ଦେଶରେ ସବୁଠାରୁ ବଡ ନୋଟ୍‌ ଭାବେ ରାଜ୍‌ କରୁଥିଲା ୧୦ହଜାର ଟଙ୍କିଆ ନୋଟ୍‌, କାହିଁକି ହେଲା ବିମୁଦ୍ରୀକରଣ ?

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ ୦୨।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ । ଦେଶ ପାଇଁ କରିଥାଏ ନୋଟ ପ୍ରଚଳନ । ବର୍ତ୍ତମାନ ସମୟରେ ଦେଶର ସବୁଠାରୁ ବଡ ନୋଟ୍‌ ହେଉଛି ୫୦୦ ଟଙ୍କା । ଏହାପୂର୍ବରୁ ବଡ ନୋଟ୍‌ ଭାବେ ହଜାରେ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲା ଆରବିଆଇ । କିନ୍ତୁ ସମୟକ୍ରମେ ଏହା ୨୦୧୬ରେ ହୋଇଥିଲା ବନ୍ଦ । ପୁନଶ୍ଚ ୨୦୦୦ ଟଙ୍କିଆ ନୋଟ ଆଣିଥିଲା ଆରବିଆଇ । କିନ୍ତୁ ଏହାକୁ  ମଧ୍ୟ ୨୦୨୩ରେ ଫେରାଇବାକୁ ଆରବିଆଇ ଦେଇଥିଲା ନିର୍ଦ୍ଦେଶ । କିନ୍ତୁ ଜାଣନ୍ତି କି ସମୟ ଥିଲା ଦେଶର ସବୁଠାରୁ ବଡ ନୋଟ୍‌ ୫ହଜାର ଏବଂ ୧୦ ହଜାର ଟଙ୍କିଆ ଥିଲା। ଏବେ ପ୍ରଶ୍ନ ଆସୁଛି କେବେ ହୋଇଥିଲା ଏହି ବଡ ନୋଟର ପ୍ରଚଳନ ? 

ଭାରତରେ ଏହି ୧୦ ହଜାର ଟଙ୍କିଆ ନୋଟର ପ୍ରଚଳନ ସ୍ବାଧିନତା ପୂର୍ବରୁ ହୋଇଥିଲା । ୧୯୩୮ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମଥର ୧୦ ହଜାର ଟଙ୍କିଆ ନୋଟ୍‌ ଜାରି କରିଥିଲା । ଯାହା ଦେଶରେ ଛପା ଯାଇଥିବା ସବୁଠାରୁ ବଡ ନୋଟ୍‌ । ଏହି ନୋଟକୁ ମୁଖ୍ୟତଃ ବଡ ବଡ ବ୍ୟବସାୟରେ ବ୍ୟବହାର କରାଯାଉଥିଲା । କାରଣ ସେତେବେଳେ ଏତେ ବଡ ପରିମାଣର ନୋଟ୍‌ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ସାଧାରଣ କଥା ନଥିଲା । 

ଜାନୁଆରୀ ୧୯୪୬ରେ ବ୍ରିଟିଶ ସରକାର ୧୦ ହଜାର ଟଙ୍କିଆ ନୋଟକୁ ବନ୍ଦ କରିବାକୁ ନେଇଥିଲେ ନିଷ୍ପତ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜମାକାରୀ ଏବଂ କଳାବଜାରୀକୁ ରୋକିବା ପାଇଁ ନିଆଯାଇଥିଲା ଏହି ପଦକ୍ଷେପ । ଏହାପରେ ୧୦ ହଜାର ଟଙ୍କିଆ ନୋଟ୍‌ ୧୯୫୪ରେ ଫେରିଥିଲା । ଏହି ସମୟରେ ୫ହଜାର ଟଙ୍କିଆ ନୋଟ୍‌ ମଧ୍ୟ ଆସିଥିଲା । ଭାରତୀୟ ବଜାରରେ ୧୯୫୪ରୁ ୧୯୭୮ ଯାଏଁ ପ୍ରଚଳନ ହୋଇଥିଲା ।   

