ଅନଲାଇନ ମନି ଗେମ୍ସ ଉପରେ ରହିବ ନଜର, ଅଭ୍ୟାସରେ ପରିଣତକୁ ନେଇ ଚିନ୍ତାରେ ସରକାର

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଲୀ: ଭାରତରେ ସବୁ ଅନଲାଇନ୍ ମନି ଗେମ୍ସ ସରକାରଙ୍କ ନଜରରେ ରହିବ । ପ୍ରଥମେ ଖବର ଥିଲା ଯେ ସ୍କିଲ୍ ବେସଡ୍ ଏବଂ ଚାନ୍ସ ବେସଡ୍ ଖେଳ ଉପରେ ଅଲଗା-ଅଲଗା ଭାବେ ନଜର ରଖାଯିବ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ମାର୍ଗଦର୍ଶିକା ଅନୁସାରେ, ସବୁ ଅନଲାଇନ ଗେମ୍ସ ପାଇଁ ଗୋଟିଏ ନିୟମ ଲାଗୁ ହେବ । ରିସର୍ଚ୍ଚ ଫର୍ମ ରେଡସିୟର ଅନୁସାରେ ୨୦୨୬ ମସିହା ସୁଦ୍ଧା ଭାରତରେ ଅନଲାଇନ ଗେମ୍ସ ବଜାର ୭ ବିଲିୟନ ଡଲାର ହୋଇଯିବ । ଏହି ଦୃଷ୍ଟିରୁ ନିୟମର ଗୁରୁତ୍ୱ ଅଧିକ ବଢିଯାଇଛି । ସୂତ୍ର ଅନୁସାରେ ମୋଦୀ ସରକାର ଏହି ପ୍ଲାଟଫର୍ମର ଅଭ୍ୟାସରେ ପରିଣତ ହେବାକୁ ମଧ୍ୟ ଚିନ୍ତାରେ ଅଛି ।

ଅଗଷ୍ଟରେ ଅନଲାଇନ ଗେମ୍ସ ଉପରେ ଆଇନ କରାଯାଇଥିଲା, ଏଥିରେ ଗୋଟିଏ ପ୍ରସ୍ତାବ ରଖାଯାଇଥିଲା । ଏଥିରେ ଖେଳ ଗୁଡିକୁ ଦକ୍ଷତା ଏବଂ ଚାନ୍ସ ଆଧାରରେ ଅଲଗା କରିବା କଥା କୁହାଯାଇଥିଲା । ଏହାସହ ଉଭୟ ପାଇଁ ଭିନ୍ନ-ଭିନ୍ନ ଆଇନ କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା । ଚାନ୍ସ ଗେମ୍ସ ଗୁଡିକ ଗ୍ୟାମଲିଂ ସହ ଜଡିତ ରହିଛି, ଯାହା ସାରା ଭାରତରେ ବ୍ୟାନ ରହିଛି । ଏହି ଖେଳ ଗୁଡିକୁ ରାଜ୍ୟ ସରକାରଙ୍କ ନିରୀକ୍ଷଣରେ ରଖାଯିବାର ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଅକ୍ଟୋବର ୨୬ରେ ସରକାରୀ ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଏହା ଉପରେ ଆପତ୍ତି ଉଠାଇଥିଲେ ।

ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଅନୁସାରେ ସ୍କିଲ ଏବଂ ଚାନ୍ସ ଗେମ୍ସକୁ ଅଲଗା କରିବା ଅନେକ କାରଣରୁ ସହଜ ନଥିଲା । ଏଥିରେ ଆଇନର ସ୍ପଷ୍ଟତା, କୋର୍ଟଙ୍କ ନିଷ୍ପତ୍ତି ସହ ଜଡିତ ବାଧା ରହିଥିଲା । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ କାର୍ଡ ଗେମ ରମି ଏବଂ କିଛି ଅନ୍ୟ ଫାଣ୍ଟାସୀ ଗେମ୍ସକୁ ସ୍କିଲ ବେସଡ୍ ଗେମ୍ କହି ଏହାକୁ ଆଇନ ସମ୍ମତ କହିଥିଲେ ।  ଅନ୍ୟପଟେ ବିଭିନ୍ନ ରାଜ୍ୟର କୋର୍ଟରେ ପୋକର ପରି ଖେଳକୁ ନେଇ ଅଲଗା ଅଲଗା ରାୟ ରହିଛି । କିନ୍ତୁ ବର୍ତ୍ତମାନର ସୂଚନା ଅନୁସାରେ ନୂଆ ଆଇନରେ ଏହି ଅନଲାଇନ ଖେଳ ଗୁଡିକ ଉପରେ ନଜର ରଖିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଉପରେ ରହିବ । ଅନ୍ୟପଟେ ରାଜ୍ୟ ସରକାର ଗ୍ୟାମଲିଂ ଅବା ଚାନ୍ସ ଗେମ୍ସ ଉପରେ ପ୍ରତିବନ୍ଧକ ଲାଗୁ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.