବିଭିନ୍ନ ପ୍ରକାର ଔଷଧର ଅଭାବ ସୃଷ୍ଟି ହୋଇଛି । ଏପରିସ୍ଥିତିରେ ଚୀନ ଭାରତ ଆଡକୁ ସହାୟତା ପାଇଁ ଚାହିଁ ରହିଛି । ଭାରତ ସରକାର କହିଛନ୍ତି ଯେ ଭାରତ ଦୁନିଆର ଫାର୍ମାସୀ ଏବଂ ସବୁବେଳେ ଅନ୍ୟ ଦେଶଙ୍କୁ ସାହାଯ୍ୟ କରିଛି ।
ଚୀନରେ କରୋନା କଟକଣା କହୋଳ ହେବା ପରେ ଦେଶରେ ଜ୍ୱର ଔଷଧ ଏବଂ ପରୀକ୍ଷଣ କିଟର ଚାହିଦା ବଢିଯାଇଛି । ଏହି କାରଣରୁ ଦୋକାନରେ ଗ୍ରାହକଙ୍କ ଦ୍ୱାରା କିଣା ସାମଗ୍ରୀ ଉପରେ ସୀମା ନିର୍ଦ୍ଧାରଣ କରାଯାଇଛି । ଔଷଧ ନିର୍ମାତା କମ୍ପାନି ଗୁଡିକ ମଧ୍ୟରେ ଉତ୍ପାଦନକୁ ବଢାଇଛନ୍ତି, କିନ୍ତୁ ଏବେ ବି ଆବଶ୍ୟକୀୟ ଯୋଗାଣ ସୁନିଶ୍ଚିତ ହୋଇପାରି ନାହିଁ । ଏହାରି ଭିରତରେ ଖବର ସାମନାକୁ ଆସିଛି ଯେ ଔଷଧ ପାଇଁ ଚୀନ ଏବେ ଭାରତଠାରୁ ସାହାଯ୍ୟ ଚାହିଁଛି । ଦୁନିଆକୁ ସବୁଠୁ ଅଧିକ ଔଷଧ ଯୋଗାଉଥିବା ଦେଶ ଗୁଡିକ ମଧ୍ୟରେ ଭାରତ ଥିବାରୁ ସେ ମଧ୍ୟ ସାହାଯ୍ୟ ପାଇଁ ପ୍ରସ୍ତୁତ ହୋଇଛି । ଭାରତରୁ ଔଷଧ ରପ୍ତାନୀ କରୁଥିବା ଗୋଟିଏ ସଂସ୍ଥାର ଅଧ୍ୟକ୍ଷ କହିଛନ୍ତି ଯେ ଭାରତ ଜ୍ୱର ଔଷଧ ରପ୍ତାନୀ ବଢାଇବାକୁ ପ୍ରସ୍ତୁତ ଅଛି ।
ଫାର୍ମାସ୍ୟୁଟିକଲ୍ସ ଏକ୍ସପୋର୍ଟ ପ୍ରୋମୋଶନ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ସାହିଲ ମୁଞ୍ଜାଲ ରୟଟର୍ସକୁ କହିଛନ୍ତି, ‘ଔଷଧ ନିର୍ମାଣ କରୁଥିବା କମ୍ପାନିଙ୍କ ନିକଟରେ ମାର୍କେଟିଂ ସହ ଜଡିତ ପ୍ରଶ୍ନ ଆସୁଛି ଏବଂ ବୁପ୍ରୋଫେନ ଏବଂ ପାରାସିଟାମୋଲର ମୂଲ୍ୟ ପଚରାଯାଉଛି’ । ମୁଞ୍ଜାଲ କହିଛନ୍ତି, ‘ଚୀନରେ ବର୍ତ୍ତମାନ ସମୟରେ ଇବୁପ୍ରୋଫେନ ଏବଂ ପାରାସିଟାମୋଲର ଅଭାବ ରହିଛି, ଏହାର ଆବଶ୍ୟକତା ବଢିଛି’।
ଭାରତର ବିଦେଶ ମନ୍ତ୍ରାଳୟ କହିଛି ଚୀନକୁ ସହାୟତା ଯୋଗାଇବାକୁ ଦେଶ ପ୍ରସ୍ତୁତ ଅଛି । ଏମଇଏ ମୁଖପାତ୍ର ଅରିବନ୍ଦ ବାଗଚୀ କହିଥିଲେ ଯେ ଚୀନର ସ୍ଥିତିର ଉପରେ ଆମେ ନଜର ରଖିଛୁ, ଦୁନିଆର ଫାର୍ମାସୀ ହୋଇଥିବାରୁ ଆମେ ସବୁବେଳେ ଅନ୍ୟ ଦେଶଙ୍କୁ ସାହାଯ୍ୟ କରିଛୁ ।