Hockey WC: କ’ଣ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିବ ଭାରତୀୟ ହକି ଦଳ ? ରବିବାର କ୍ରସ୍ ଓଭର ମୁକାବିଲା
20/01/2023 at 4:18 PM

ଭୁବନେଶ୍ଵର: ଭାରତୀୟ ପୁରୁଷ ହକି ଦଳ ବିଶ୍ଵକପ୍ରେ ସିଧାସଳଖ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିବାରେ ବିଫଳ ହୋଇଛି। ଭାରତୀୟ ଦଳ ନିଜର ଶେଷ ଲିଗ୍ ମ୍ୟାଚ୍ରେ ଓ୍ଵେଲ୍ସକୁ ୪-୨ ଗୋଲ୍ରେ ହରାଇଥିଲେ ମଧ୍ୟ ସିଧାସଳଖ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରି ପାରିନାହିଁ। ଭାରତକୁ ଅନ୍ତିମ ଆଠରେ ପହଞ୍ଚିବା ପାଇଁ କେବଳ ବିଜୟର ଆବଶ୍ୟକତା ନଥିଲା ବରଂ ଅତି କମରେ ୮ ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତିବାର ଥିଲା। ହେଲେ ଦଳ ଓ୍ଵେଲ୍ସକୁ ମାତ୍ର ୨ ଗୋଲ୍ ବ୍ୟବଧାନରେ ପରାସ୍ତ କରି ପାରିଛି।
ଏହି ବିଜୟ ସହ ଭାରତ ପୁଲ୍ ଡିରେ ଇଂଲଣ୍ଡ ପରେ ଦ୍ଵିତୀୟ ସ୍ଥାନରେ ରହିଛି। ତେବେ କ୍ଵାର୍ଟର ଫାଇନାଲ୍ରେ ପହଞ୍ଚିବା ପାଇଁ ଏବେ ମଧ୍ୟ ଆଶା ଉଜ୍ଜୀବିତ ରହିଛି। ଭାରତକୁ ଅନ୍ତିମ ୮ ଦଳରେ ରହିବା ପାଇଁ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସ ଓଭର ମୁକାବିଲା ଖେଳିବାକୁ ପଡିବ। ଏହି ମ୍ୟାଚ୍ ଜିତିଲେ ଦଳ ବିଶ୍ଵ କପ୍ରେ ଆଗକୁ ବଢିବ।
ଭାରତର ଯାତ୍ରା

ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଉପରେ ନଜର ପକାଇଲେ ଦଳ ୩ ପଏଣ୍ଟ ସହ ଗ୍ରୁପ ସିରେ ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ରୁ ଗୋଟିଏରେ ବିଜୟଲାଭ କରିଥିବା ବେଳେ ଦୁଇଟି ମ୍ୟାଚ୍ ହାରିଛି। ଭାରତ ନିଜର ପ୍ରଥମ ମୁକାବିଲାରେ ସ୍ପେନକୁ ୨-୦ରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ଇଂଲଣ୍ଡ ସହିତ ମ୍ୟାଚ୍ ଅମୀମାଂସିତ ରହିଥିଲା। ଫଳରେ ଭାରତର କ୍ଵାର୍ଟର ଫାଇନାଲ୍ ମାର୍ଗ ମୁସ୍କିଲ ହୋଇ ପଡିଥିଲା। ପୁଣି ନିଜର ଶେଷ ଲିଗ୍ ମ୍ୟାଚ୍ରେ ଦଳ ଓ୍ଵେଲ୍ସ ବିପକ୍ଷରେ ବଡ ଗୋଲ୍ ବ୍ୟବଧାନରେ ଜିତି ପାରିନାହିଁ। ତଥାପି ଦଳର ଟୁର୍ଣ୍ଣାମେଣ୍ଟରେ ଆଗକୁ ଯିବାର ଆଶା ବଳବତ୍ତର ରହିଛି।
ଗତକାଲି କେମିତି ଥିଲା ମ୍ୟାଚ୍

ଭାରତ ଏବଂ ୱେଲ୍ସ ମଧ୍ୟରେ ପ୍ରଥମ କ୍ୱାର୍ଟରରେ କଡା ମୁକାବିଲା ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ଆକାଶଦୀପ ସିଂ ୩୨ତମ ଏବଂ ୪୫ତମ ମିନିଟ୍ରେ ଗୋଲ୍ ଦେଇ ଭାରତ ବିଜୟରେ ହିରୋ ସାଜିଥିଲେ। ସମଶେର ସିଂ ୨୧ତମ ଏବଂ ହରମନପ୍ରୀତ ସିଂ ୫୯ତମ ମିନିଟ୍ରେ ଗୋଲ୍ ଦେଇ ଦଳକୁ ବିଜୟୀ କରାଇଥିଲେ। ଅନ୍ୟପକ୍ଷେ ଓ୍ଵେଲ୍ସ ପାଇଁ ଗେରେଥ ଫୁରଲଙ୍ଗ ଏବଂ ଜ୍ୟାକବ ଡ୍ରପର ୪୪ତମ ମିନିଟ୍ରେ ଗୋଲ୍ ଦେଇଥିଲେ।