ଏସିଆ କପ୍ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଗୋଟିଏ ଗ୍ରୁପରେ ଅଛନ୍ତି ଦୁଇ ପ୍ରତିଦ୍ଵନ୍ଦ୍ଵୀ
5/01/2023 at 5:32 PM

ନୂଆଦିଲ୍ଲୀ: ଏସିଆ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ଜୟ ଶାହ ୨୦୨୩ ଏବଂ ୨୦୨୪ରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଜାରି କରିଛନ୍ତି। ୨୦୨୩ରେ ପାକିସ୍ତାନରେ ଆୟୋଜନ ହେବାକୁ ଥିବା ଏସିଆ କପ୍ର କାର୍ଯ୍ୟସୂଚୀ ଉପରେ ସଭିଙ୍କ ନଜର ରହିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ଦିନିକିଆ ଫର୍ମାଟ୍ରେ ଖେଳାଯିବ। ଗୋଟିଏ ଗ୍ରୁପରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ରହିଥିବା ଅନ୍ୟ ଗ୍ରୁପରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ରହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ଯେ, ଏସିଆ କପ୍ର ଆୟୋଜନ ପାକିସ୍ତାନରେ ହେବ କି ନାହିଁ। କିନ୍ତୁ ଆୟୋଜନର ଅଧିକାର ପାକିସ୍ତାନ ନିକଟରେ ରହିଛି। କିନ୍ତୁ ବିସିସିଆଇ ସଂପାଦକ ଜୟ ଶାହ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ, ଭାରତ ପାକିସ୍ତାନ ଯିବ ନାହିଁ।
ଜୟ ଶାହ ଟ୍ଵିଟ୍ କରି ଲେଖିଛନ୍ତି, ୨୦୨୩ ଏବଂ ୨୦୨୪ ପାଇଁ ଏସିସିର ପାଥଓ୍ଵେ ଷ୍ଟ୍ରକଚର ଏବଂ କ୍ରିକେଟ୍ କ୍ୟାଲେଣ୍ଡର ଜାରି କରୁଛି। ଏହା ଖେଳକୁ ନୂତନ ଦିଗକୁ ନେବାରେ ଆମର ଅଦ୍ଵିତୀୟ ପ୍ରୟାସ ଏବଂ ସମର୍ପଣକୁ ଦର୍ଶାଉଛି। ଦମଦାର ପ୍ରଦର୍ଶନ ପାଇଁ ପ୍ରସ୍ତୁତ କ୍ରିକେଟରଙ୍କ ସହିତ ଏହି ସମୟ ବହୁତ ଭଲ ରହିବ।
Presenting the @ACCMedia1 pathway structure & cricket calendars for 2023 & 2024! This signals our unparalleled efforts & passion to take this game to new heights. With cricketers across countries gearing up for spectacular performances, it promises to be a good time for cricket! pic.twitter.com/atzBO4XjIn
— Jay Shah (@JayShah) January 5, 2023
ଏସିଆ କପ୍ ୨୦୨୩ରେ ଲିଗ୍ ପର୍ଯ୍ୟାୟ, ସୁପର-୪ ଏବଂ ଫାଇନାଲ୍କୁ ମିଶାଇ ମୋଟ୍ ୧୩ଟି ମ୍ୟାଚ୍ ଖେଳାଯିବ। ତେବେ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ସାମ୍ନାକୁ ଆସିନାହିଁ। ଏହାର କାରଣ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ଏବେ କିଛି ସ୍ପଷ୍ଟ ହୋଇ ପାରିନାହିଁ। ଭାରତ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ଗତ ବର୍ଷ ଡିସେମ୍ବରରେ ବିସିସିଆଇ ସଂପାଦକ ଜୟ ଶାହ ସ୍ପଷ୍ଟ କରିଥିଲେ। ବିସିସିଆଇର ଏହି ବୟାନ ପରେ ପାକିସ୍ତାନରେ ଚହଳ ପଡିଥିଲା।
ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ୍ ଦଳ ୨୦୦୮ ପରଠୁ ପାକିସ୍ତାନ ଗସ୍ତ କରି ନାହିଁ। ୨୦୦୮ରେ ଏସିଆ କପ୍ ପାଇଁ ଭାରତୀୟ ଦଳ ଶେଷ ଥର ପାକିସ୍ତାନ ଯାତ୍ରା କରିଥିଲା। ତେବେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ବନ୍ଧରେ ତିକ୍ତତା କାରଣରୁ ଦୁଇ ଦେଶର କ୍ରିକେଟ୍ ଦଳ ମଧ୍ୟରେ ଦୀର୍ଘ ସମୟ ହେବ ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳା ଯାଇ ପାରିନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଏସିଆ କପ୍ ସମୟରେ ଆୟୋଜନ ହୋଇଥାଏ।