ବିଶ୍ୱରେ ଦ୍ରୁତ ଗତିରେ କୂଟନୈତିକ ନେଟୱର୍କ ବିସ୍ତାର କରୁଛି ଭାରତ; ଚୀନକୁ ଟପିବା ସମ୍ଭବ କି ? ବୁଝନ୍ତୁ ଦେଶର ଟପ୍ ୩ ବିଦେଶ ନୀତି

Published By : Prameya-News7 Bureau | February 25, 2024 IST

ନୂଆଦିଲ୍ଲୀ: ଅନ୍ୟ କୌଣସି ଦେଶ ତୁଳନାରେ ଭାରତର କୂଟନୈତିକ ନେଟୱର୍କ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ୨୦୨୧ ଠାରୁ ଭାରତ ବିଶ୍ୱରେ ୧୧ଟି ଡିପ୍ଲୋମାଟିକ ପୋଷ୍ଟ ସ୍ଥାପନ କରିଛି। ଅଷ୍ଟ୍ରେଲିଆ ସିଡ୍‌ନୀର ଲୋଇ ଇନଷ୍ଟିଚ୍ୟୁଟ୍ ରବିବାର ପ୍ରକାଶ କରିଥିବା ଗ୍ଲୋବାଲ ଡିପ୍ଲୋମାଟିକ ଇଣ୍ଡେକ୍ସର ଏହି ତଥ୍ୟ ସାମ୍ନାକୁ ଆସିଛି। ତେବେ ଡିପ୍ଲୋମେଟିକ ପୋଷ୍ଟ ଖୋଲିବାରେ ଚୀନ ସବୁଠାରୁ ଆଗରେ ରହିଛି। ତା ପଛକୁ ରହିଛି ଆମେରିକା। ଏହି ଦୁଇ ଦେଶ ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି।

ରିପୋର୍ଟ ଅନୁସାରେ, ପାଖାପାଖି ତିନି ଚତୁର୍ଥାଂଶ(୮) ଭାରତୀୟ ଡିପ୍ଲୋମାଟିକ ପୋଷ୍ଟ ଆଫ୍ରିକାରେ ରହିଛି। ଆଫ୍ରିକୀୟ ଅଞ୍ଚଳରେ ଭାରତ ଅର୍ଥନୈତିକ ଚୁକ୍ତି ମଜଭୁତ କରିବାରେ ଲାଗିଛି। ବିଶ୍ୱର ଦକ୍ଷିଣାଞ୍ଚଳରେ ନେତୃତ୍ୱ ନେବାର ମହତ୍ୱକାଂକ୍ଷାରେ ଭାରତ ଏ ଦିଗରେ ଦ୍ରୁତ ଗତିରେ ପାଦ ବଢ଼ାଉଛି।

ବିଶେଷ କରି ଆଫ୍ରିକା, ଏସିଆ ଓ ୟୁରୋପରେ ଭାରତର କୁଟନୈତିକ ପ୍ରଭାବ ଅଧିକ ରହିଛି। ଏଥିସହିତ ଏସିଆର ପ୍ରତ୍ୟେକ ଦେଶ, ପୂର୍ବ ଆଫ୍ରିକା ଓ ଭାରତ ମହାସାଗର କ୍ଷେତ୍ରରେ ଭାରତ ପ୍ରତିନିଧିତ୍ୱ ମଧ୍ୟ କରୁଛି।  