ତେବେ ଏହି ନୋଟ୍‌ କାହିଁକି ହେଲା ବନ୍ଦ ? ୧୯୭୮ରେ ଭାରତ ସରକାର ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ନେଇଥିଲେ ନିଷ୍ପତ୍ତି । କାରଣ ଏହି ବଡ ନୋଟ୍‌କୁ ଭାରତର ସାଧାରଣ ବାସିନ୍ଦା ବହୁଳ ବ୍ୟବହାର କରିପାରୁନଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜି ଭାଇ ଦେଶାଇଙ୍କ ନିର୍ଦ୍ଦେଶରେ ଏହି ନୋଟ୍‌ର ହୋଇଥିଲା ବିମୁଦ୍ରୀକରଣ । ଏହାର ଲକ୍ଷ୍ୟ ଥିଲା ବିପୁଳ ପରିମାଣ ଅର୍ଥର ବେଆଇନ କାରବାର ରୋକିବା । ବଡ ନୋଟଗୁଡିକ ମୁଖ୍ୟତଃ ବ୍ୟବସାୟୀଙ୍କ ଦ୍ବାରା କଳାବଜାରୀ କାର୍ଯ୍ୟକଳାପରେ ବ୍ୟବହୃତ ହେଉଥିଲା ।

 ସରକାରଙ୍କ ବିଶ୍ବାସ ରହିଥିଲା କି ଏହି ନୋଟଗୁଡିକର ବିମୁଦ୍ରୀକରଣ ଆର୍ଥିକ ଅନଗ୍ରସରତା ହ୍ରାସ କରିବାରେ ସହାୟକ ହେବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକଳନ ଅନୁଯାୟୀ, ମାର୍ଚ୍ଚ ୩୧, ୧୯୭୬ ସୁଦ୍ଧା ମୋଟ ୭ ହଜାର ୧୪୪ କୋଟି ଟଙ୍କା ନଗଦ କାରବାରରେ ରହିଥିଲା । ଏଥିମଧ୍ୟରୁ ୧ହଜାର ଟଙ୍କିଆ ନୋଟର ୮୭.୯୧ କୋଟି, ୫ ହଜାର ଟଙ୍କିଆ ୨୨ କୋଟି ୯୦ ଲକ୍ଷ, ୧୦ ହଜାର ଟଙ୍କିଆ ନୋଟ୍‌ ମାତ୍ର ୧ କୋଟି ୨୬ ଲକ୍ଷ ରହିଥିଲା । 

ଏବେ ଆଉ ଏକ ପ୍ରଶ୍ନ ରହିଛି ଏହି କାହିଁକି ଫେରିଲାନି ୧୦ ହଜାର ଟଙ୍କିଆ ନୋଟ୍‌ ? ସେତେବେଳେ ୫ ହଜାର ଏବଂ ୧୦ ହଜାର ଟଙ୍କିଆ ନୋଟ ପୁନଃ ପ୍ରଚଳନର ସମ୍ଭାବନା ସୃଷ୍ଟି ହୋଇଥିଲା। ଆରବିଆଇର ପୂର୍ବତନ ରାଜ୍ୟପାଳ ରଘୁରାମ ରାଜନ ଏହି ବଡ ନୋଟ ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହା କାର୍ଯ୍ୟକାରୀ ହୋଇନଥିଲା । ୨୦୧୬ ବିମୁଦ୍ରୀକରଣ ସମୟରେ ସରକାର ୫୦୦ ଆଉ ହଜାରେ ଟଙ୍କିଆ ବଦଳରେ ଆଣିଥିଲେ ୨ ହଜାର ଟଙ୍କିଆ ନୋଟ୍ ।  ବିମୁଦ୍ରୀକରଣର ପ୍ରଭାବ କମାଇବା ପାଇଁ ୨ହଜାର ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଥିଲା । ଯାହା ୨୦୨୩ରେ ପୁନଶ୍ଚ ବନ୍ଦ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.