ମାଲେସିଆକୁ ଫାଇଟର ଜେଟ୍ ବିକିବାକୁ ଭାରତ ପ୍ରସ୍ତାବ: ଆମେରିକା ସମେତ ଅନ୍ୟ ୬ ଟି ଦେଶ କିଣିବାକୁ ଆଗ୍ରହୀ

Published By : Prameya-News7 Bureau | August 05, 2022 IST

ନୂଆଦିଲ୍ଲୀ: ଫାଇଟର ଜେଟ୍ ବିକ୍ରି କରିବ ଭାରତ। ମାଲେସିଆକୁ ୧୮ଟି ଲାଇଟ କମ୍ବାଟ୍ ଫାଇଟର(LCA) ତେଜସ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି। ଶୁକ୍ରବାର ଏନେଇ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରାଳୟ କହିଛି ଯେ ଆର୍ଜେଣ୍ଟିନା,ଅଷ୍ଟ୍ରେଲିଆ, ଇଜିପ୍ଟ, ଆମେରିକା, ଇଣ୍ଡୋନେସିଆ ଓ ଫିଲିପିନ୍ସ ମଧ୍ୟ ଏହି ସିଙ୍ଗଲ ଇଞ୍ଜନ ଜେଟ୍‌ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ରୟଟର୍ସର ଖବର ଅନୁସାରେ, ସରକାର ଗତ ବର୍ଷ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡକୁ ୮୩ ତେଜସ ଜେଟ୍ ପାଇଁ କଣ୍ଟ୍ରାକ୍ଟ ଦେଇଥିଲେ। ଏହାକୁ ୨୦୨୩ରେ ଡେଲିଭରି କରିବାକୁ ସରକାର କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ୧୯୮୩ ମସିହାରେ ଏଥିପାଇଁ ମଞ୍ଜୁରୀ ମିଳିବାର ପାଖାପାଖି ୪ ଦଶନ୍ଧୀ ପରେ ଏହି ଟେଣ୍ଡର ଦିଆଯାଇଥିଲା।   

ଡିଜାଇନ ଓ ଅନ୍ୟ ଚ୍ୟାଲେଞ୍ଜ ଯୋଗୁ ତେଜସର ଛବି ସେତେଟା ଭଲ ନାହିଁ। ଥରେ ଏହି ଜେଟ୍‌କୁ ଅଧିକ ଓଜନିଆ କହି ଭାରତୀୟ ବାୟୁସେନା ଏହାକୁ ଖାରଜ କରିଦେଇଥିଲା।

ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଆଜି ଫାଇଟର ଜେଟ୍ ଡିଲ୍ ନେଇ ସୂଚନା ଦେଇଥିଲେ। ଗତବର୍ଷ ହିନ୍ଦୁସ୍ତାନ ଏରୋନେଟିକ୍ସ ଅକ୍ଟୋବର ମାସରେ ଲୟାଲ ମାଲେସିଆ ଏଯାରଫୋର୍ସକୁ ୧୮ ଜେଟ୍ ବିମାନ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ଦୁଇ ସିଟ୍ ଥିବା ଭ୍ୟାରିଏଣ୍ଟକୁ ବିକ୍ରି କରିବାକୁ ପ୍ରସ୍ତାବ ଦିଆଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.