ଭାରତର ବିଦେଶ ନୀତି

ନେବରହୁଡ୍ ପାଷ୍ଟ ପଲିସି- ବିଶ୍ୱସ୍ତରରେ ପ୍ରଭାବ ବିସ୍ତାର କରିବା ପାଇଁ ଭାରତ ଏକାଧିକ ବିଦେଶ ନୀତି ଆପଣାଉଛି। ବିଶ୍ୱର ଦେଶର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଭାରତ ପ୍ରଥମେ ପଡ଼ୋଶୀ ପ୍ରଥମ ନୀତି(ନେବରହୁଡ୍ ପାଷ୍ଟ ପଲିସି) ଓ ଆକ୍ଟ ଇଷ୍ଟ ପଲିସି ଓ ସାଗର ନୀତିକୁ ଗୁରୁତ୍ୱ ଦେଉଛି। ନେବରହୁଡ ପଲିସିରେ ଭାରତ ନିଜର ନିକଟତମ ପଡ଼ୋଶୀ ରାଷ୍ଟ୍ରଗୁଡିକ ସହ ସୁସମ୍ପର୍କ ସ୍ଥାପନା କରିବାକୁ ଗୁରୁତ୍ୱ ଦେଇଥାଏ। ଭାରତ ପଡ଼ୋଶୀ ରାଷ୍ଟ୍ର- ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ମିଆଁମାର, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ସହ ଫିଜିକାଲ, ଡିଜିଟାଲ ଓ ଲୋକ ସମ୍ପର୍କ ରକ୍ଷା କରିବାକୁ ଚେଷ୍ଟା କରିଥାଏ। ଏଥିସହିତ ବେପାର ବଣିଜ୍ୟ ବଢ଼ାଇକୁ ଗୁରୁତ୍ୱ ଦେଇଥାଏ।

ପଢ଼ନ୍ତୁ-ଭାରତୀୟମାନେ ଖାଇବାରେ କମ୍, ଟିଭି ଫ୍ରିଜ୍‌ରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି: ରିପୋର୍ଟ

ଆକ୍ଟ ଇଷ୍ଟ ପଲିସି- ସେହିପରି ଆକ୍ଟ ଇଷ୍ଟ ପଲିସିରେ ଭାରତ ପ୍ରଶାନ୍ତ ମସାହାଗର ନିକଟସ୍ଥ ପଡ଼ୋଶୀ ରାଷ୍ଟ୍ରଙ୍କ ପ୍ରତି ସକ୍ରିୟ ଓ ବ୍ୟବହାରିକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଇଥାଏ। ଚୀନ୍‌ର ଅଭିଳାଷକୁ ଚେକ୍ ଦେବା ପାଇଁ ଭାରତ-ପ୍ରଶାନ୍ତ ମହାସାଗରରେ ଥିବା ପଡ଼ୋଶୀ ଦେଶମାନଙ୍କ ସହ ଅର୍ଥନୈତିକ ସହଯୋଗ, ସାଂସ୍କୃତିକ ଓ ରଣନୈତିକ ସମ୍ପର୍କ ବିକାଶ କରିଥାଏ। ଭାରତର ଆକ୍ଟ ଇଷ୍ଟ ପଲିସିରେ ଦକ୍ଷିଣ-ପୂର୍ବ ରାଷ୍ଟ୍ର ସଂଘ(ASEAN) ସହ ସୁ ସମ୍ପର୍କ ସ୍ଥାପନା କରିବା ମୂଳ ଉଦ୍ଦେଶ୍ୟ।

ଏସିଆନ ଦେଶଗୁଡ଼ିକ ସହ ଦ୍ୱିପାଖିକ ସମ୍ପର୍କ ମଜଭୁତ କରିବା ସହ ବହୁପକ୍ଷୀୟ ଏବଂ ବହୁମୁଖୀ ଅନୁଷ୍ଠାନ ଯଥା ASEAN, ଇଷ୍ଟ ଏସିଆ ସମ୍ମିଟ, ଏସିଆନ ଡିଫେନ୍ସ ମିନିଷ୍ଟର ମିଟିଂ ପ୍ଲସ୍, ଏସିଆନ ରିଜୋନାଲ୍ ଫୋରୋମ, ଏକ୍ସପାଣ୍ଡେଡ୍ ଏସିଆନ ମାରିଟାଇମ୍ ଫୋରୋମ, ଇଣ୍ଡିଆନ ଓସିନ ରିମ ଆସୋସିସଏସନ, ଇଣ୍ଡିଆ ଓସିନ କମିସନ, ଇଣ୍ଡିଆନ ଓସିନ ନାଭାଲ ସିମ୍ପୋସିୟମ, କ୍ୱାଡ ଆଦି ସଂସ୍ଥାରେ ନିଜର ଉପସ୍ଥିତି ବଢ଼ାଉଛି।

