ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଆହତ ହେଲେ କାର୍ତ୍ତିକ, ଆଗାମୀ ମ୍ୟାଚ୍‌ରେ ଦଳରୁ ବାଦ୍ ପଡି ପାରନ୍ତି

Published By : Prameya-News7 Bureau | October 30, 2022 IST

ପର୍ଥ: ଭାରତୀୟ ଦଳର ବୟୋଜ୍ୟୋଷ୍ଠ ଖେଳାଳି ଦିନେଶ କାର୍ତ୍ତିକଙ୍କ ପିଠିରେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ଵ କପ୍‌ର ମ୍ୟାଚ୍‌ରେ ଆଘାତ ଲାଗିଛି। ଫଳରେ ଆଡିଲେଡରେ ବାଂଲାଦେଶ ବିପକ୍ଷ  ମୁକାବିଲା ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। କାର୍ତ୍ତିକ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୧୫ ବଲ୍‌ରୁ ମାତ୍ର ୬ ରନ କରିଛନ୍ତି।

ଦକ୍ଷିଣ ଆଫ୍ରିକା ଇନିଂସର ୧୫ତମ ଓଭରରେ କାର୍ତ୍ତିକ ଯନ୍ତ୍ରଣାରେ ଜର୍ଜରିତ ହୋଇ ଉଠିଥିବା ଦେଖିବାକୁ ମିଳିଛି। ତାଙ୍କ ପିଠିରେ ଯନ୍ତ୍ରଣା ଆରମ୍ଭ ହେବାରୁ ସେ ତଳେ ବସି ପଡିଥିଲେ। ଫିଜିଓ ତୁରନ୍ତ ପଡିଆକୁ ଯାଇଥିଲେ ଏବଂ କିଛି ଆଲୋଚନା ପରେ କାର୍ତ୍ତିକ ପାଭିଲିୟନ ଫେରି ଆସିଥିଲେ। କାର୍ତ୍ତିକଙ୍କ ପିଠିରେ ଆଘାତ ଲାଗିଥିବା ପରେ ଭୁବନେଶ୍ଵର କୁମାର କହିଛନ୍ତି।

ତାଙ୍କର କିଛିଟା ପିଠିଜନିତ ସମସ୍ୟା ରହିଛି। ଫିଜିଓଙ୍କ ରିପୋର୍ଟ ମିଳିବା ପରେ ହିଁ କିଛି ସ୍ପଷ୍ଟ ଭାବେ କୁହାଯାଇ ପାରିବ। ଭାରତର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ବାଂଲାଦେଶ ବିପକ୍ଷରେ ରହିଛି। ଆଜି ମ୍ୟାଚ୍‌ରେ ଶେଷ ପାଞ୍ଚ ଓଭର କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତ ଓ୍ଵିକେଟ୍ କିପିଂ କରିଥିଲେ।

କ୍ରମାଗତ ଦୁଇଟି ବିଜୟ ପରେ ପରାଜୟର ସ୍ଵାଦ ଚାଖିଛି ଭାରତ। ରୋହିତ ବାହିନୀଙ୍କ ବିଜୟ ରଥକୁ ଅଟକାଇଛି ଦକ୍ଷିଣ ଆଫ୍ରିକା। ପର୍ଥରେ ଖେଳାଯାଇଥିବା ଟି-୨୦ ବିଶ୍ଵ କପ୍‌ର ଅନ୍ୟ ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଓ୍ଵିକେଟ୍‌ରେ  ହରାଇଛି। ଆଡନ ମାରକ୍ରମ ଏବଂ ଡେଭିଡ୍ ମିଲରଙ୍କ ଅପରାଜିତ ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା  ଏହି ବିଜୟ ହାସଲ କରିଛି।

ପ୍ରଥମେ ବ୍ୟାଟସମ୍ୟାନ ଏବଂ ପରେ ବୋଲିଂରେ ରବିଚନ୍ଦ୍ରନ ଅଶ୍ଵିନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ଭାରତ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୬୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଡେଭିଡ୍ ମିଲରଙ୍କ ଅପରାଜିତ ୫୯ ରନ ଏବଂ ଆଡନ ମାରକ୍ରମଙ୍କ ୫୨ ରନ ବଳରେ ୨ଟି ବଲ୍ ବଳକା ଥାଇ ଲକ୍ଷ୍ୟ ହାସଲ କରି ନେଇଛି। ଏହି ବିଜୟ ସହ ଗ୍ରୁପ ୨ରେ ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚ୍‌ରୁ ୫ ପଏଣ୍ଟ ସହ ଶୀର୍ଷକୁ ଉଠିଛି। ଭାରତ ପରାଜୟ ସହ ଦ୍ଵିତୀୟ ସ୍ଥାନକୁ ଖସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.