କଙ୍ଗାରୁକୁ ହରାଇ ସେମିରେ ଭାରତ, ଦିନିକିଆ ବିଶ୍ଵକପ୍‌ର ପ୍ରତିଶୋଧ ନେଲା ରୋହିତ ବାହିନୀ

Published By : Prameya-News7 Bureau | June 24, 2024 IST

aajtak

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଭାରତ। ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍‌ର ମଧୁର ପ୍ରତିଶୋଧ ନେଇ ପାରିଛି ରୋହିତ ବାହିନୀ। ବିଜୟ ସହ ଭାରତ ଗ୍ରୁପ ୧ରୁ ପ୍ରଥମ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ପରାଜୟ ସହ ଅଷ୍ଟ୍ରେଲିଆର ସେମି ଫାଇନାଲ୍‌ ଯିବା ମୁସ୍କିଲ ହୋଇ ଯାଇଛି। କଙ୍ଗାରୁ ଦଳର ପରାଜୟରେ ଆଫଗାନିସ୍ତାନକୁ ବଡ଼ ଖୁସି ଦେଇଛି।  ଚତୁର୍ଥ ସେମି ଫାଇନାଲିଷ୍ଟ କିଏ ହେବ  ଆସନ୍ତାକାଲି ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍‌ର ଫଳାଫଳ ପରେ  ସ୍ପଷ୍ଟ ହେବ। 

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ଧୂଆଁଧାର ୯୨ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ସୂର୍ଯ୍ୟ ୩୧ ରନର ବିସ୍ଫୋରକ ଇନିଂସ କରିଥିଲେ। ୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୮୧  ରନରେ ସୀମିତ ରହିଛି। ଟ୍ରେଭିସ୍  ହେଡ୍‌ଙ୍କ ୭୬ ରନର ଲଢୁଆ ଇନିଂସ ନିଷ୍ଫଳ ହୋଇଛି। ମିଚେଲ୍ ମାର୍ଶ ୩୭ ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ରୋହିତ ଶର୍ମା ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 

୨୦୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆକୁ ୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଓ୍ଵାର୍ଣ୍ଣର(୬) ଅର୍ଶଦୀପଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଟ୍ରେଭିସ୍ ହେଡ୍ ଓ ମିଚେଲ୍ ମାର୍ଶ ଭାରତୀୟ ବୋଲରଙ୍କୁ ପାଲଟା ଆକ୍ରମଣ କରିଥିଲେ। ଦୁହେଁ ଧୂଆଁଧାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୧ ରନ ଯୋଡ଼ି ବିଜୟର ମୂଳଦୁଆ ପକାଇଥିଲେ ଏବଂ ଭାରତ ଚାପରେ ରହିଥିଲା। ତେବେ ମାର୍ଶଙ୍କୁ ଆଉଟ୍ କରି କୁଲଦୀପ ଭାରତକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ୨୦ ରନ କରି ଆଉଟ୍ ହୋଇଥିଲେ। 

ଏକଦା ୧୩ ଓଭରରେ ୧୨୮ ରନ କରି ମଜବୁତ ସ୍ଥିତିରେ ଥିବା ଅଷ୍ଟ୍ରେଲିଆକୁ ବ୍ୟାକଫୁଟ୍‌କୁ ଠେଲିଥିଲେ ଭାରତ। ଗୋଟିଏ ପଟେ ଟ୍ରେଭିସ୍ ହେଡ୍ ଅର୍ଦ୍ଧଶତକ ହାସଲ କରି ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟପଟେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା କଙ୍ଗାରୁ ଦଳ। ଶେଷ ଆଡ଼କୁ ଭାରତର ବୋଲର ଶାଣିତ ବୋଲିଂ କରିଥିଲେ। ଭାରତ ପାଇଁ ସର୍ବଦା ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ହେଡ୍‌ଙ୍କୁ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ ବୁମରା।  ହେଡ୍ ୪୩ ବଲ୍‌ରୁ ୯ ଚୌକା ଓ ୪ ଛକା ସହ ୭୬ ରନ କରି ପାଭିଲିୟନ ଫେରିଥିଲେ। ଷ୍ଟୋଇନିସ(୨) ଓ ଟିମ୍ ଡେଭିଡ୍(୧୫) ଆଉଟ୍ ହୋଇଥିଲେ। ଶେଷରେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୮୧  ରନରେ ସୀମିତ ରହିଛି। 

ଭାରତ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ୬ ରନ ସ୍କୋରରେ ବିରାଟ କୋହଲି ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ। ଏହା ପରେ ଆରମ୍ଭ  ହୋଇଥିଲା ରୋହିତ ଶର୍ମାଙ୍କ ସୁପର ଶୋ। ମିଚେଲ୍ ଷ୍ଟାର୍କଙ୍କୁ ଗୋଟିଏ ଓଭରରେ ୪ ଛକା ଓ ଗୋଟିଏ ଚୌକା ସହ ୨୯ ରନ ସଂଗ୍ରହ କରିଥିଲେ। ସେ ଚୌକା ଓ ଛକା ବର୍ଷା କରି ନିଜ ଦମରେ ଦଳର ସ୍କୋରକୁ ଆଗେଇ ନେଇଥିଲେ। ପନ୍ତଙ୍କ ସହ ମିଶି ରୋହିତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୭ ରନ ଯୋଡ଼ିଥିଲେ। ଅନ୍ୟପଟେ ରୋହିତ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ଶତକ ଆଡ଼କୁ ଅଗ୍ରସର  ହେଉଥିବା ରୋହିତ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଦେଇଥିଲା। ରୋହିତ କଙ୍ଗାରୁ ବୋଲରଙ୍କୁ ନିର୍ଧୁମ ପ୍ରହାର ୪୧ ବଲ୍‌ରୁ ୭ ଚୌକା ଓ ୮ ଛକା ସହ ୯୨ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ୧୬ ବଲରୁ ୩୧ ରନ କରି ଆଉଟ୍ ହୋଇଥିଲେ। 

ରୋହିତ ଓ ସୂର୍ଯ୍ୟଙ୍କ ଆଉଟ୍ ପରେ ଭାରତର ରନ ଗତି ପୁରା ଧିମେଇ ଯାଇଥିଲା। ଶିବମ ଦୁବେ ୨୮ ରନ କରିଥିଲେ ହେଁ ୨୨ ବଲ୍ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରୁ ୨୭ ରନ କରିଥିଲେ। ଏକଦା ୧୫ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିଥିବା ଭାରତ  ଶେଷ ୫ ଓଭରରେ ମାତ୍ର ୪୩ ରନ କରି ପାରିଛି। ଫଳରେ ଦଳକୁ ବଡ଼ ଆରମ୍ଭ ମିଳିଥିଲେ ହେଁ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଛି। 

 

 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.