ସାଗର ପଲିସି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୨ ମାର୍ଚ୍ଚ ୨୦୧୫ରେ ପୂର୍ବ ଆଫ୍ରିକୀୟ ଦେଶ ମରିସସ୍‌ରେ ଏହି ସାଗର (ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍ ଫର ଅଲ୍ ଇନ୍ ଦ ରିଜନ) ନୀତିର ଆରମ୍ଭ କରାଯାଇଥିଲା ଏହି ନୀତିରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଏକ ସ୍ୱତନ୍ତ୍ର, ମୁକ୍ତ,ସମାବେଶୀ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧିର ପରିକଳ୍ପନା କରିଥାଏ। ତେବେ ଅନ୍ତର୍ଜାତୀୟ ସୀମା ନିୟମ, ନେଭିଗେସନ ଓ ଓଭରନାଇଟର ସ୍ୱାଧୀନତ ଦେଶର ଅଖଣ୍ଡତା ପ୍ରତି ପାରସ୍ପରିକ ସମ୍ମାନ ଅନୁସାରେ ଏହା ପାଳନ ହେବ। ତେବେ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଭାରତର ଉପସ୍ଥିତି କମ୍ ରହିଛି। ପ୍ରଶାନ୍ତ ଦ୍ୱୀପ ସମୁହ ଫୋରମ୍ ସଦସ୍ୟଙ୍କ ମଧ୍ୟରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଛାଡ଼ିଦେଲେ ଭାରତ ମାତ୍ର ଦୁଇଟି ଡିପ୍ଲୋମାଟିକ ପୋଷ୍ଟ ପରିଚାଳନା କରୁଛି ବୋଲି ୨୦୨୪ ଗ୍ଲୋବାଲ ଡିପ୍ଲୋମାସି ଇଣ୍ଡେକ୍ସ ରିପୋର୍ଟ କହିଛି।  

ପଢ଼ନ୍ତୁ-ସହରାଞ୍ଚଳ ତୁଳନାରେ ବଢିଛି ଗ୍ରାମାଞ୍ଚଳ ଲୋକଙ୍କ ବ୍ୟୟ, ୧୧ ବର୍ଷ ପରେ ଆସିଛି ସର୍ଭେ ରିପୋର୍ଟ

ଚୀନ ପଛରେ ଆମେରିକା

ତେବେ କୂଟନୀତି ସମ୍ପର୍କ ସ୍ଥାପନା କରି ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିବାରେ ଭାରତ ଚୀନ ସମକକ୍ଷ ହେବା ଏବେ ବୋଧହୁଏ ସମ୍ଭବ ନୁହେଁ। କାରଣ ଚୀନ ଏ ଦିଗରେ ଆମେରିକାକୁ ପଛରେ ପକାଇ ଏକ ନମ୍ବରରେ ରହିଛି। ବିଶ୍ୱରେ ଚୀନର ୨୭୪ କୂଟନୈତିକ ଅଫିସ୍ ରହିଥିବା ବେଳେ ଆମେରିକାର ୨୭୧ ପୋଷ୍ଟ ରହିଛି। ଭାରତର ପଡ଼ୋଶୀ ଚୀନ ଆଫ୍ରିକା, ପୂର୍ବ ଏସିଆ, କେନ୍ଦ୍ର ଏସିଆ ଓ ପ୍ରଶାନ୍ତ ମହାସାଗର ଦ୍ୱୀପ ଦେଶ ସମୁହରେ ନିଜର ବଡ଼ ପ୍ରଭାବ ବିସ୍ତାର କରିଛି। ସେହିପରି ୟୁରୋପ, ଦ ଆମେରିକାସ୍ ଓ ଦକ୍ଷିଣ ଏସିଆରେ ଆମେରିକାର ପ୍ରଭାବ ଅଧିକ ରହିଛି। ସୂଚନା ଥାଉକି କୂଟନୈତିକ ବିସ୍ତାରରେ ଚୀନ ୨୦୧୧ରେ ଆମେରିକାକୁ ପଛରେ ପକାଇଥିଲା। ତୃତୀୟରେ ତୁର୍କୀ ରହିଥିବା ବେଳେ ୨୫୧ ଅଫିସ୍‌ ସହ ଜାପାନ ଚତୁର୍ଥରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.