ଖେଳନା ବଜାରରୁ ହେବ ଚୀନ୍ର ଛୁଟି, ସାରା ବିଶ୍ୱରେ ଦେଖାଯିବ ‘ଏକ ଭାରତ ଶ୍ରେଷ୍ଠ’ ଭାରତର ଛାପ
24/08/2020 at 9:37 PM

ନୂଆଦିଲ୍ଲୀ ୨୪।୮: ପିଲାଙ୍କ ଖେଳନା ବଜାରରୁ ଚୀନ୍କୁ ଛୁଟି ଦେବା ଲାଗି ଭାରତର ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଖେଳନା ମାନୁଫେକ୍ଚରିଂ ପ୍ରୋତ୍ସାହନ ଯୋଜନାର ସମୀକ୍ଷା କରିଛନ୍ତି। ଏଥିରେ କେବଳ ଦେଶୀୟ ବଜାର ନୁହେଁ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଛାପ ଥିବା ଆଧୁନିକ ଖେଳନା ଦେଖିବାକୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତରେ ପ୍ରାୟ ୧ ହାଜର କୋଟି ଟଙ୍କାର ଖେଳନା ବ୍ୟବସାୟ ରହିଛି। ଏଥିରୁ ସଙ୍ଗଠିତ ଖେଳନା ବଜାର ପ୍ରାୟ ୩୫୦୦ରୁ ୪ ହଜାର କୋଟି ଟଙ୍କାର। ତେବେ ଏହି ଖେଳନା ବଜାର ଚୀନ୍ ଆମଦାନୀ ଉପରେ ନିର୍ଭରଶୀଳ। ଏଣୁ ଏହି ଖେଳନା ବଜାରକୁ ହତୋତ୍ସାହିତ କରିବା ଲାଗି ସରକାର ଗତ ଫବୃଆରୀମାସରେ ଏପରି ଖେଳନାର ଆମଦାନୀ ଶୁଳ୍କ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଦେଶକୁ ଚୀନରୁ ଖେଳନା ଆମଦାନୀ ଜାରି ରହିଛି।

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଖୁବଶୀଘ୍ର ଖେଳନା ଆମଦାନୀ ନେଇ ନୂଆ ନୀତି ଲାଗୁ କରିପାରନ୍ତି। ଏଥିଲାଗି ଦେଶରେ ଲାଇସେନ୍ସ ବ୍ୟବସ୍ଥା ମଧ୍ୟ କରାଯାଇପାରେ। ଏଣୁ ଭାରତୀୟ ଖେଳନାର ବଜାର ଚାହିଦା ବୃଦ୍ଧି ହେବ ବୋଲି ଆଶା କରାଯାଉଥିବା ବେଳେ ବ୍ୟବସାୟୀଙ୍କୁ ମଧ୍ୟ ଏଥିଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଭାରତୀୟ ଖେଳନା କେବଳ ଶିଶୁଙ୍କ ମନୋରଞ୍ଜନ ଲାଗି ନୁହେଁ ଏହା ଯେପରି ଶିଶୁକୁ ଭିତରୁ ପ୍ରସ୍ତୁତ କରିବାରେ ସହାୟକ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଖେଳନା ମାନୁଫେକ୍ଚରରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ସବୁ ଅଙ୍ଗନବାଡୀ କେନ୍ଦ୍ରରେ ଭାରତ ନିର୍ମିତ ଖେଳନା ମାଧ୍ୟମରେ ଶିକ୍ଷାଦାନ ମଧ୍ୟ କରାଯାଇପାରେ। ଏଣୁ ଖେଳନା ନିର୍ମାଣ ଲାଗି ନୂଆ ଜ୍ଞାନ କୌଶଳ ଓ ପ୍ରଜୁକ୍ତି ଲାଗି ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।