ଲଞ୍ଚ ହେଲା ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଇକୋନୋମିକ୍‌ କରିଡର, ଜି-୨୦ ସମ୍ମିଳନୀରେ ମୋଦୀ-ବାଇଡେନ କଲେ ଘୋଷଣା

Published By : Prameya-News7 Bureau | September 09, 2023 IST

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ଦିଲ୍ଲୀରେ ଆୟୋଜିତ ହେଉଛି। ଯେଉଁଥିରେ ସାମିଲ୍ ହୋଇଛନ୍ତି ଅନେକ ବିଶ୍ବ ନେତା। ଏହାରି ମଧ୍ୟରେ ଏକ ବଡ଼ ଘୋଷଣା କରାଯାଇଛି। ବାଣିଜ୍ୟିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଶନିବାର, ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ ଅନ୍ୟ ନେତାମାନେ, ଇଣ୍ଡିଆ-ମଧ୍ୟପ୍ରାଚ୍ୟ-ୟୁରୋପ କନେକ୍ଟିଭିଟି କରିଡର ଲଞ୍ଚ ନେଇ ଘୋଷଣା କରିଛନ୍ତି।

ଏହି କରିଡର ଦିଲ୍ଲୀକୁ, ସାଉଦି ଆରବ ସହ ୟୁରୋ ପର୍ଯ୍ୟନ୍ତ ଯୋଡ଼ିବ। ଏଥିରେ ଭାରତ ବ୍ୟତୀତ, ୟୁଏଇ, ସାଉଦି ଆରବ, ୟୁରୋପୀୟ ସଂଘ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଏବଂ ଆମେରିକା ସହ ୮ ଦେଶ ସାମିଲ ରହିଛନ୍ତି। ଏହି ଘୋଷଣା ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ସାଉଦି ଆରବ ପ୍ରଧାନମନ୍ତ୍ରୀ ମୋହମ୍ମଦ ବିନ୍‌ ସଲମାନ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହି ପ୍ରୋଜେକ୍ଟକୁ ଚୀନ୍‌ ନାପସନ୍ଦ କରିପାରେ । କାରଣ ଏହି ଡିଲ୍ ଚୀନ୍‌ର ବିଆରଆଇ ଅର୍ଥାତ୍‌ ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍‌ର ଜବାବ ଭାବରେ ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ଜି-୨୦ ଅତିଥିଙ୍କୁ ପରସା ଯାଉଛି ମିଲେଟ୍‌ ପ୍ରସ୍ତୁତ ବ୍ୟଞ୍ଜନ, ଓଡ଼ିଶାର ସୁସ୍ବାଦୁ ଖାଦ୍ୟ ଖାଇବେ ବିଶ୍ବନେତା

ଏହି କରିଡର ଲଞ୍ଚ ଅବସରରେ ପିଏମ ମୋଦୀ କହିଛନ୍ତି ଆଗାମୀ ସମୟରେ ଏହାର ‘‘ଭାରତ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପ ମଧ୍ୟରେ ଆର୍ଥିକ ସହଭାଗିତା ବଢ଼ିବ। ଏହା ଏକ ଐତିହାସିକ ନିଷ୍ପତ୍ତି ।’’ ଏହି କରିଡରର ଲଞ୍ଚ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ‘‘ଏହା ଏକ ବଡ଼ ଡିଲ୍‌, ନିବେଶ ପାଇଁ ଏଭଳି ସ୍ଥାୟୀ ଭିତ୍ତିଭୂମି ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ।’’ ୟୁରୋପୀଆନ୍‌ କମିଶନ ପ୍ରେସିଡେଣ୍ଟ ଉରସୁଲା ଭୋନ ଡେର ଲିୟେନ ମଧ୍ୟ ଏହି କରିଡରକୁ ଐତିହାସିକ ବୋଲି କହିଛନ୍ତି।

ଏହି ପ୍ରକଳ୍ପ ମଧ୍ୟପ୍ରାଚ୍ୟର ସମସ୍ତ ରେଲଓ୍ବେ, ବନ୍ଦରକୁ ଯୋଡ଼ିବ। ଯେଉଁଥିରେ ୟୁଏଇ, ସାଉଦି ଆରବ, ଜର୍ଡନ ଏବଂ ଇସ୍ରାଏଲ ମଧ୍ୟ ରହିଛନ୍ତି। ଏହି ପ୍ରୋଜେକ୍ଟ ଫଳରେ ଭାରତ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟ କାରବାର ଆହୁରି ୪୦ ପ୍ରତିଶତ ଶୀଘ୍ର ହୋଇପାରିବ।

ଆହୁରି ପଢ଼ନ୍ତୁ: ଭାରତ-ବ୍ରିଟେନ ବ୍ୟବସାୟୀକ ସମ୍ପର୍କ ହେବ ମଜଭୁତ, ନିବେଶ ବଢାଇବାକୁ ନେଇ ଋଷି ସୁନକ ଓ ମୋଦିଙ୍କ ମଧ୍ୟରେ ହେଲା ଆଲୋଚନା

ୟୁରେସିଆ ଗ୍ରୁପ୍‌ର ଦକ୍ଷିଣ ଏସିଆ ମୁଖ୍ୟ ପ୍ରମିତ ପାଲ ଚୌଧୁରୀ କହିଛନ୍ତି, ଏହି ପ୍ରୋଜେକ୍ଟ ଯଦି ସଫଳ ହେଉଛି ତେବେ, ସମୟ ଏବଂ ଟଙ୍କା ବଞ୍ଚିବ। ଏହି ପ୍ରୋଜେକ୍ଟ ଅନୁଯାୟୀ, ଯଦି ଗୋଟିଏ କଣ୍ଟେନର ମୁମ୍ବାଇରୁ ସୁଏଜ କେନାଲ ଦେଇ ୟୁରୋପ ପହଞ୍ଚୁଛି ତେବେ ତାହା ଭବିଷଞତରେ ଦୁବାଇରୁ ରେଳଦ୍ବାରା ଇସ୍ରାଏଲ ପହଞ୍ଚିପାରିବ ଏବଂ ପୁଣି ସେଠୁ ୟୁରୋପ ମଧ୍ୟ ପହଞ୍ଚିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.