ସିକିଲ୍ସେଲ୍ ଆନିମିଆ ମୁକ୍ତ ହେବ ଭାରତ, ସରକାର ଆଣିଲେ ଯୋଜନା, ଜାଣନ୍ତୁ କେତେ ମାରାତ୍ମକ ଏହି ରୋଗ…
2/02/2023 at 7:13 PM

ନୂଆଦିଲ୍ଲୀ, ୦୨/୦୨: ବୁଧବାର ଅର୍ଥମନ୍ତ୍ରୀ ନିମର୍ଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ ଅର୍ଥମନ୍ତ୍ରୀ ସିକିଲସେଲ୍ ଆନିମିଆ ମୂଳୋତ୍ପାଟନ ପାଇଁ ଯୋଜନା ଘୋଷଣା କରିଛନ୍ତି ଖାସ୍କରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏହି ରୋଗ ସହ ଲଢ଼ିବା ପାଇଁ ଯୋଜନା କରାଯାଇଛି। ୨୦୪୭ ସୁଦ୍ଧା ଏହି ରୋଗରୁ ମୁକ୍ତି ପାଇଁ ଏହି ମିଶନର ଲକ୍ଷ୍ୟ ରହିଛି। ଏହି ମିଶନରେ ସିକିଲସେଲ୍ ଆନିମିଆକୁ ନେଇ ସଚେତନ କରାଯିବ। ୦-୪୦ ବର୍ଷ ବୟସର ବର୍ଗର ୭ କୋଟି ଲୋକଙ୍କ ସ୍କ୍ରିନିଂ କରାଯିବ ଏବଂ ଏହା ସହ ସେମାନଙ୍କ କାଉନସେଲିଂ କରାଯିବ। ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବରେ କାମ କରିବେ ବୋଲି ସଂସଦରେ କହିଛନ୍ତି ଅର୍ଥମନ୍ତ୍ରୀ। ତେବେ ଏହି ସିକିଲସେଲ୍ ଆନିମିଆ କ’ଣ ଏବଂ ଏହାର କ’ଣ ଲକ୍ଷଣ ରହିଛି ତାହା ବିଷୟରେ ଆସନ୍ତୁ ଜାଣିବା।
କ’ଣ ଏହି ସିକିଲସେଲ୍ ଆନିମିଆ
ସିକିଲସେଲ୍ ଆନିମିଆ ହେଉଛି ଏକ ରକ୍ତ ଜନିତ ବଂଶଗତ ରୋଗ। ଏହି ରୋଗ ଶରୀରର ଲୋହିତ ରକ୍ତ କଣିକା ଉପରେ ଗୁରତର ପ୍ରଭାବ ପକାଇଥାଏ। ଏହି ରୋଗ ଯୋଗୁଁ ଶରୀରର ଲୋହିତ ରକ୍ତ କଣିକାର ଆକାରରେ ପରିବର୍ତ୍ତନ ହୋଇଥାଏ। ଏହା ଯୋଗୁଁ ଗୋଲାକାର ଆକୃତିର ଲାଲ୍ ରକ୍ତ କଣିକା ଗୁଡ଼ିକ ଦାଆ ଆକୃତିର ହୋଇଯିବା ସହ ରକ୍ତନଳୀରେ ଅଠା ଭଳି ଲାଗିଯାଇଥାଏ। ଫଳରେ ରକ୍ତରେ ପର୍ଯ୍ୟାପ୍ତ ପରିମାଣର ଲୋହିତ ରକ୍ତ କଣିକାର ଅଭାବ ହୋଇଥାଏ ଏବଂ ବ୍ୟକ୍ତିଙ୍କ ଠାରେ ରକ୍ତହୀନତା ଦେଖାଦେଇଥାଏ। ଆଉ ରକ୍ତହୀନତା ଯୋଗୁଁ ଶରୀର କୋଷଗୁଡ଼ିକୁ ପର୍ଯ୍ୟାପ୍ତ ଅମ୍ଳଜାନ ପହଞ୍ଚାଇବାକୁ ଅସମର୍ଥ ହୋଇଥାଏ। ଜନ୍ମରୁ ଏହି ରୋଗ ଜଣାପଡ଼ିନଥାଏ କିନ୍ତୁ କିଛି ମାସ ପରେ ଏହାର ଲକ୍ଷଣ ଦେଖାଯାଇଥାଏ।
ଏହାର ଲକ୍ଷଣ:
ସିକିଲ୍ସେଲ୍ ଆନିମିଆ ଏକ ବଂଶଗତ ରୋଗ। ଏହି ରୋଗ ହେଲେ ଅତ୍ୟଧିକ ଥକ୍କା ଲାଗିବା ହାତ ଏବଂ ପାଦ ଫୁଲିଯିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏମିତିକି ଜଣ୍ଡିସ୍ ମଧ୍ୟ ହୋଇଥାଏ। ଅନେକ ଲୋକ ଏହି ରୋଗରୁ ସୁସ୍ଥ ହୋଇପାରିନଥାନ୍ତି। ଏହି ରୋଗରେ ଆଉ ଏକ ଲକ୍ଷଣ ହେଉଛି ରକ୍ତହୀନତା। ଯେଉଁଥିରେ ଲୋହିତ ରକ୍ତ କଣିକା ଗୁଡ଼ିକ ୧୦ ରୁ ୨୦ ଦିନ ମଧ୍ୟରେ ମରିଯାଇଥାନ୍ତି। ଫଳରେ ରକ୍ତରେ ଲାଲ୍ ରକ୍ତ କଣିକାର ଅଭାବ ଦେଖାଦେଇଥାଏ ଏବଂ ଶରୀରକୁ ଅଧିକ ଥକ୍କା ଲାଗିଥାଏ।
ଆହୁରି ମଧ୍ୟ ଶରୀରରେ ତୀବ୍ର ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଛାତି. ବାହୁ, ଗୋଡ଼ ଏବଂ ଗଣ୍ଠିରେ ତୀବ୍ର ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣା କିଛି ଘଣ୍ଟାରୁ ନେଇ ଦିନ ଦିନ ପର୍ଯ୍ୟନ୍ତ ରହିଥାଏ। ହାତ ଏବଂ ପାଦ ଫୁଲିଯାଏ। ଶରୀରରେ ସଂକ୍ରମଣ ଆଶଙ୍କା ବଢ଼ିଯାଏ। ଲାଲ୍ ରକ୍ତ କଣିକା ଅଭାବରୁ ଶିଶୁ ଏବଂ ପିଲାଙ୍କ ଠାରେ ଯୌବନ ପ୍ରାପ୍ତି କରିବାରେ ଧୀର ତଥା ବିଳମ୍ବ ହୋଇଥାଏ।
ଚିକିତ୍ସା:
ଏହି ରୋଗର କୌଣସି ଚିକିତ୍ସା ନାହିଁ। ତେବେ ଷ୍ଟିମ୍ ସେଲ୍ ଏବଂ ବୋନ୍ ମ୍ୟାରେ ପରିବର୍ତ୍ତନ ଦ୍ବାରା ଏଥିରୁ ସୁସ୍ଥ ହୋଇପାରେ। କିନ୍ତୁ ଏଥିରେ ଅନେକ ବିପଦ ରହିଛି।