ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପାଇଁ ଭାରତ ରାଜି: ଜର୍ମାନୀ ଚାନ୍ସେଲରଙ୍କ ସହ ଆଲୋଚନା ପରେ କହିଲେ ମୋଦୀ
25/02/2023 at 8:03 PM

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଭାରତ ରାଜି। ଆଜି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୟୁକ୍ରେନ୍ ବିବାଦରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ସମସ୍ତ ପ୍ରକ୍ରିୟାରେ ଭାରତ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶନିବାର ଜର୍ମାନୀ ଚାନ୍ସେଲର ଓଲାଫ ସୋଲ୍ଜଙ୍କ ସହ ଆଲୋଚନା ବେଳେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ।
ଋଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଆମେରିକା ସମେତ ଅନେକ ଦେଶ ଦୀର୍ଘଦିନ ହେଲା ଭାରତକୁ ନିବେଦନ କରିଆସୁଥିଲେ। ଋଷକୁ ମନାଇବାରେ ଭାରତ ହିଁ ଏକମାତ୍ର ରାଷ୍ଟ୍ର ବୋଲି ପଶ୍ଚିମ ଦେଶଗୁଡ଼ିକର ଧାରଣା ରହିଛି। ତେଣୁ ଶାନ୍ତି ମାର୍ଗ ପାଇଁ ଭାରତ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଓଲାଫ ୨୦୨୧ ଡିସେମ୍ବର ନିର୍ବାଚନ ଜିତି ଜର୍ମାନୀ ଚାନ୍ସେଲର ହେବା ପରେ ସେ ପ୍ରଥମ ଭାରତ ଗସ୍ତର ଆସିଛନ୍ତି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ନୂଆ ଟେକ୍ନୋଲୋଜୀ ଓ ଜଳବାୟୁ ପରିବର୍ତ୍ତନ ଦିଗରେ ଦ୍ୱିପାଖିକ ସହଯୋଗ ବଢାଇବାକୁ ଆଲୋଚନା କରାଯାଇଛି।
ଏଥିସହିତ ଦୀର୍ଘ ବର୍ଷେ ହେଲା ଲାଗି ରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧର ପରିଣାମ, ଯଥା ଖାଦ୍ୟ ଓ ଶକ୍ତି ସମ୍ଭଳ ଉପରେ ଏହାର ପ୍ରଭାବ ଆଦି ବିଷୟ ଆଲୋଚନା ବି ହୋଇଛି।
ବୈଠକ ପରେ ଉଭୟ ପକ୍ଷରୁ ମିଳିତି ସାମ୍ବାଦିକ ସମ୍ମିଳନୀରେ ଜର୍ମାନୀ ଚାନ୍ସେଲର କହିଛନ୍ତି ଯେ ୟୁକ୍ରେନ୍ ବିରୋଧରେ ଋଷର ଆକ୍ରୋଶ ଏକ ବଡ଼ ବିନାଶ। ଯାହା ସାରା ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିଛି। ଏ ଦିଗରେ ଆମର ଆଭିମୁଖ୍ୟ କଣ ତାହା ସ୍ପଷ୍ଟ ହୋଇସାରିଛି।
ଅନ୍ୟପଟେ ମୋଦୀ ଗଣମାଧ୍ୟମକୁ ଦେଇଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି “ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ବିବାଦକୁ ଆଲୋଚନା ଓ କୂଟନୈତିକ ସ୍ତରରେ ସମାଧାନ କରିବାକୁ କହିଆସୁଛି। ତେଣୁ ୟୁକ୍ରେନ ବିବାଦର କୌଣସି ବି ଶାନ୍ତି ପ୍ରକ୍ରିୟାରେ ଭାରତ ସହଯୋଗ କରିବାକୁ ରାଜି।”
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ଓ ଜର୍ମାନୀ ମିଳିତ ହୋଇ ସକ୍ରିୟ ଭାବେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ସୀମାପାର ଆତଙ୍କବାଦକୁ ଦମନ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଦୁଇଦେଶ ସହମତି ପ୍ରକାଶ କରିଛନ୍ତି ବୋଲି ମୋଦୀ କହିଛନ୍ତି। ଅନ୍ୟପଟେ ଜର୍ମାନୀ ଚାନ୍ସେଲର କହିଛନ୍ତି ଯେ କୌଣସି ବି ଦେଶ ହିଂସା ମାଧ୍ୟମରେ ଦେଶରେ ସୀମାରେ ପରିବର୍ତ୍ତନ କରିପାରିବ ନାହିଁ। ଏହା ମୌଳିକ ନିୟମର ବିରୋଧ ବୋଲି ଚାନ୍ସେଲର ଓଲାଫ କହିଛନ୍ତି।
ସେହିପରି ଜର୍ମାନୀ ଓ ଭାରତର ସମ୍ପର୍କକୁ ନେଇ ମୋଦୀ କହିଛନ୍ତି ଯେ ଦୁଇଟି ସବୁଠାରୁ ବଡ଼ ଗଣତାନ୍ତ୍ରୀକ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସହଯୋଗ ବଢ଼ିବା କେବଳ ଦୁଇ ଦେଶର ନାଗରିକଙ୍କ ଫାଇଦା ଦେବନି ବରଂ ଆଜିର ସମସ୍ୟା ବହୁଳ ବିଶ୍ୱକୁ ଏକ ସକ୍ରିୟ ବାର୍ତ୍ତା ଦେବ। କୋଭିଡ୍ ମହାମାରୀ ଓ ୟୁକ୍ରେନ୍ ବିବାଦ ପୂରା ବିଶ୍ୱକୁ ସମସ୍ୟାରେ ପକାଇଛି। ବିଶେଷ କରି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଏଥିପାଇଁ ଅଧିକ କ୍ଷତି ସହିଛନ୍ତି ବୋଲି ମୋଦୀ କହିଛନ୍ତି।