ଜାନୁଆରୀ ୨୩ରେ ନୌସେନାରେ ସାମିଲ ହେବ INS Vagir
20/01/2023 at 3:38 PM

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଆସନ୍ତା ସପ୍ତାହରେ ଅର୍ଥାତ୍ ଜାନୁଆରୀ ୨୦୨୩ ରେ ନୌସେନାରେ ସାମିଲ ହେବ INS Vagir । ମୁମ୍ବାଇର ନାଭାଲ୍ ଡକୟାର୍ଡରେ ହେବାକୁ ଥିବା ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ନୌସେନା ମୁଖ୍ୟ ଆଡମିରାଲ୍ ଆର ହରି କୁମାର ।
ତେବେ ଏହି ବୁଡାଜାହାଜ ବିଷୟରେ କହିବାକୁ ଗଲେ ଏହା ହେଉଛି ପଞ୍ଚମ ଡିଜେଲ ଇଲେକ୍ଟ୍ରିକ୍ ସ୍କର୍ପିନ୍ ବୁଡ଼ାଜାହାଜ । ଏହି ଶ୍ରେଣୀର ଷଷ୍ଠ ତଥା ଶେଷ ବୁଡ଼ାଜାହାଜ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ନୌସେନାରେ କାର୍ଯ୍ୟକ୍ଷମ ହେବ । ‘ପ୍ରୋଜେକ୍ଟ -୭୫’ ପ୍ରକଳ୍ପ ପାଇଁ ଭାରତ ୨୦୦୫ରେ ଫ୍ରାନ୍ସ କମ୍ପାନୀଗୁଡିକ ସହିତ ଚୁକ୍ତି କରିଥିଲା । ଏହି ବୁଡ଼ାଜାହାଜକୁ ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ଅର୍ଥାତ୍ ୨୦ ଡିସେମ୍ବର ୨୨ରେ MDL ଦ୍ୱାରା ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିଲା ।
ତେବେ ‘ଭାଗୀର’ ବିଷୟରେ କହିବାକୁ ଗଲେ ଏହା ୦୧ ନଭେମ୍ବର ୧୯୭୩ ରେ ‘କମିଶନ’ କରାଯାଇଥିଲା ଏବଂ ଏହା ଅନେକ ମିଶନକୁ କାର୍ଯ୍ୟକ୍ଷମ କରିବାରେ ବେଶ୍ ସହାୟକ ହୋଇଥିଲା । ପ୍ରାୟ ତିନି ଦଶନ୍ଧି ଧରି ଦେଶ ସେବା କରିବା ପରେ ୦୭ ଜାନୁଆରୀ ୨୦୦୧ରେ ସେବାରୁ ବିରାମ ନେଇଥିଲା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଭାଗୀର’ ଅତି କମ୍ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହା ପ୍ରଥମ ଥର ଫେବୃଆରୀ ୨୨ରେ ଏହାର ପ୍ରଥମ ଯାତ୍ରା କରିଥିଲା ।
ଏହି ବୁଡ଼ାଜାହାଜର ଲମ୍ବ ପ୍ରାୟ ୨୨୧ ଫୁଟ ରହିଥିବା ବେଳେ ଏହାର ଏକ ବିମ୍ ୨୦ ଫୁଟ ଏବଂ ଉଚ୍ଚତା ୪୦ ଫୁଟ ରହିଛି । ସେଗୁଡିକ 4 MTU 12V 396 SE84 ଡିଜେଲ ଇଞ୍ଜିନ୍ ଦ୍ୱାରା ଚାଳିତ । ଏହା ବ୍ୟତୀତ ‘ଭାଗୀର’ରେ ୩୬୦ଟି ବ୍ୟାଟେରୀ ସେଲ୍ ଅଛି । ସମୁଦ୍ରରେ ଏହା ଘଣ୍ଟା ପ୍ରତି ୩୭ କିଲୋମିଟର ବେଗରେ ଗତି କରିଥାଏ । ଏହା ପାଣିରେ ୫୦ ଦିନ ପର୍ଯ୍ୟନ୍ତ ବିତାଇପାରେ । ଏହାର ସର୍ବାଧିକ ଗଭୀରତା ୩୫୦ ଫୁଟ ରହିଥିବା ବେଳେ ଏଥିରେ ୮ ଜଣ ସାମରିକ ଅଧିକାରୀ ଏବଂ ୩୫ ନାବିକ ନିୟୋଜିତ ହୋଇପାରିବେ |