ଅଷ୍ଟ୍ରେଲିଆଠୁ ୪-୦ରେ ଟେଷ୍ଟ୍ ସିରିଜ ହାରିବ ଭାରତ ! ଏମିତି କାହିଁକି କହିଲେ ଭନ୍ ?

Published By : Prameya-News7 Bureau | December 14, 2020 IST

ସିଡନୀ,୧୪/୧୨: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ । ଏହାର ଫଳାଫଳ ନେଇ ଏବେଠୁ ପୂର୍ବାନୁମାନ କରିବା ଆରମ୍ଭ ହୋଇଗଲାଣି । ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ଭାରତ ଏହି ସିରିଜ୍‌ରେ ୦-୪ରେ ପରାଜିତ ହୋଇପାରେ ବୋଲି ଅନୁମାନ କରିଛନ୍ତି ।

ସେ କହିଛନ୍ତି ଯେ, ଆଡିଲେଡ୍‌ରେ ଦିବାରାତ୍ର ଟେଷ୍ଟ ଖେଳାଯିବ । ହୁଏତ ପିଙ୍କ୍‌ ବଲରେ ଅଷ୍ଟ୍ରେଲିଆ ମ୍ୟାଚ୍‌ ହାତଛଡ଼ା କରିପାରେ । ଯଦି ଏହି ମ୍ୟାଚ୍‌ ଜିତିଲା ତେବେ ପରବର୍ତ୍ତୀ ୩ଟି ମ୍ୟାଚ୍‌ରେ ବିଜୟୀ ହେବ । କାରଣ ପ୍ରଥମ ଟେଷ୍ଟ ପରେ ଅଧିନାୟକ ବିରାଟ କୋହଲି ଦଳରେ ନଥିବେ । ଯାହା ଘରୋଇ ଦଳ ପାଇଁ ଫାଇଦା ପହଞ୍ଚାଇବ ।

ସେ ଆହୁରି କହିଛନ୍ତି ଯେ, ଦୁଇ ବର୍ଷପୂର୍ବେ ଭାରତ ଅଷ୍ଟ୍ରେଲିଆ ପରିବେଶରେ ବେଶ ଭଲ ପ୍ରଦର୍ଶନ କରିଥିଲା । ଜସପ୍ରୀତ ବୁମ୍‌ରାହ, ମହମ୍ମଦ ସାମି, ଈଶାନ୍ତ ଶର୍ମା ଏବଂ ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ବିଭାଗରେ ଥିଲେ । ଚେତେଶ୍ୱର ପୂଜାରା ଭାରତୀୟ ବ୍ୟାଟିଂକୁ ମଜବୁତ କରିଥିଲେ । ସେତେବେଳେ ଷ୍ଟିଭେନ ସ୍ମିଥ୍‌, ଡେଭିଡ ୱାର୍ଣ୍ଣର ଏବଂ ଲାବୁସାଁ ଅଷ୍ଟ୍ରେଲିଆ ଦଳରେ ନଥିଲେ । କିନ୍ତୁ ଏବେ ଅଷ୍ଟ୍ରେଲିଆ ଏକ ଭଲ ଟେଷ୍ଟ ଦଳ । ଦଳର ଭଲ ବ୍ୟାଟସମ୍ୟାନ୍ ଅଛନ୍ତି ।  ଟିମ୍‌ ପାଇନ ଟେଷ୍ଟ ଅଧିନାୟକ ଭାବେ ବହୁ ଉନ୍ନତି କଲେଣି ବୋଲି ଭନ କହିଛନ୍ତି ।

ଆହୁରି ମଧ୍ୟ ରୋହିତ ଶର୍ମା ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ପଡ଼ିଛନ୍ତି । ତେଣୁ ଦ୍ୱିତୀୟ ଟେଷ୍ଟରେ କୋହଲି ଓ ରୋହିତଙ୍କ ଅନୁପସ୍ଥିତିରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବା କଷ୍ଟକର ହୋଇ ପଡ଼ିବ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.