ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମିଶନ୍‌ ଟି-୨୦ ବିଶ୍ୱକପ୍‌, ୨୮ରୁ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

27/09/2022 at 11:33 AM

ଥିରୁଅନନ୍ତପୁରମ ୨୭।୦୯ : ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଶେଷ ହୋଇଛି । ଭାରତ ୨-୧ରେ ସିରିଜ ଜିତି ମନୋବଳ ଦୃଢ କରିଛି । ଆସନ୍ତା ମାସରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଆଉ ୩ଟି ଟି-ଟ୍ୱେଣ୍ଟି ଓ ସମାନ ସଂଖ୍ୟକ ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଭାରତରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି । ୨୮ ତାରିଖରୁ ଉଭୟ ଦଳ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବ । ଏହି ସିରିଜ ପୂର୍ବରୁ ଆହତ ଓ ଅସୁସ୍ଥତା ଜନିତ ସମସ୍ୟା ଭାରତୀୟ ଦଳକୁ ଚିନ୍ତାରେ ପକାଇଛି । ଦୀପକ ହୁଡ଼ା ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ କରୋନା ସଂକ୍ରମିତ ହୋଇଥିବା ପେସ୍‌ ବୋଲର ମହମ୍ମଦ ସାମି ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହାନ୍ତି ।

ପୂର୍ବରୁ ଷ୍ଟାଣ୍ଡବାଇ ଭାବେ ରହିଥିବା ବ୍ୟାଟର ଶ୍ରେୟାସ ଆୟରଙ୍କୁ ଚୂଡ଼ାନ୍ତ ଦଳକୁ ଡାକରା ମିଳିଛି । ପୂର୍ବରୁ ଦଳରେ ରହିଥିବା ଦୀପକ ହୁଡ଼ା ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅବସରରେ ଆହତ ହୋଇ ବାଦ ପଡ଼ିଛନ୍ତି । ତାଙ୍କ ଅଣ୍ଟାରେ ଅଘାତ ଲାଗିଛି । ଫଳରେ ତାଙ୍କ ସ୍ଥାନରେ ଆୟରଙ୍କୁ ଦଳରେ ସାମିଲ କରାଯାଇଛି । ଗତ ଏସିଆ କପ୍‌ରେ ମଧ୍ୟ ଆୟର ଷ୍ଟାଣ୍ଡ ବାଇ ଭାବେ ଦଳରେ ରହିଥିଲେ । ବିଶ୍ୱକପ୍‌ ଦଳରେ ମଧ୍ୟ ସେ ମୁଖ୍ୟ ଦଳରେ ନାହାନ୍ତି ।

ପାଣ୍ଡ୍ୟାଙ୍କ ସ୍ଥାନରେ ସାହବାଜ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପୂର୍ବରୁ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ବେଙ୍ଗଲ୍‌ର ବାମ ହାତି ସ୍ପିନ ଅଲ୍‌ରାଉଣ୍ଡର ସାହବାଜ ଅହମ୍ମଦଙ୍କୁ ଡାକରା ମିଳିଛି । ଗୁଜରାଟ ଟାଇଟନ୍ସକୁ ଆଇପିଏଲ୍‌ ଚାମ୍ପିଅନ୍‌ କରାଇବା ପରଠୁ ପାଣ୍ଡ୍ୟା ନିୟମିତ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁଛନ୍ତି । ତେଣୁ ବିଶ୍ୱକପ୍‌ ପୂର୍ବରୁ ତାଙ୍କୁ ଉପଯୁକ୍ତ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି ।

ଉମ୍ରାନ ଷ୍ଟାଣ୍ଡବାଇ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ପେସ୍‌ ବୋଲର ମହମ୍ମଦ ସାମି ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ସାମିଙ୍କ ସ୍ଥାନରେ ଉମେଶ ଯାଦବ ଦଳରେ ସ୍ଥାନ ପାଇଥିଲେ । ପ୍ରଥମ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇଥିଲେ ହେଁ ଉମେଶ ସେଭଳି ପ୍ରଭାବଶାଳୀ ବୋଲିଂ କରିପାରି ନଥିଲେ । ସାମିଙ୍କ ସ୍ଥାନ ପୂରଣ କରିବା ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ଯୁବ ପେସ୍‌ ବୋଲର ଉମ୍ରାନ ମଲିକଙ୍କୁ ଷ୍ଟାଣ୍ଡବାଇ ଭାବେ ଡାକରା ମିଳିଛି । ପ୍ରଥମ ମ୍ୟାଚ୍‌ ପୂର୍ବରୁ ସାମି ଫିଟ୍‌ ହୋଇ ନପାରିଲେ ତାଙ୍କ ସ୍ଥାନରେ ଉମ୍ରାନ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ଆର ଅଶ୍ୱିନ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଦୀପକ ଚହର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ, ସାହବାଜ ଅହମ୍ମଦ, ଉମେଶ ଯାଦବ, ଜଶପ୍ରୀତ ବୁମରା ।

   Related Posts