ଭାରତର ଜିଡିପି ଅଭିବୃଦ୍ଧି ସ୍ଥିର ରଖିଲା ବିଶ୍ୱ ବ୍ୟାଙ୍କ: ପାକିସ୍ତାନ ଓ ଶ୍ରୀଲଙ୍କା ଅର୍ଥନୀତି ମଜଭୁତ ସମ୍ଭାବନା

Published By : Prameya-News7 Bureau | June 11, 2024 IST

moneycontrol.com

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୫ରେ ଭାରତର ଜିଡିପି ଅଭିବୃଦ୍ଧିକୁ ଅପରିବର୍ତ୍ତିତ ରଖିଲା ବିଶ୍ୱ ବ୍ୟାଙ୍କ। ଚଳିତ ଆର୍ଥିକ ବର୍ଷରେ ଭାରତ ଜିଡିପି ୬.୬ ପ୍ରତିଶତ ରହିବ ବୋଲି ୱାର୍ଲ୍ଡ ବ୍ୟାଙ୍କ କହିଛନ୍ତି। ଏହା ପୂର୍ବରୁ ଗତ ଏପ୍ରିଲ୍‌ରେ ୨୦ଟି ବିଷୟକୁ ଗବେଷଣା କରି ୨୦୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ଗ୍ରୋଥ୍‌ ୬.୬ ପ୍ରତିଶତ ରହିବ ବୋଲି ବିଶ୍ୱ ବ୍ୟାଙ୍କ କହିଥିଲା। ପୁଣି ଜୁନ ୧୧ ତାରିଖରେ ଏହି ଅନୁମାନକୁ ଦୋହରାଇଛି। 

ଭାରତ ବିଶ୍ୱର ବଡ଼ ଅର୍ଥନୀତିର ଦେଶ ମଧ୍ୟରୁ ଦ୍ରୁତ ଗତିଶୀଳ ଅର୍ଥନୀତି ହୋଇ ରହିବ। ତେବେ ଏହାର ବ୍ୟାପକତା ମଧ୍ୟମଧରଣର ରହିବ।ଜୁନ୍ ୨୦୨୪ ପାଇଁ ଗ୍ଲୋବାଲ୍ ଇକୋନୋମିକ୍ ଆଉଟଲୁକ ଅନୁଯାୟୀ, ୨୦୨୪-୨୫ ରୁ ଆରମ୍ଭ ହୋଇ ଆସନ୍ତା ତିନି ଆର୍ଥିକ ବର୍ଷରେ ଭାରତର ବାର୍ଷିକ ହାରାହାରି ୬.୭ ଅଭିବୃଦ୍ଧି ପ୍ରତିଶତ ରହିବ। ସେହିପରି ଆର୍ଥିକ ବର୍ଷ ୨୦୨୬ରେ ୬.୭ ପ୍ରତିଶତ ଏବଂ ୨୦୨୭ରେ ୬.୮ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। 

ଆର୍ଥିକ ବର୍ଷ ୨୦୨୪-୨୫ରେ ବିଶ୍ୱ ଜିଡିପି ଅଭିବୃଦ୍ଧି ୨.୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଥିଲା। ଜାନୁଆରୀରେ ଆକଳନ କରାଯାଇଥିବା ଆକଳନ ଠାରୁ ୨୦ ବେସିସ୍ ପଏଣ୍ଟ ଅଧିକ। ସେହିପରି ୨୦୨୬ ଓ ୨୦୨୭ ଆର୍ଥିକ ବର୍ଷରେ ବିଶ୍ୱ ଜିଡିପି ଅଭିବୃଦ୍ଧି ୨.୭ ପ୍ରତିଶତ ରହିବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି।  

ଦକ୍ଷିଣ ଏସିଆ(ଏସ୍‌ଏଆର୍) ଅଞ୍ଚଳରେ ୨୦୨୪ରେ ଜିଡିପି ଅଭିବୃଦ୍ଧି ସାମାନ୍ୟ ମନ୍ଥର ହୋଇ ୬.୬ ପ୍ରତିଶତରୁ ୬.୨ ପ୍ରତିଶତ ରହିବ। ନିକଟରେ ଭାରତର ଅଭିବୃଦ୍ଧିରେ ସାମାନ୍ୟ ମନ୍ଥର ହୋଇଥିବା କାରଣରୁ ଏପରି ସ୍ଥିତି ହୋଇଛି। କିନ୍ତୁ, ଭାରତରେ ସ୍ଥିର ଅଭିବୃଦ୍ଧି ସହିତ ୨୦୨୫-୨୬ରେ ଦକ୍ଷିଣ ଏସିଆ ଅଞ୍ଚଳରେ ଅଭିବୃଦ୍ଧି ୬.୨ ପ୍ରତିଶତରେ ରହିବ ବୋଲି ଆଶା କରାଯାଉଛି। ଏହି ଅଞ୍ଚଳରେ ଆସୁଥିବା ବାଂଲାଦେଶର ଅର୍ଥନୀତି ମଜଭୁତ ହେବ ବୋଲି ଅନୁମାନ କରାଯାଉଛି। ତେବେ ଗତ କିଛି ବର୍ଷ ତୁଳନାରେ ମନ୍ଥର ହେବ। ଅନ୍ୟପଟେ ପାକିସ୍ତାନ ଓ ଶ୍ରୀଲଙ୍କା ଅର୍ଥନୀତି ମଜଭୁତ ହେବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି। 
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.